ବ୍ରହ୍ମପୁର : ସରିଛି ପଞ୍ଚାୟତ ଓ ପୌର ନିର୍ବାଚନ। ଲୋକପ୍ରିୟତା ପ୍ରମାଣ କରିବାରେ ମଧ୍ୟ ଏହି ନିର୍ବାଚନରେ ବିଜେଡି ରାଜ୍ୟରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ନିର୍ବାଚନ ସରିବା ପରେ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗ ନେଇ ସବୁ ମହଲରେ ଆରମ୍ଭ ହୋଇଛି ଅଙ୍କକଷା। କେଉଁ ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ କିଛି କହି ହେବ ନାହିଁ। ତେବେ ମନ୍ତ୍ରୀ ପଦ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ମାପକାଠି କରା ଯାଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଯେଉଁ ବିଧାୟକ ନିଜ ନିର୍ବାଚନମଣ୍ଡଳୀରେ ଦମ୍ଦାର୍ ପ୍ରଦର୍ଶନ କରିଛନ୍ତି, ସମ୍ପୃକ୍ତ ବିଧାୟକଙ୍କ ନାଁ ମନ୍ତ୍ରୀ ପଦ ଦୌଡ଼ରେ ରହିଛି। ସେହି ଦୃଷ୍ଟିରୁ ଦେଖିଲେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାକୁ ନେଇ ଚର୍ଚ୍ଚା ବେଶି।
ନିର୍ବାଚନୀ ସଫଳତା ଓ ଭୋଟ୍ହାର ଦଷ୍ଟିରୁ ମଧ୍ୟ ଜିଲ୍ଲାର ପ୍ରଦର୍ଶନ ଭଲ। ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବର୍ତ୍ତମାନ ବିକ୍ରମ ଆରୁଖଙ୍କୁ ଛାଡ଼ିଦେଲେ ଅନ୍ୟ କେହି ମନ୍ତ୍ରିମଣ୍ଡଳରେ ନାହାନ୍ତି। ଏଣୁ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ଜିଲ୍ଲାକୁ ଅଗ୍ରାଧିକାର ମିଳିବା ସମ୍ଭାବନା ରହଛି। ଗଞ୍ଜାମ ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ନୂଆ ଚେହେରା ଦେଖିବା ସମ୍ଭାବନା ନେଇ ସାଧାରଣରେ ଆଲୋଚନା ହେଉଛି।
ଗଞ୍ଜାମ ଜିଲ୍ଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟ ୧୨ଟି ନିର୍ବାଚନମଣ୍ଡଳୀରୁ ବିଭିନ୍ନ ସମୟରେ ବିଧାୟକମାନେ ମନ୍ତ୍ରୀ ପଦ ପାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାକୁ ମାତ୍ର ଗୋଟିଏ ମନ୍ତ୍ରୀ ପଦ ମିଳିଥିଲା। ଭଞ୍ଜନଗର ବିଧାୟକ ବିକ୍ରମ ଶେକରୀ ଆରୁଖ ମନ୍ତ୍ରୀ ଅଛନ୍ତି। ସେ ବର୍ତ୍ତମାନ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ଦାୟିତ୍ବରେ ରହିଛନ୍ତି। ସେହିପରି ୨୦୧୯ ଜୁନ୍ ମାସରେ ପୂର୍ବତନ ମନ୍ତ୍ରୀ ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ। ଗତ ସାଧାରଣ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ଜଣେ ମାତ୍ର ମନ୍ତ୍ରୀ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ଏକାଥରକେ ୩ରୁ ୪ଜଣ ମନ୍ତ୍ରୀ ପଦରେ ରହୁଥିଲେ।
ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ମନ୍ତ୍ରୀ ପଦ ଅଦଳବଦଳ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଧିକାଂଶ କ୍ଷେତ୍ରରେ ଯୁବବର୍ଗ ଓ ମହିଳାଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଛନ୍ତି। ଏହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ମନ୍ତ୍ରୀ ପଦ ଦୌଡ଼ରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନାଁ ଚର୍ଚ୍ଚା ହେଉଛି। ଏଥର ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଭାବେ ଏକ ନୂଆ ଚେହେରା ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି। ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ପୋଲସରା ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ନେତୃତ୍ବରେ ବିଜେଡି ଆଖିଦୃଶିଆ ସଫଳତା ପାଇଛି ଓ ପ୍ରାର୍ଥୀ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ପଞ୍ଚାୟତ ନିର୍ବାଚନରେ ପୋଲସରା ନିର୍ବାଚନମଣ୍ଡଳୀର ଉଭୟ ପୋଲସରା ଓ ବୁଗୁଡ଼ା ବ୍ଲକ୍ରେ ଥିବା ୬ଟି ଜିଲ୍ଲା ପରିଷଦ ଆସନ ଦଖଲ କରିଛି ବିଜେଡି। ସେହିପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ପୋଲସରା ଓ ବୁଗୁଡ଼ା ଏନ୍ଏସି ନିଜ ଅକ୍ତିଆରକୁ ନେଇଛି। ଏଣୁ ଗଞ୍ଜାମ ଜିଲ୍ଲାରୁ ମନ୍ତ୍ରୀ ପଦ ଦୌଡ଼ରେ ପୋଲସରା ବିଧାୟକ ଆଗରେ ରହିଥିବା ଚର୍ଚ୍ଚା ହେଉଛି। ନବୀନ ସରକାର ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲାରୁ ଜଣେ ମହିଳା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ଏହି ତାଲିକାରେ କବିସୂର୍ଯ୍ୟନଗର ବିଧାୟିକା ଆଗରେ ରହିଛନ୍ତି। ଅନ୍ୟତମ ଅଭିଜ୍ଞ ମହିଳା ବିଧାୟିକା ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀର ପାତ୍ରପୁର ବ୍ଲକ୍ ଓ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ବିଜେଡି ହାତରୁ ଚାଲି ଯାଇଥିବାରୁ ତାଙ୍କ ଆଶା କମ୍ ରହିଥିବା କୁହାଯାଉଛି।
୨୦୧୪ ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାରୁ ମନ୍ତ୍ରୀ ଆରୁଖଙ୍କ ସମେତ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ଚିକିଟି ବିଧାୟିକା ଉଷା ଦେବୀ, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ ରହିଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପରେ ବିକ୍ରମ ଆରୁଖ ଜିଲ୍ଲାରୁ ଜଣେ ମାତ୍ର ମନ୍ତ୍ରୀ ଭାବେ ପ୍ରତିନିଧିତ୍ବ କରୁଛନ୍ତି। ଅଦଳବଦଳ ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କ ପଦ ବଜାୟ ରଖିବେ ବୋଲି କୁହାଯାଉଛି। ବିଧାନସଭାରେ ଆଉ ଦୁଇ ବର୍ଷ କାର୍ଯ୍ୟକାଳ ବାକି ଥିବାରୁ ସୂର୍ଯ୍ୟ ପାତ୍ରଙ୍କୁ ପୁଣି ଥରେ ମନ୍ତ୍ରୀ ପଦ ମିଳିପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ଏହା ବ୍ୟତୀତ ଏଥର ଗଞ୍ଜାମ ଜିଲ୍ଲାକୁ ଅତି କମ୍ରେ ଆଉ ଦୁଇଟି ମନ୍ତ୍ରୀ ପଦ ମିଳିବା ନେଇ ଆଶା କରାଯାଉଛି। ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର।