ମୁଖ୍ୟମନ୍ତ୍ରୀ ନବୀନ ନିବାସରେ, ୪ ମନ୍ତ୍ରୀ ସଚିବାଳୟରେ

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଧନ୍ୟବାଦ
ଅସୁସ୍ଥ ପ୍ରଫୁଲ୍ଲଙ୍କୁ ବୈଠକକୁ ବାରଣ
ନବ ଝାରସୁଗୁଡ଼ାରେ, ସୁଦାମ ମୟୂରଭଞ୍ଜ ଓ ନିରଞ୍ଜନ ସୋନପୁରରେ ବସିଲେ
କରୋନା ମୁକାବିଲା ସଂକ୍ରାନ୍ତ ନିଷ୍ପତ୍ତି ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ବର : ଅତି ମାରାତ୍ମକ କରୋନା କାରଣରୁ ଯେଭଳି ମହାପ୍ରଭୁଙ୍କ ସିଂହଦ୍ବାର ଭକ୍ତଙ୍କୁ ମନା ହୋଇଛି, ରୁକୁଣା ରଥଯାତ୍ରା ଉପରେ କଟକଣା ଲାଗିଲା, ପ୍ରଥମ ଥର ପାଇଁ ସରକାର ଉତ୍କଳ ଦିବସ ପାଳନ କଲେ ନାହିଁ, ଲୋକସେବା ଭବନରେ ବିଧାନସଭାର ସ୍ବତନ୍ତ୍ର ବୈଠକ ବସିଲା, ସେମିତି ଆଜି ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଭିଡଓ କନଫରେନ୍ସିଂରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୯ଟି ପ୍ରସ୍ତାବ ଉପରେ ସରକାରୀ ମୋହର ଲାଗିଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ନିଷ୍ପତ୍ତି ଭିଡିଓ କନଫରେନ୍ସିଂ ଯୋଗେ ସୂଚାଇଥିଲେ। ପରେ ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ।

ଆଜି କ୍ୟାବିନେଟ୍ ରୂପରେଖ ଥିଲା ଏମିତି। ପୂର୍ବରୁ ଲୋକସେବା ଭବନରେ ଅନୁଷ୍ଠିତ ବିଧାନସଭା ବୈଠକର ବ୍ୟୟମଞ୍ଜୁର ବିଲ୍ ପାରିତ ହେବା ବେଳେ ଅନୁପସ୍ଥିତ ଥିଲେ। ଆଜି ସେମିତି ତୃତୀୟ ମହଲାରେ ଥିବା କ୍ୟାବିନେଟ ବୈଠକ ପ୍ରକୋଷ୍ଠରେ ନ ଥିଲେ ମୁଖ୍ୟମନ୍ତ୍ରୀ। ସେ ବସିଥିଲେ ନବୀନ ନିବାସରେ। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପଦ୍ମନାଭ ବେହେରା, ଅରୁଣ ସାହୁ ଓ ପ୍ରତାପ ଜେନା ସଚିବାଳୟ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବସିଥିଲେ। ତାଙ୍କ ସହିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍, ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର, ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରମୁଖ।

ସଚିବାଳୟକୁ ଆସିଥିଲେ ପୂର୍ତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସେ ଅସୁସ୍ଥ ଥିଲେ। ସେ ପ୍ରବଳ ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି। ତାଙ୍କୁ ମନା କରି ଦିଆଯାଇଥିଲା ଓ ସେ ଫେରିଯାଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବସିଥିଲେ ଝାରସୁଗୁଡାରେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଂଜ ଜିଲ୍ଲାରେ ଓ ସୋନପୁରରେ ଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏମିତି..।

ପ୍ରଥମେ ରାଜ୍ୟବାସୀ ଯେଭଳି ସହଯୋଗ ଦେଇଛନ୍ତି, ତାହାକୁ ପ୍ରଶଂସା କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। ଏହି ପର୍ବ ସରିବା ପରେ କରୋନାର ବର୍ତମାନ ସ୍ଥିତି ସଂପର୍କରେ କ୍ୟାବିନେଟ୍ ସଚିବ ବା ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ମନ୍ତ୍ରିମଣ୍ଡଳକୁ ଜଣାଇଥିଲେ। ପାଵାର ପଏଣ୍ଟରେ ରାଜ୍ୟ ସରକାର ଏଯାଏ କି କି ପଦକ୍ଷେପ ନେଇଛନ୍ତି ସେ ସଂପର୍କରେ ଅବଗତ କରାଇଥିଲେ। ଏହା ପରେ ଗୋଟି ଗୋଟି କରି ୯ଟି ଯାକ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା। ଏହି ପର୍ବ ସରିବା ପରେ ମୁଖ୍ୟମନ୍ତ୍ରୀ ଏକ ଦୀର୍ଘ ସାଢ଼େ ଚାରିମିନିଟ୍ ଧରି ଏହି ଲମ୍ବା ବକ୍ତବ୍ୟ ରଖି ନିଷ୍ପତ୍ତି ଶୁଣାଇଥିଲେ। ଆଉ ଶେଷ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ।

ସମ୍ବନ୍ଧିତ ଖବର