୧୧ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ୍ ଆସିବ

କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୩୬୫ କୋଟି ଖର୍ଚ୍ଚ ହେବ, କଳିଙ୍ଗ ଷ୍ଟାଡ଼ିୟମର ବି ବିକାଶ ହେବ, ୧୬ମାସରେ ସରିବ

ଭୁବନେଶ୍ବର: େଶଷରେ ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ବାଟ ଖୋଲିଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏସଂର୍କରେ ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁହେଁ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ-୨୦୨୧ ନାମରେ ଏହାର ନାମକରଣ କରାଯାଇଛି ଓ ଏ ସଂକ୍ରାନ୍ତ ବିଧେୟକ ଖୁବ୍ ଶୀଘ୍ର ବିଧାନସଭାକୁ ଆସିବ।

ଆଜି ବିଧାନସଭାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଅବଗତ କରିବା ପରେ ଏହି ସୂଚନା ମିଳିଛି। ଏଥିସହିତ ମୋଟ ୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲଗାଇଛନ୍ତି। ଏଥିରେ ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ରହିଛି। ରାଉରକେଲା ହକି ଷ୍ଟା଼ଡ଼ିୟମ ବ୍ୟତୀତ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମିର ମଧ୍ୟ ବିକାଶ ହେବ। ସରକାର କହିଛନ୍ତି ଯେ ରାଜ୍ୟରେ ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଅନୁଷ୍ଠାନର ପ୍ରଶାସନିକ ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଲାଗି ଏକ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଆବଶ୍ୟକ ଥିଲା। ଖୁବଶୀଘ୍ର ଏହି ବିେଧୟକ ବିଧାନସଭାରେ ଆସିବ। ଫଳରେ ଆଧୁନିକ ଔଷଧ, ମାନସିକ ରୋଗ, ଚିକିତ୍ସା, ଦନ୍ତ ଚିକିତ୍ସା, ହୋମିଓପ୍ୟାଥି, ଆୟୁର୍ବେଦ, ନର୍ସିଂ, ଫାର୍ମାସୀ, ପାରା ମେଡ଼ିକାଲ, ଫିଜିଓଥେରାପି ଓ ଆନୁଷଙ୍ଗିକ ମେଡ଼ିକାଲ ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷାଦାନ, ପ୍ରଶିକ୍ଷଣ ଓ ଗବେଷଣାକୁ ସୁନିଶ୍ଚିତ କରାଯିବ।

କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ବିକାଶ ଓ ରାଉରକେଲାରେ ଅନ୍ତର୍ଜାତୀୟ ମାନର ହକି ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବରେ ମୋହର ମାରିଛନ୍ତି କ୍ୟାବିନେଟ୍‌। ସରକାର କହିଛନ୍ତି ଯେ ଓଡ଼ିଶା ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍-୨୦୨୩ ଆୟୋଜକ ରହିଛି। ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବକପ୍‌ ମ୍ୟାଚ୍ ଖେଳାଯିବ। ରାଉରକେଲାରେ ୨୦ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ନିର୍ମାଣ ପ୍ରସ୍ତାବ ରହିଛି। ଏହା ଦେଶର ସର୍ବବୃହତ୍ ହକି ଷ୍ଟା଼ଡ଼ିୟମ୍ ହେବ। ରାଜ୍ୟ ସରକାର କେତେକ ବିଶିଷ୍ଟ କ୍ରୀଡ଼ାବିତ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନର ସହଭାଗିତାରେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାମାନଙ୍କରେ ହାଇ ପରଫର୍‌ମାନ୍ସ ସେଣ୍ଟର ସ୍ଥାପନ କରିଛନ୍ତି। ଭିତ୍ତିଭୂମି ବିକାଶ ଏବଂ ଅନ୍ୟ କ୍ରୀଡ଼ା ଶୃଙ୍ଖଳାମାନଙ୍କର ବିକାଶ ପାଇଁ ମଞ୍ଜୁରି ମିଳିଛି। ପ୍ରକଳ୍ପରେ ମୋଟ ୩୫୬.୩୮ କୋଟି ଟଙ୍କା ବ୍ୟୟ ହେବ। ରାଜ୍ୟ ବଜେଟ୍‌ରୁ ୨୦୨୦-୨୧ରୁ ଆରମ୍ଭ କରି ତିନି ବର୍ଷରେ ୯୦ କୋଟି ଖର୍ଚ୍ଚ ହେବ। ବାକି ଅର୍ଥ ବ୍ୟବସାୟ ସଂଗଠନ ସାମାଜିକ ଉତ୍ତରଦାୟିତ୍ବ ପାଣ୍ଠି, ଜିଲ୍ଲା ମିନେରାଲ୍‌ ଫାଉଣ୍ଡେସନ୍, ସୁନ୍ଦରଗଡ ଓ ଓଡ଼ିଶା କ୍ରୀ଼ଡ଼ା ବିକାଶ ପାଣ୍ଠିରୁ ଖର୍ଚ୍ଚ ହେବ। ୧୬ ମାସ ମଧ୍ୟରେ ପ୍ରକଲ୍ପ ଶେଷ ହେବ। ଗ୍ରିଡ଼୍‌କୋର କାର୍ଯ୍ୟକ୍ଷମ ପୁଞ୍ଜି ଆବଶ୍ୟକତାକୁ ପୂରଣ ପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ଲାଗି ସରକାର ଗ୍ୟାରେଣ୍ଟର ପଡ଼ିଥାନ୍ତି। ଏହି କ୍ରମରେ କ୍ୟାବିନେଟ୍‌ ୨୦୧୯-୨୦ ପାଇଁ ୧୫୦୦ କୋଟି ଓ ୨୦୨୦-୨୧ ବର୍ଷ ଲାଗି ୨୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ଅବଧି ୨ବର୍ଷର ମୋର୍ଚ୍ଚ ଅବଧି ସହିତ ପାଞ୍ଚବର୍ଷରୁ ସାତବର୍ଷକୁ ବୃଦ୍ଧି କରିବା ସଂକ୍ରାନ୍ତ ଶକ୍ତି ବିଭାଗ ପ୍ରସ୍ତାବରେ ମୋହର ଲଗାଇଛନ୍ତି।

ଭେଷଜ ନିରୀକ୍ଷକଙ୍କୁ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଚୟନ କରିବେ
ବେସରକାରୀ ଖାଉଟି ଡିଲରଙ୍କ ଲାଇସେନ୍ସ ଅବଧି ଆଉ ୬ମାସ ବଢ଼ିଲା
୧୦୦ ଜନଜାତି ଭାଷା ଶିକ୍ଷକଙ୍କ ଚାକିରି ନିୟମିତ

ଓଡ଼ିଶା ଭେଷଜ ନିୟନ୍ତ୍ରାଳୟ ସେବା (ଭେଷଜ ନିୟନ୍ତ୍ରଣ ପ୍ରଶାସନ) ନିଯୁକ୍ତି ପଦ୍ଧତି ତଥା ସେବା ସର୍ତ୍ତାବଳୀ ନିୟମ, ୨୦୨୦କୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ସର୍ବାଧିକ ୯୭ଟି ପଦବି ଓଡ଼ିଶା ଭେଷଜ ନିୟନ୍ତ୍ରାଳୟରେ ମଞ୍ଜୁରି ଲାଭ କରିଛି। ତନ୍ମଧ୍ୟରୁ ଭେଷଜ ନିରୀକ୍ଷକ ପଦବି ସଂଖ୍ୟା ୬୬, ସହାୟକ ଭେଷଜ ନିୟନ୍ତ୍ରଣ ପଦବି ସଂଖ୍ୟା ୨୨, ଉପ ଭେଷଜ ନିୟନ୍ତ୍ରକ ପଦବି ସଂଖ୍ୟା ୫, ଯୁଗ୍ମ ଭେଷଜ ନିୟନ୍ତ୍ରକ ପଦବି ସଂଖ୍ୟା ୩ ଓ ଭେଷଜ ନିୟନ୍ତ୍ରକ ପଦବି ସଂଖ୍ୟା ୧ ରହିଛି। ମୂଳପଦବି ଗୁ଼ଡ଼ିକ ଯଥା ଭେଷଜ ନିରୀକ୍ଷକ ପଦବି ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଚୟନ କରାଯାଇ ନିଯୁକ୍ତି ଦିଆଯିବ। ଜନଜାତି ବର୍ଗର ପିଲମାନଙ୍କୁ ସେମାନଙ୍କ ମାତୃଭାଷାରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଲାଗି ସରକାର ୯ଟି ଜିଲ୍ଲାରେ ୧୦ ପ୍ରକାର ଆଦିବାସୀ ଭାଷାରେ ଠିକାଭିତ୍ତିକ ୧୦୦ ଭାଷା ଶିକ୍ଷକ ପଦବି ୨୦୦୮ ମସିହାରୁ ସୃଷ୍ଟି କରିିଥିଲେ। ଏମାନଙ୍କ ନିୟମିତକରଣ ଦାବି ହୋଇ ଆସୁଥିଲା। ଆଜି କ୍ୟାବିନେଟ୍ ଏହା ଉପରେ ମୋହର ଲଗାଇଛନ୍ତି।

ଏହାବ୍ୟତୀତ ରାଜ୍ୟ ସରକାର ଖାଉଟି ସାମଗ୍ରୀ ଯୋଗାଉଥିବା ବେସରକାରୀ ଡିଲରଙ୍କ ଲାଇସେନ୍ସ ସୀମା ଅବଧି ଆଉ ୬ମାସ ପାଇଁ ବଢାଇଛନ୍ତି। ୨୦୧୬ ମାର୍ଚ୍ଚ ମାସରେ ସେମାନଙ୍କୁ ୫ବର୍ଷ ପାଇଁ ସରକାର ଅନୁମତି ଦେଇଥିଲେ। ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୩ ହଜାର ୯୪୯ଟି ସୁଲଭ ମୂଲ୍ୟ ଦୋକାନରେ ୬୪୧୦ ଆନୁଷ୍ଠାନିକ ଡିଲର ଏବଂ ୭୫୩୯ ବେସରକାରୀ ଡିଲର ଅଛନ୍ତି। ଖଣି ପରିଚାଳନାରେ ଦ୍ରୁତ ପରିବର୍ତନ ସହିତ ବେନିୟମ ଖଣି କାରବାର ବୃଦ୍ଧି ଆଶଙ୍କାକୁ ସଠିକ୍ ଭାବେ ପ୍ରତିହତ କରିବାର ଆବଶ୍ୟକତା ରହିଛି। ଏଣୁ ଓଡ଼ିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ ଓ ବେଆଇନ କାରବାର ନିବାରଣ ଏବଂ ଦଖଲ ମହଦୁଜ କରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ) ନିୟମ ୨୦୦୭ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି।

ସମ୍ବନ୍ଧିତ ଖବର