ଜଳେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ତାର ସାଙ୍ଗଠନିକ ସ୍ଥିତି ଆହୁରି ମଜବୁତ କରିବା ପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ୧୦ରୁ ଊର୍ଦ୍ଧ୍ବ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଓ ଦଳର ମଙ୍ଗୁଆଳମାନଙ୍କୁ ନିରାଶ କରିଥିବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଇ ନୂଆମୁହଁଙ୍କୁ ସାମିଲ କରାଯିବ ବୋଲି ପାଵାର କରିଡରରେ ଚର୍ଚ୍ଚା। କେଉଁ ଜିଲ୍ଲାରୁ କିଏ ବାଦ୍ ପଡ଼ିବେ ଓ କିଏ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ତାହା ରାଜନୈତିକ ତଥ୍ୟାଭିଜ୍ଞ ମହଲକୁ ଆଲୋଚନାର ଖୋରାକ ଯୋଗାଇଛି।

Advertisment

ବାଲେଶ୍ବର ଜିଲ୍ଲାରେ ବିଜେଡିର ଗଡ଼ଭାବେ ସାଧାରଣତଃ ଉତ୍ତର ବାଲେଶ୍ବରକୁ ହିଁ ବୁଝାଏ। ଏହି ଅଞ୍ଚଳର ୩ଟି ଯାକ ବିଧାନସଭା ଆସନ ଏବେ ବିଜେଡି କବଜାରେ ରହିଛି। ଜଳେଶ୍ବରୁ ଅଶ୍ୱିନୀ କୁମାର ପାତ୍ର, ଭୋଗରାଇରୁ ଅନନ୍ତ ଦାସ ଓ ବସ୍ତାରୁ ନିତ୍ୟାନନ୍ଦ ସାହୁ ବିଧାୟକ ଭାବେ ରହିଛନ୍ତି। ତେବେ ଯଦି ଏଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଉତ୍ତର ବାଲେଶ୍ବରରୁ କହାକୁ ପ୍ରତିନିଧିତ୍ବର ସୁଯୋଗ ମିଳେ ତେବେ ଉପରୋକ୍ତ ୩ ନେତାଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ କାହା ଉପରେ ଆସ୍ଥା ପ୍ରକଟ କରିବେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ବରିଷ୍ଠତା ଓ ଆନୁଗତ୍ୟ ଦୃଷ୍ଟିରୁ ଭୋଗରାଇ ବିଧାୟକ ଅନନ୍ତ ଦାସ ମନ୍ତ୍ରୀପଦ ପାଇଁ ସବୁଠାରୁ ବଡ଼ ଦାବିଦାର କୁହାଯାଉଥିଲେ ମଧ୍ୟ ତାଙ୍କ ବୟସ ଓ ଅସୁସ୍ଥତା ଏବଂ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ପୁଅ ନିର୍ବାଚନ ହାରିବା ଘଟଣା ଅନ୍ତରାୟ ହୋଇପାରେ। ସେହିପରି ବସ୍ତା ବିଧାୟକ ମଧ୍ୟ ବୟସ ଦୃଷ୍ଟିରୁ ଦଳର ସାଙ୍ଗଠନିକ କାର୍ଯ୍ୟ ପରିଚାଳନା ଓ ତାଙ୍କ ନିର୍ବାଚନମଣ୍ଡଳୀରେ ଲୋକସମ୍ପର୍କ ଓ ବିକାଶମୂଳକ କାମରେ ବେଶ ପଛରେ ଥିବା ଖୋଦ ତାଙ୍କ ଦଳର ନେତାମାନେ ଅଭିଯୋଗ କରି ଆସୁଛନ୍ତି। ୨୦୧୭ ଓ ୨୦୨୨ ପଞ୍ଚାୟତ ନିର୍ବାଚନରେ ବାଲିଆପାଳ ପଞ୍ଚାୟତ ସମିତି ଲଗାତାର ଦୁଇ ଦୁଇଥର କଂଗ୍ରେସ ଦଖଲରେ ରହିବା ନିତ୍ୟାନନ୍ଦଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ସେହି ଦୃଷ୍ଟିରୁ ଦଳର ହାଇକମାଣ୍ଡ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସମ୍ଭାବନା କମ୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଜଳେଶ୍ବର ବିଧାନସଭା କ୍ଷେତ୍ରରୁ ଚାରି ଚାରିଥର ବିଧାୟକ ହୋଇଥିବା ଅଶ୍ବିନୀଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ସାଧାରଣରେ ଏବେ ଆଲୋଚନା ଜୋର ଧରିଛି। ଏପରିକି ଅଶ୍ବିନୀଙ୍କୁ ମନ୍ତ୍ରିମଣ୍ଡଳରେ ଦାୟିତ୍ବ ମିଳୁ ବୋଲି ନିକଟତମ ମହଲ ଦାବି କରିବା ସହ  ଆଶା ବାନ୍ଧି ବସିଛନ୍ତି। ୧୯୮୪ ମସିହାରୁ ସକ୍ରିୟ ରାଜନୀତିରେ ପାଦ ଥାପିଥିବା ଅଶ୍ବିନୀଙ୍କ ଦୀର୍ଘ ୩୮ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି। ପଞ୍ଚାୟତ ସମିତିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ଅଶ୍ବିନୀ ଜଣ ଦକ୍ଷ ଅଣକଂଗ୍ରେସ ନେତା ଭାବେ କେବଳ ଜଳେଶ୍ବର ନୁହେଁ ସମଗ୍ର ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛନ୍ତି।୧୯୮୦ ଓ ୧୯୯୦ ମସିହାରେ ସେ ବିଧାନସଭାକୁ ଦୁଇ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ମିଶିଥିଲେ।

ଏହାପରେ ସେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସବୁଠାରୁ ବଡ଼କଥା ଅଶ୍ବିନୀଙ୍କ ବିଜେଡିରେ ଯୋଗଦାନ ପରଠାରୁ କଂଗ୍ରେସର ଦୁର୍ଗ କୁହାଯାଉଥିବା ଜଳେଶ୍ବରରେ ବିଜେଡି ଶକ୍ତିଶାଳୀ ହୋଇପାରିଛି। କଂଗ୍ରେସ ଦଖଲରେ ଥିବା ପଞ୍ଚାୟତ ସମିତିକୁ ୨୦୧୭, ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଲଗାତାର ଦୁଇ ଦୁଇଥର ଦଖଲ କରିଛି। ପୁଣି ୨୦୨୨ ପୌର ନିର୍ବାଚନରେ ମଧ୍ୟ ଜଳେଶ୍ବର ପୌର ପରିଷଦ ବିଜେଡି ଦଖଲ କରିବା ଅଶ୍ବିନୀଙ୍କ ସଫଳ ରାଜନୈତିକ ଗୋଟି ଚାଳନା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ରାଜ୍ୟ ଓ ଜିଲ୍ଲା ରାଜନୀତିରେ ଜଣେ ନିର୍ବିବାଦୀୟ ରାଜନେତା ଭାବେ ଅଶ୍ବିନୀଙ୍କ ଛବି ରହିଥିବାରୁ ତାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଉ ବୋଲି ତାଙ୍କର ଅନୁଗତମାନେ ଦାବି କରୁଛନ୍ତି।

ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ ପ୍ରକୃତରେ ଉତ୍ତର ବାଲେଶ୍ବରକୁ ସୁଯୋଗ ଦେବେ କି ନାହିଁ; ପୁଣି ଯଦି ଦେବେ ତେବେ ଉପରୋକ୍ତ ୩ଟି ନିର୍ବାଚନମଣ୍ଡଳୀର କେଉଁ ନେତାଙ୍କୁ ଦେବେ ତାହା ତାଙ୍କ ଇଚ୍ଛାଧୀନ ହୋଇଥିଲେ ମଧ୍ୟ ସାଧାରଣରେ ଏଭଳି ଚର୍ଚ୍ଚା, ଆଲୋଚନା ଚାଲିଛି।