କ୍ୟାବିନେଟ୍‌ ନିଷ୍ପତ୍ତି ନୂଆ ଭାରତର ଭବିଷ୍ୟତକୁ ସଶକ୍ତ କରିବ: ଧର୍ମେନ୍ଦ୍ର

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ
ଏନ୍‌ଆର୍‌ଏ ଗଠନ ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା‌େର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ରୁଟ୍‌ମେଣ୍ଟ୍ ଏଜେନ୍ସି(ଏନ୍‌ଆର୍‌ଏ) ଗଠନର ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ସେ ଐତିହାସିକ ନିଷ୍ପତ୍ତି ଭାବେ ବର୍ଣ୍ଣନ କରିବା ସହ ଏହା ନୂଆ ଭାରତର ଭବିଷ୍ୟତକୁ ସଶକ୍ତ କରିବ ବୋଲି କହିଛନ୍ତି।

କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଆଜିର କ୍ୟାବିନେଟ୍ ବୈଠକରେ ଅନ୍‌ଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (କମନ୍ ଏଲିଜିବିଲ୍‌ଟି ଟେଷ୍ଟ୍‌) କରିବା ନିମନ୍ତେ ନ୍ୟାସନାଲ୍ ରିକ୍ରୁଟ୍‌ମେଣ୍ଟ୍ ଏଜେନ୍ସି ଗଠନ ହେବ ବୋଲି ଐତିହାସିକ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅଣ ଗେଜେଟେଡ୍ ପଦବି ପାଇଁ ଏନ୍‌ଆର୍‌ଏର ପରିଚାଳନାରେ ଏକକ ଅନଲାଇନ୍ ପ୍ରବେଶିକା ପରୀକ୍ଷା ହେବ। ଏହି ନିଷ୍ପତ୍ତି ଚାକିରି ଆଶାୟୀ ଏବଂ ବିଶେଷ ଭାବରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ। ଏହା ସହ ଛାତ୍ରଛାତ୍ରୀଙ୍କ ଅର୍ଥ ଓ ସମୟ ବଞ୍ଚିପାରିବ। ପ୍ରତି ବର୍ଷ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ୨.୫ କୋଟିରୁ ଉର୍ଦ୍ଧ୍ୱ ଆଶାୟୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଏହି ନିଷ୍ପତ୍ତି ସହାୟକ ହେବ।

ଏହା ବାଦ୍ ଚାଷୀଙ୍କ ସମସ୍ୟାକୁ ଦୂର କରିବାରେ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିବାରୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ)କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆଖୁର ଏଫଆରପି (ଫେୟାର ଏଣ୍ଡ ରିମୁନେରେଟିଭ ପ୍ରାଇସ) ତଥା ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୧ କୋଟିରୁ ଉର୍ଦ୍ଧ୍ୱ ଆଖୁଚାଷୀ ଉପକୃତ ହେବେ । କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଦିଗରେ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି। ଏହା ମୋଦୀ ସରକାରଙ୍କର ଦେଶର ବିକାଶ କ୍ଷେତ୍ରରେ ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି।

ସମ୍ବନ୍ଧିତ ଖବର