ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ବୈଠକ ଶେଷ, ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ବେଳେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି| ଏଥିରେ ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନକୁ ଅନୁମୋଦନ କରାଯାଇଥିବା ଜଣାଯାଇଛି।

କ୍ୟାବି‌ନେଟରେ ଆଜି ଅନୁକମ୍ପାମୂଳକ ସହାୟତା ଯୋଜନାରେ ଚାକିରି ନିୟମରେ ସଂଶୋଧନକୁ ବି ମଞ୍ଜୁରି ପ୍ରଦାନ କରାଯାଇଛି | ତାହା ଅନୁଯାୟୀ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଆର୍ଥିକ ସ୍ଥିତି ଅନୁସାରେ ଚାକିରି ଦିଆଯିବା ନେଇ ବ୍ୟବସ୍ଥା କରାଯିବ | ମୃତ୍ୟୁ ପରେ ପରିବାରର ଜଣଙ୍କୁ ଚାକିରି ଦିଆଯିବା ନିଷ୍ପତ୍ତି ହୋଇଛି।

ସେହିପରି ଦୁଇଟି ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ବି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ସୁନ୍ଦରଗଡ଼ର ୩ଟି ବ୍ଲକ୍‌ରେ ସବୁ ଗାଁକୁ ପାଣି ଯୋଗାଣକୁ କ୍ୟାବିନେଟର ମଞ୍ଜୁରି ମିଳିଛି। ଏହି ଜଳ ଯୋଗାଣ ପ୍ରକଳ୍ପ ବାବଦରେ ମୋଟ୍ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିମଧ୍ୟରୁ କେବଳ କୁଆଁରମୁଣ୍ଡା ବ୍ଲକରେ ପ୍ରକଳ୍ପ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାଦ୍ବାରା ୨ ଲକ୍ଷ ଲୋକ ଉପକୃତ ହେବେ ବୋଲି କୁହାଯାଇଛି।

ଏହାସହ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି । ଓଡିଶା ଖଣି ନିଗମ ଲିଃ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ, ସେହିମାନେ ୫ ବର୍ଷରୁ ଅଧିକ ଦୀର୍ଘ ମିଆଦି ଖଣିଜ ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ । ଏହାଦ୍ୱାରା ଓଡ଼ିଶା ଖଣି ନିଗମ ଜରିଆରେ ଅଧିକ ଖଣିଜ ଦ୍ରବ୍ୟ ଉତ୍ତୋଳନ ହେବ । ସେହିଭଳି ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣିପଟ୍ଟା ରହିଛି,ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଦ୍ୱାରା କ୍ରୋମ ଭଳି ଦଷ୍ପ୍ରାପ୍ୟ କଞ୍ଚାମାଲର  ଉପଯୁକ୍ତ ବଜାର ଦର ନିର୍ଧାରଣ କରିହେବ ।

ଏହାଛଡ଼ା ସଫ୍ଟୱେର ଟେକ୍ନୋଲଜି ପାର୍କ ପାଇଁ ୩ ଏକର ଯାଏଁ ପ୍ରିମିୟମ୍ ମାଗଣା ଓ ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନକୁ ବି କ୍ୟାବିନେଟର ମଞ୍ଜୁରି ମିଳିଥିବା ସଂପର୍କରେ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର