ଭୁବନେଶ୍ବର: ରାଜ୍ୟରେ ଶୀତଳଭଣ୍ଡାର ନିର୍ମାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା’ ଯୋଜନାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ରାଜ୍ୟର ୫୮ଟି ସବ୍ଡିଭିଜନରେ ଅତି କମ୍ରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାରୁ ଏଥିରେ ଯେପରି ଅଧିକରୁ ଅଧିକ ବେସରକାରୀ ଉଦ୍ୟୋଗୀ ଆଗକୁ ଆସିବେ ସେଥିପାଇଁ ଆର୍ଥିକ ସହାୟତା ଅଜାଡ଼ି ଦେଇଛନ୍ତି। ଏପରିକି ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ବା ସର୍ବାଧିକ ୬.୫୦କୋଟି ପର୍ଯ୍ୟନ୍ତ ସବ୍ସିଡି ଦେବାକୁ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇ କହିଛନ୍ତି ଯେ ଅନୁସୂଚିତ ଜାତି, ଜନଜାତି, କିନ୍ନର, ମହିଳା ଯଦି ନୂତନ ଶୀଳତ ଭଣ୍ଡାର ନିର୍ମାଣ କରିବେ ସେଥିପାଇଁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ଓ ସର୍ବାଧିକ ସାଢ଼େ ୬କୋଟି ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ମିଳିବ। ଅନ୍ୟାନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜି ଖର୍ଚ୍ଚର ୫୦% ବା ସର୍ବାଧିକ ୬କୋଟି ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ମିଳିବ। ସେହିପରି ୬% ପର୍ଯ୍ୟନ୍ତ ସୁଧ ରିହାତି ମିଳିବ ଯେଉଁଥିରେ ଭାରତ ସରକାରଙ୍କର ୩% ଓ ରାଜ୍ୟର ୩% ସବସିଡି ସାମିଲ ଅଛି। ରାଜ୍ୟ ସରକାର ୪ଟି ସ୍ଲାବରେ ଏହି ଆର୍ଥିକ ସହାୟତା ଯୋଗାଇ ଦେବେ। ବ୍ୟାଙ୍କଗୁଡ଼ିକ ଦ୍ବାରା ୱାର୍କିଂ କ୍ୟାପିଟାଲ ଋଣ ଅନୁମୋଦିତ ସୀମା ଉପରେ ସୁଧ ଫେରସ୍ତ କରାଯିବ। ୧୦ଲକ୍ଷ ଟଙ୍କା ଋଣ ଉପରେ ୧୦୦%, ୧୦ରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୭୫%, ୫୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୫୦%, ୧କୋଟିରୁ ୫କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨୫% ସୁଧ ଫେରସ୍ତ କରାଯିବ।
ଏହାବାଦ୍ ୭ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କରେ ୫୦% ସବସିଡି ସରକାର ଯୋଗାଇ ଦିଆଯିବ। ଅଣକାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଯାଞ୍ଚ କରି ଚୟନ କରିବେ। ସେହି କ୍ଷେତ୍ରରେ ରାଜ୍ୟ ସରକାର ଦେଢ଼ କୋଟି ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବେ। ଏହି ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ବର୍ଷ ପାଇଁ ମୂଲ୍ୟାଙ୍କନ କରାଯାଇଛି ଓ ଏବାବଦରେ ୨୫୨କୋଟି ଟଙ୍କା ବରାଦ କରାଯାଇଛି।