ସଚିବାଳୟରେ କ୍ୟାବିନେଟ ବୈଠକ ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଅନୁମାନ କରାଯାଉଛି। ବନ୍ୟଜନ୍ତୁ ଅଧିନିୟମ, ଶୀତକାଳୀନ ଅଧିବେଶନ, ଓଡ଼ିଶା ରାଜସ୍ୱ ସେବା ଅଧିନିୟମ, ସାମାଜିକ କଲ୍ୟାଣ ଅଧିନିୟମ ଆଦି ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଗୁରୁବାର ଅପରାହ୍ଣ ୧୧ଟାରେ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବିସବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ ୪୭୩ଟି ୩୩/୧୧ କେଭି ସବଷ୍ଟେସନ ସହ ୩୩ଟି କେଭି ଓ ୧୧କେଭି ଲାଇନ ପାଇଁ ୨୬୦୦ କୋଟି ଟଙ୍କାରୁ ୩୮୪୩କୋଟି ଟଙ୍କା ମଞ୍ଜୁରି ପାଇଁ ବନ୍ଦୋବସ୍ତ କରାଯିବ। ସେହିପରି ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ରାଶି ବଢ଼ାଯିବାର ଯୋଜନା ରହିଛି। ଓ୍ଵାଇଲ୍ଡ ଲାଇଫ ପ୍ରୋଟେକ୍ସନ (ଓଡ଼ିଶା) ରୁଲ, ୧୯୭୪ରେ ସଂଶୋଧନ ନେଇ ଏକ ପ୍ରସ୍ତାବ କ୍ୟାବିନେଟରେ ଆଗତ ହେବ ବୋଲି ଆଶା ରଖାଯାଇଛି।

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଟେଣ୍ଡର ମଞ୍ଜୁରି, ଓଡ଼ିଶା ରାଜସ୍ୱ ସେବା(ଆଇଆରଏସ୍‌) ରୁଲ, ୨୦୧୧ ସଂଶୋଧନ, ଓଡ଼ିଶା ବିଧାନସଭାର ଏକାଦଶ ଅଧିବେଶନର ପାଇଁ ପ୍ରସ୍ତାବ ବୈଠକରେ ଗୃହୀତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର