ଭୁବନେଶ୍ବର : ଓଡ଼ିଶାର ୪.୫ କୋଟି ଜନସାଧାରଣ ଆମକୁ ଆଶୀର୍ବାଦ କରି ସେବା କରିବା ପାଇଁ ଆଉ ଥରେ ସୁଯୋଗ ଦେଇଛନ୍ତି। ମୁଁ ସେମାନଙ୍କର ପାଖରେ ଚିର ଋଣୀ। ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାରରେ େଦଇଥିବା ପ୍ରତିଶ୍ରୁତିକୁ ନୀତିଗତ ଭାବେ ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଭାବେ ପୂରଣ କରିବୁ।
ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ଦିନରେ ଅନୁଷ୍ଠିତ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ମନ୍ତ୍ରୀମାନଙ୍କୁ ଏଭଳି ଭାଷାରେ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ହାଲ୍କା ତାଗିଦ୍ କରି ସେ କହିଲେ, ଆଜିଠାରୁ ଠିକ୍ ୩୬୫ ଦିନ ପରେ ଅର୍ଥାତ୍ ୨୦୨୦ ମେ’ ୨୯ ତାରିଖରେ ଆମେ ଲୋକଙ୍କୁ ପାଖକୁ ଯିବୁ। ଆମର ପ୍ରତିଶ୍ରୁତି ଓ ସେଗୁଡ଼ିକର କାର୍ଯ୍ୟାନ୍ବୟନ ସଂପର୍କରେ ସେମାନଙ୍କୁ ରିପୋର୍ଟ ଦେବୁ। ପ୍ରତିଶ୍ରୁତି ପାଳନ ପାଇଁ ସମୟ ଲାଗେ। କିନ୍ତୁ ସବୁ ମନ୍ତ୍ରୀ ଏହି ପ୍ରତିଶ୍ରୁତିଗୁଡ଼ିକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ନିଜ ନିଜର ଶ୍ରେଷ୍ଠ ଉଦ୍ୟମ କରିବା ଦରକାର।
ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ କରିବାକୁ ମନ୍ତ୍ରୀମାନଙ୍କୁ ଅଭିମନ୍ତ୍ରିତ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଲେ, ନୂଆ ଓଡ଼ିଶାରେ ଦାରିଦ୍ର୍ୟ ପ୍ରସଙ୍ଗ ଅତୀତର ପୃଷ୍ଠାରେ ଲୀନ ହୋଇଯିବା ଦରକାର। ସଶକ୍ତ ଓଡ଼ିଶାରେ ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାବେ ଅଂଶୀଦାର ହେବେ। ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବେ। ଯୁବ ସମାଜର ସ୍ବପ୍ନର ସଫଳ ରୂପାୟନ ହେବ। ସର୍ବୋପରି ସାରା ବିଶ୍ବ ଓଡ଼ିଶାର ବିକାଶର ପରିଭାଷାକୁ ବୁଝିପାରିବ।
ଏହା ପୂର୍ବରୁ ନବୀନ ସରକାର ଟିମ୍ ୱାର୍କ-ଦଳଗତ କାର୍ଯ୍ୟ, ଟ୍ରାନ୍ସପରେନ୍ସିଂ-ସ୍ବଚ୍ଛତା ଓ ଟେକ୍ନୋଲୋଜି- ବୈଷୟିକ ଜ୍ଞାନ ଭଳି ତିିନୋଟି ‘ଟି’ର ମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଜି ପଞ୍ଚମ ପାଳିର ସରକାର ଗଠନ ଅବସରରେ ସେ ଆଉ ୨ଟି ‘ଟି’ଯୋଡ଼ିଛନ୍ତି। ତାହା ହେଉଛି ପରିବର୍ତନ(ଟ୍ରାନ୍ସଫର୍ମେସନ୍)। ଓଡ଼ିଶା ସେହି ପରିବର୍ତନ ଦିଗକୁ ଅଗ୍ରସର ହେଉଛି। ଏହା ସହିତ ପଞ୍ଚମ ପରିମାପକ(ଡାଇମେନ୍ସନ୍) ଭାବେ ସେ ‘ସମୟ’କୁ ଯୋଡ଼ିଛନ୍ତି। ସେ କହିଲେ ଯେ ‘ସମୟ’ ଆଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଉଠିଛି। ଆଜିର ଯୁବ ସମାଜ ଯେ କୌଣସି କାର୍ଯ୍ୟ ତୁରନ୍ତ ସଂପାଦନ କରିବାକୁ ଚାହାନ୍ତିି।
ଉଦାହରଣ ଜରିଆରେ ଏହାକୁ ବ୍ୟାଖ୍ୟା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାତ୍ୟା ଫନିର ସୁପରିଚାଳନା ପାଇଁ ଆନ୍ତର୍ଜାତୀୟ ରାଜ୍ୟ ସରକାରଙ୍କୁ ମାନ୍ୟତା ମିଳିଛି। ଏହି ସଫଳତା ପଛର କାରଣ ହେଉଛି, ଉଚିତ ସମୟରେ ଜନସାଧାରଣଙ୍କ ସ୍ଥାନାନ୍ତର କରାଯାଇଥିଲା। ସେହିପରି ମାତ୍ର ୯୦ ଦିନ ମଧ୍ୟରେ ଏସିଆନ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ କରାଯାଇଥିବା ବେଳେ ୩୦ ଲକ୍ଷ ମହିଳାଙ୍କୁ ମିସନ ଶକ୍ତିରେ ସାମିଲ, ୧୫ ଦିନରେ କାଳିଆ ଭଳି ଐତିହାସିକ ଯୋଜନା ଓ ୩୦ ଦିନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇପାରିଛି। ଏ ସବୁ କାର୍ଯ୍ୟକ୍ରମରେ ଗତିଶୀଳତା ଆବଶ୍ୟକ। ଏହା ହିଁ ଲୋକେ ସରକାରଙ୍କଠାରୁ ଆଶା କରନ୍ତିି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ଆଜି ବିଜେଡି ସମଗ୍ର ଦେଶରେ ଯେଉଁ କୀର୍ତିମାନ ଅର୍ଜନ କରିଛି, ତା’ର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର। ବୈଠକ ପରେ ଉଭୟ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀମାନେ ସେମାନେ ପାଇଥିବା ନୂଆ ନୂଆ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/cabinate-1.jpg)