କ୍ୟାବିନେଟ୍‌ ନିଷ୍ପତ୍ତି : ବଦଳିବ ଅନାସ୍ଥା ଭୋଟ୍‌ ନିୟମ

ଏଜେଣ୍ଟଙ୍କୁ ଦେଖାଇ ଭୋଟ୍‌ ଦେବେ କର୍ପୋରେଟର, କାଉନ୍‌ସିଲର
ଅଲଗା ହେଲା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ
ଆଖୁ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପାଇଁ ଗ୍ୟାରେଣ୍ଟି ପଡ଼ିଲେ ସରକାର
କୃଷି ଯନ୍ତ୍ରୀଙ୍କ ପାଇଁ ନୂଆ କ୍ୟାଡର
ଓଡ଼ିଶା ଆଇନ ସେବାରେ ଭିନ୍ନକ୍ଷମଙ୍କ ପାଇଁ ୪ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ୱର : ଏଣିକି ପଞ୍ଚାୟତିରାଜ ସଂସ୍ଥା ଭଳି ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହୁଅନ୍ତୁ କି ପୌର ନିଗମର ମେୟର ବା ଡେପୁଟି ମେୟର, ଏମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତା ଉପରେ ଆଉ ସମ୍ପୂର୍ଣ୍ଣ ଗୁପ୍ତ ମତଦାନ ହେବ ନାହିଁ। ବରଂ ଖୋଲା ମତଦାନ ଭଳି ଏମାନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଅର୍ଥାତ୍‌ କର୍ପୋରେଟର ଓ କାଉନସିଲର ନିଜ ମତ ରଖିବା ପୂର୍ବରୁ କାହା ସପକ୍ଷରେ ଭୋଟ ଦେଲେ ତାହା କେବଳ ଦଳୀୟ ଏଜେଣ୍ଟକୁ ଦେଖାଇବାକୁ ବାଧ୍ୟ ହେବେ।

ଓଡ଼ିଶା ପୌର ଅଧିନିୟମ ଓ ଓଡ଼ିଶା ପୌର ନିଗମ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ଦେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେବଳ ସେତିକି ନୁହେଁ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ବିଭାଜନ, ଆଖୁଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ଦେବା ଲାଗି ନଗଦ ଋଣ ମଞ୍ଜୁର ପାଇଁ ସରକାରୀ ଗ୍ୟାରେଣ୍ଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ ଲାଇନ ମାଧ୍ୟମରେ ଜଳସେଚନ, ନୂଆପଡା ଜିଲ୍ଲାର ଫ୍ଲୋରାଇଡ୍‌ ପ୍ରଭାବିତ ଅଞ୍ଚଳ ପାଇଁ ପ୍ରକଳ୍ପ ଆଦି ୧୬ଟି ପ୍ରସ୍ତାବ କ୍ୟାବିନେଟ୍‌ ଅନୁମୋଦନ ଲାଭ କରିଛି। ଆଜି ଅପରାହ୍ନରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକରେ ଏହିସବୁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ପୌର ଅଧିନିୟମ ଓ ପୌର ନିଗମ ଅଧିନିୟମ ସଂଶୋଧନ ସଂପର୍କିତ କ୍ୟାବିନେଟ୍‌ ନିଷ୍ପତ୍ତି ଶୁଣାଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ବର୍ତମାନ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଏବଂ ପୌର ନିଗମର ମେୟର ଅଥବା

ଡେପୁଟି ମେୟରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନର ସମସ୍ତ ବୈଠକ ସମ୍ପୂର୍ଣ୍ଣ ଗୁପ୍ତ ଭୋଟ ଦ୍ୱାରା ସମ୍ପନ୍ନ ହେଉଥିଲା। ନିୟମତଃ, କୌଣସି କାଉନସିଲର ବା କର୍ପୋରେଟର ଯେଉଁ ରାଜନୈତିକ ଦଳର ହୋଇଥାନ୍ତି, ଯଦି ସେହି ଦଳର ଆଦେଶକୁ ପାଳନ ନ କରନ୍ତି, ତେବେ ସେମାନେ ଅଯୋଗ୍ୟ ହେବାର ବ୍ୟବସ୍ଥା ରହିଛି। ଅର୍ଥାତ୍‌ ନିର୍ବାଚିତ ପ୍ରତିନିଧି ଯେଉଁ ରାଜନୈତିକ ଦଳର ହୋଇଥାନ୍ତି, ସେହି ଦଳ ଦ୍ୱାରା ଜାରି ହୋଇଥିବା ଆଦେଶକୁ ସେମାନେ ମାନିବାକୁ ବାଧ୍ୟ। ଏହି କ୍ରମରେ ସଂପୃକ୍ତ କର୍ପୋରେଟର ବା କାଉନସିଲର କାହା ସପକ୍ଷରେ ଭୋଟ ଦେଲେ, ତାହା ଜାଣିବା ସଂପୃକ୍ତ ରାଜନୈତିକ ଦଳ ପାଇଁ ଜରୁରି। ହେଲେ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଭୋଟ ବାକ୍ସ ଭିତରେ ବାଲଟ୍‌ ଭର୍ତି କରିବା ପୂର୍ବରୁ ମତଦାତା କାହା ସପକ୍ଷରେ ନିଜ ମତ ରଖିଛନ୍ତି, ତାହା ଯାଞ୍ଚ କରାଯିବ। ଏହାକୁ ଦୃଷ୍ଟିରେ ରଖି ଅଧିନିୟମରେ ସଂଶୋଧନ ଆଣିବା ଲାଗି ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ଏହି ଅଧିନିୟମ ସଂଶୋଧନ ହେବା ପରେ ରାଜନୈତିକ ଦଳ ଦ୍ୱାରା ଜାରି କରାଯାଇଥିବା ଆଦେଶ ପାଳନ ହୋଇଛିି ନା ନାହିଁ, ତାହାର ଯାଞ୍ଚ କରିବା ଲାଗି ଏଥିରେ ବ୍ୟବସ୍ଥା କରାଯିବ। ଦଳୀୟ ଏଜେଣ୍ଟଙ୍କୁ ଦେଖାଇ ମତଦାନ କରିବେ କର୍ପୋରେଟର ବା କାଉନସିଲର। ବିଧାନସଭା ଅନୁମୋଦନ ପରେ ସରକାର ବିଧିବଦ୍ଧ ଭାବେ ଏହି ବ୍ୟବସ୍ଥାରେ ପରିବର୍ତନ ଆଣିବେ। ସରକାରଙ୍କ ଯୁକ୍ତି ହେଉଛି, ଏହାଦ୍ୱାରା ରାଜ୍ୟ ନିର୍ବାଚନ କମିସନ ଦଳବଦଳ ପାଇଁ ନିର୍ବାଚିତ ପ୍ରତିନିଧିଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମିଳିଥିବା ଅଭିଯୋଗର ଫଏସଲା ଅତ୍ୟନ୍ତ ସହଜରେ କରାଯାଇପାରିବେ।

ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ବିଭାଜନ କରାଯାଇଛି। ସଂସ୍କୃତି ପାର୍ଶ୍ୱଭାଗକୁ ନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନାମରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯିବ। ପର୍ଯ୍ୟଟନ ପାର୍ଶ୍ୱଭାଗକୁ ପର୍ଯ୍ୟଟନ ବିଭାଗ ନାମରେ ପୁନଃ ନାମିତ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି। ଏଭଳି ବିଭାଜନ ପରେ ଉଭୟ ବିଭାଗ ସ୍ୱତନ୍ତ୍ର ଭାବରେ କାମ କରିବେ।

ରାଜ୍ୟରେ ୧୬ଟି ଜିଲ୍ଲାର ୧୬୫୮ ପ଼ଡ଼ାଗ୍ରାମରେ ପାନୀୟ ଜଳରେ ଅଧିକ ପରିମାଣର ଫ୍ଲୋରାଇଡ୍‌ ପରଲକ୍ଷିତ ହେଉଥିଲା। ଏ ମଧ୍ୟରେ ନୂଆପଡ଼ାର ୯୦୫ଟି ପଡ଼ାଗ୍ରାମରେ ବହୁ ମାତ୍ରାରେ ଫ୍ଲୋରାଇଡ୍‌ ରହିଛି। ପୂର୍ବରୁ ୩୧୭ଟି ପଡ଼ାଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ୩୭୧ଟି ଫ୍ଲୋରାଇଡ୍‌ ପ୍ରଭାବିତ ପଡ଼ାଗ୍ରାମକୁ ବିଶୁଦ୍ଧ ପାଣି ଯୋଗାଣପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଚାଲୁ ରହିଛି।

ଆଜି କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି ଯେ ଅବଶିଷ୍ଟ ୨୧୭ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କରାଯିବ। ଏଥିଲାଗି ୩୭୦ କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ୫ଟି ବୃହତ୍‌ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ମେସର୍ସ ଏଲ୍‌ଆଣ୍ଡଟି, ଚେନ୍ନାଇକୁ ଦାୟିତ୍ୱ ଦିଆଯାଇଛି। ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା, ଖରିଆର, ବୋଡ଼େନ୍‌ ଓ କୋମନା ବ୍ଲକରେ ବସବାସ କରୁଥିବା ୨ଲକ୍ଷ ଲୋକ ଉପକୃତ ହେବେ। ଉକ୍ତ ପ୍ରକଳ୍ପ ନାବାର୍ଡ ଆର୍ଥିକ ସହାୟତାରେ ୨୪ମାସ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଆସ୍କା ସମବାୟ ଚିନି ଶିଳ୍ପ ଲିମିଟେଡ୍‌ ଆଖୁ ଚାଷୀଙ୍କୁ ଚଳିତ ବର୍ଷ ପ୍ରାପ୍ୟ ଦେବା ପାଇଁ ୧୫ କୋଟି ଟଙ୍କା ଆବଶ୍ୟକ କରୁଛି। ଏହି ଟଙ୍କା ନଗଦ ଋଣ ଆକାରରେ ଦେବା ଲାଗି ଆସ୍କା କେନ୍ଦ୍ର ସମବାୟ ବ୍ୟାଙ୍କ ନିକଟରେ ରାଜ୍ୟ ସରକାର ନିଜେ ଗ୍ୟାରେଣ୍ଟି ପଡିଛନ୍ତି। ଏହି ସରକାରୀ ଗ୍ୟାରେଣ୍ଟିର ସମୟସୀମା ୮ମାସ ରଖାଯାଇଛି ଓ ଚିନି ବିକ୍ରି ଲବ୍ଧ ଅର୍ଥରୁ ଏହାକୁ ସଂସ୍ଥା ପରିଶୋଧ କରିବ।

ଓଡ଼ିଶା କୃଷି ଯନ୍ତ୍ରୀଙ୍କ ଚାକିରି ନିୟମ, ୨୦୧୮କୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। କୃଷି ଯନ୍ତ୍ରୀ ସେବା କ୍ୟାଡରର ସୁଦୃଢୀକରଣ କରାଯାଇଛି। ପୂର୍ବରୁ ଥିବା ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ସହିତ ନୂତନ ଭାବେ ସରକାରୀ ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ (ବର୍ଗ-୧ ଓ ବର୍ଗ-୨) ଓ ମୁଖ୍ୟଯନ୍ତ୍ରୀ ଭଳି ପଦବିକୁ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରାଯାଇଛି। ମୂଳ ପଦବିକୁ ସହକାରୀ କୃଷି ଯନ୍ତ୍ରୀ ପଦବି ରୂପେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟ ସମସ୍ତ ପଦବି ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବାର ବ୍ୟବସ୍ଥା ରହିଛି। କୃଷି ଯନ୍ତ୍ରୀ ସେବା କ୍ୟାଡ଼ର ନିଯୁକ୍ତି ଓ ପଦୋନ୍ନତି ପାଇଁ ଓଡ଼ିଶା କୃଷି ଯନ୍ତ୍ରୀ ଚାକିରି (ନିଯୁକ୍ତି ଓ ଚାକିରି ସର୍ତାବଳୀ) ନିୟମ, ୨୦୧୮ ପ୍ରଣୟନ ଆବଶ୍ୟକ ପଡିଲା ବୋଲି ବିଭାଗ କ୍ୟାବିନେଟ୍‌ରେ ଯୁକ୍ତି ରଖିଥିଲା। ଏଥିସହିତ ବର୍ତମାନ ପ୍ରଚଳିତ ଥିବା ଓଡ଼ିଶା କୃଷି ଯନ୍ତ୍ରୀ ଚାକିରି ନିୟମ, ୧୯୭୪କୁ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏହି ନୂତନ ନିୟମ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଜଳସଂପଦ ବିଭାଗ ଅଧୀନରେ ଥିବା କାଡ଼ା ନିର୍ଦେଶାଳୟ ଅଧୀନରେ କାମ କରୁଥିବା ସମସ୍ତ କୃଷି ଯନ୍ତ୍ରୀଙ୍କ ପାଇଁ ବି ଲାଗୁ ହେବ ବୋଲି କୁହାଯାଇଛି।

ଓଏସ୍‌ଜେ ଓ ଓଜେଏସ୍‌ ନିୟମାବଳୀ, ୨୦୦୭କୁ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ଏଣିକି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୧ ପ୍ରତିଶତ ବଦଳରେ ୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସେହିଭଳି ସେମାନଙ୍କ ପାଇଁ ସର୍ବୋଚ୍ଚ ବୟସ କୋହଳ ସୀମାକୁ ବର୍ତ୍ତମାନ ଥିବା ୫ବର୍ଷ ବଦଳରେ ୧୦ ବର୍ଷ କରାଯାଇଛି। କ୍ୟାବିନେଟ୍‌ ଆଜି କୋଷାଗାର ନିର୍ଦେଶକ ଓ ପରିଦର୍ଶକ ସମୀକ୍ଷକଙ୍କ ପାଇଁ ସେବା ନିୟମ (ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ ପଦ୍ଧତି), ୨୦୧୭କୁ ଅନୁମୋଦନ ଦେଇଛନ୍ତି। ଓଡ଼ିଶା ପଶୁ ଚିକିତ୍ସା ‘କ’ ବର୍ଗ ସେବା ନିଯୁକ୍ତି ସର୍ତାବଳୀ ନିୟମ, ୧୯୯୫ ସଂଶୋଧନ ପ୍ରସ୍ତାବ ପାରିତ ହୋଇଛି।

ଏହି ବର୍ଗ ଅଧୀନସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀମାନେ ରାଜ୍ୟ ସରକାରଙ୍କ ପ୍ରଣୀତ ପୁନର୍ଗଠିତ ସଂବର୍ଗ ବା କ୍ୟାଡରରେ ପଦୋନ୍ନତିର ସୁଯୋଗ ପାଇପାରିବେ। ବିଧାନସଭା ଶୀତ ଅଧିବେଶନ ସତ୍ରାବସାନକୁ ମଧ୍ୟ କ୍ୟାବିନେଟ୍‌ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର