ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଡ଼ିଶା ରାଜସ୍ବ ସେବା (ନିଯୁକ୍ତି) ନିୟମାବଳୀ, ୨୦୧୧ରେ ସଂଶୋଧନ କରିଛନ୍ତି। ଓଆର୍‌ଏସ୍ କ୍ୟାଡର୍‌କୁ ସୁଦୃଢ଼ କରିବା ପାଇଁ ଓଆର୍‌ଏସ୍‌ କ୍ୟାଡର୍‌ର ନିଯୁକ୍ତି ପ୍ରକ୍ରିୟାରେ କେତେକ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏଥିରେ ଓଡ଼ିଶା ରାଜସ୍ବ ସେବା (ନିଯୁକ୍ତି) ନିୟମାବଳୀ, ୨୦୧୧ର ନିୟମ ୪(ଗ) ଅନୁଯାୟୀ ଚୟନ ମାଧ୍ୟମରେ ଥିବା ଓଆର୍‌ଏସ୍ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦିଆଯିବ। ସେହିପରି ପଦବିର ଦୁଇ ତୃତୀୟାଂଶ ଓସିଏସ୍ ପରୀକ୍ଷା ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ କରାଯିବା ସହ ଏକ ତୃତୀୟାଂଶ ପଦବି ରାଜସ୍ବ କ୍ଷେତ୍ର କର୍ମଚାରୀ/ରାଜସ୍ବ ମନ୍ତ୍ରୀସ୍ତରୀୟ ଅମଲାମାନଙ୍କ ଦ୍ବାରା ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ। ଏହାଦ୍ବାରା ଅଣରାଜସ୍ବ ଅଧିକାରୀ ଓଆର୍‌ଏସ୍‌ ହୋଇପାରିବେନି। ଏହାସହ ଓଆର୍‌ଏସ୍‌ପି ନିୟମାବଳୀ, ୨୦୧୭ ଅନୁଯାୟୀ ଦରମା ମାଟ୍ରିକ୍ସ ସ୍ତର-୯ କିମ୍ବା ତା’ଠାରୁ ଅଧିକ ଦରମା ସ୍କେଲ୍‌ରେ ୬ବର୍ଷ ସେବା ପୂରଣ କରିଥିବା ରାଜସ୍ବ କ୍ଷେତ୍ର କର୍ମଚାରୀ ଏବଂ ରାଜସ୍ବ ମନ୍ତ୍ରୀସ୍ତରୀୟ ଅମଲା କ୍ୟାଡର୍‌କୁ ପଦୋନ୍ନତି ମାଧ୍ୟମରେ ଓଆର୍‌ଏସ୍‌ କ୍ୟାଡର୍‌ରେ ସାମିଲ କରାଯିବ। ଏଥିରେ ଓଡ଼ିଶା ରାଜସ୍ବ ସେବା (ନିଯୁକ୍ତି) ନିୟମାବଳୀ, ୨୦୧୧ ନିୟମ-୬ ଅନୁଯାୟୀ ବୟସ ସୀମା ୫୩ବର୍ଷରୁ ୫୦ବର୍ଷକୁ ହ୍ରା‌ସ କରାଯିବ। 

Advertisment

ରାଜସ୍ବ କ୍ଷେତ୍ର କର୍ମଚାରୀ ହେବେ ଓଆର୍‌ଏସ୍ ଅଧିକାରୀ

ସୂଚନାଯୋଗ୍ୟ ଯେ ଓଡ଼ିଶା ରାଜସ୍ବ ସେବା (ନିଯୁକ୍ତି) ନିୟମାବଳୀ, ୨୦୧୧ ଅନୁଯାୟୀ ଓଆର୍‌ଏସ୍‌ କ୍ୟାଡରର ୫୦% ପଦବି ଓପିଏସ୍‌ସି ଦ୍ବାରା ପରିଚାଳିତ ମିଳିତ ପ୍ରତିଯୋଗିତାମୂଳକ ପରୀକ୍ଷା ମାଧ୍ୟମରେ ‘ପ୍ରତ୍ୟକ୍ଷ ନିଯୁକ୍ତି’ ଦ୍ବାରା ପୂରଣ କରାଯାଏ। ବଳକା ପଦବିର ୪୦% ପଦବି ରାଜସ୍ବ ପୃଷ୍ଠଭୂମିର ଅଧିକାରୀମାନଙ୍କ ଦ୍ବାରା ପଦୋନ୍ନତି ମାଧ୍ୟମରେ ଓ ଅବଶିଷ୍ଟ ୧୦% ବିଭିନ୍ନ ଅଣରାଜସ୍ବ ପୃଷ୍ଠଭୂମିର ଅଧିକାରୀମାନଙ୍କ ଦ୍ବାରା ଚୟନ ମାଧ୍ୟମରେ ପୂରଣ କରାଯାଉଛି। ସେହିପରି ଆଜି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଆୟୁଷ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨୫ ପ୍ରଣୟନ କରିଛନ୍ତି। ଆୟୁଷ ସହାୟକ କ୍ୟାଡର୍‌ର ପୁନର୍ଗଠନ ଦ୍ବାରା ୩୫୦ଟି ବରିଷ୍ଠ ଆୟୁଷ ସହାୟକ ପଦବି ଏବଂ ୧୨ଟି ମୁଖ୍ୟ ଆୟୁଷ ସହାୟକ ପଦବି ଓଆର୍‌ଏସ୍‌ପି ନିୟମାବଳୀ, ୨୦୧୭ ଅନୁଯାୟୀ ଯଥାକ୍ରମେ ବେତନ ଲେଭେଲ୍ ୭ ଓ ବେତନ ଲେଭେଲ୍ ୯ରେ ସୃଷ୍ଟି କରାଯାଇଛି। ଓଡ଼ିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା (ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ, ୧୯୮୪ରେ ସଂଶୋଧନ କରାଯାଇଛି। ଏହାଦ୍ବାରା ସହକାରୀ ନିର୍ଦ୍ଦେଶକ (ମୂଳ ପଦବି)ମାନଙ୍କୁ ପଦବିରେ ସ୍ଥାୟୀକରଣ ନିମନ୍ତେ ବିଭାଗୀୟ ପରୀକ୍ଷାରେ ପାସ୍‌ ହେବାକୁ ପଡ଼ିବ। ବିଭାଗୀୟ ପରୀକ୍ଷା ନିମନ୍ତେ ପାଠ୍ୟକ୍ରମ‌ର ପେପର୍‌-୧ (ଆଇନ)ରେ ସଂଶୋଧନ ନିମନ୍ତେ ପ୍ରସ୍ତାବ ଅନୁମୋଦନ ହୋଇଛି। ଓଡ଼ିଶା ରାଜ୍ୟ ବିଧି ଆୟୋଗ ସମ୍ପର୍କିତ ମାର୍ଚ୍ଚ ୧୬, ୨୦୧୬ରେ ପ୍ରକାଶ ପାଇଥିବା ସଂକଳ୍ପରେ ସଂଶୋଧନ କରାଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ବିଧି ଆୟୋଗର ସଭାଧ୍ୟକ୍ଷ ପୂର୍ବରୁ ସେବାରତ ଥିବା ସମୟରେ ତାଙ୍କୁ ମିଳୁଥିବା ଭତ୍ତା ଓ ସେବାର ଅନ୍ୟ ସର୍ତ୍ତାବଳୀ ଲାଗୁ ହେବ। ତାଙ୍କର ନିଯୁକ୍ତି ପରେ ଏହା ବଦଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।