ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠସ୍ଥିତ ଗୋଠପାଟଣା, ମଳିପଡ଼ା, ଦାଶପୁର ଅଞ୍ଚଳର ପ୍ରାୟ ୮୦୦ ଏକର ଜମିରେ ଗଢ଼ି ଉଠିବ ଏକ ନୂଆ ସହର। ଏଥିପାଇଁ ସିଙ୍ଗାପୁରର ସୁର୍ବାନା ଜୁରୋଙ୍ଗ ସଂସ୍ଥା (ଏସ୍‌ଜେଆଇ) ମାଷ୍ଟର ପ୍ଲାନ୍‌ ତିଆରି କରିବା ସହ ଭିତ୍ତିଭୂମି ବିକାଶ ପାଇଁ ପରାମର୍ଶ ଦେବ। ପୂରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ନୋଡାଲ୍‌ ଏଜେନ୍ସି ଭାବେ ନିଯୁକ୍ତ ହୋଇଛି। ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ବିଡିଏ ୧୫ ବର୍ଷରେ ୮୧୭୯ କୋଟି ଖର୍ଚ୍ଚ କରିବାକୁ ଯୋଜନା କରିଛି। ଯେଉଁଥିରେ ସରକାରୀ ଓ ଘରୋଇ ଅର୍ଥ ମିଶିବ। ପ୍ରଥମ ୫ ବର୍ଷ (୨୦୨୫-୨୬ରୁ ୨୦୨୯-୩୦) ପାଇଁ ରାଜ୍ୟ ବଜେଟ୍‌ରୁ ୧୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଜମି କିଣା, ରାସ୍ତା ତିଆରି, ମୌଳିକ ସୁବିଧା, ସାର୍ବଜନୀନ ସୁବିଧା ଓ ପ୍ରଶାସନିକ ଖର୍ଚ୍ଚ ହେବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର 
ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୫ଟି ବିଭାଗର ୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଭୁବନେଶ୍ବର ପାଇଁ ‘ନୂଆ ସହର ଉନ୍ନୟନ’ (ନ୍ୟୁ ସିଟି) ଯୋଜନା ଉପରେ ସୂଚନା ଦେଇ କହିଛନ୍ତି ଯେ ଏହା ରାଜ୍ୟର ଦୀର୍ଘକାଳୀନ ବିକାଶ ଯୋଜନା ‘ବିକଶିତ ଓଡ଼ିଶା ୨୦୩୬’ ସହ ଜଡ଼ିତ ଏକ ବହୁ-ଅର୍ଥନୀତି ବୃଦ୍ଧି ଅଞ୍ଚଳ ଭାବେ ନିର୍ମାଣ ହେବ। ‘ନୂଆ ସହର’ ଏକ ପରିବହନ-କେନ୍ଦ୍ରିକ ଯୋଜନା, ଯାହା ସାର୍ବଜନୀନ ପରିବହନ, କମ୍‌ ଯାତ୍ରା ଦୂରତା ଓ ବିଭିନ୍ନ ଜମି ବ୍ୟବହାରର ସୁଗମ ସଂଯୋଗ ଉପରେ ଧ୍ୟାନ ଦେଇଛି। ଏଥିରେ ସମସ୍ତଙ୍କ ପାଇଁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ସମସ୍ତ ଆୟ ଶ୍ରେଣୀ ପାଇଁ ସାମର୍ଥ୍ୟ ଓ ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାରର ଘର ଉପଲବ୍ଧ ହେବ। ଲୋକଙ୍କ ସାମାଜିକ ଆବଶ୍ୟକତା ପୂରଣ ଓ ସମୁଦାୟରେ ମିଳାମିଶା ବୃଦ୍ଧି ପାଇଁ ସେଣ୍ଟ୍ରାଲ୍‌ ଫରେଷ୍ଟ ପାର୍କ, ଗେଟ୍‌ୱେ ପ୍ଲାଜା ଓ ଅନେକ ଖୋଲା ସାର୍ବଜନୀନ ସ୍ଥାନ ତିଆରି ‌ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଏହି ପ୍ରକଳ୍ପ ଜଳବାୟୁ ସହନଶୀଳତା, ପରିବେଶ ସୁରକ୍ଷା ଓ ନାଗରିକଙ୍କ ସମଗ୍ର କଲ୍ୟାଣ ପାଇଁ ସ୍ମାର୍ଟ ଓ ସବୁଜ ଭିତ୍ତିଭୂମି ସମାଧାନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।

୧୫ ବର୍ଷରେ ଖର୍ଚ୍ଚ ହେବ ୮୧୭୯ କୋଟି
ସବୁ ଆୟ ବର୍ଗର ଲୋକଙ୍କୁ ମିଳିବ ଘର
ବକେୟା ଇ-ଚାଲାଣ ପାଇଁ ଆସିବ ଓଟିଏସ୍‌
ନିଯୁକ୍ତି ପରୀକ୍ଷା ପାଇଁ ଫି ଦେବାକୁ ପଡ଼ିବ
୪୨୮ ନୂଆ ଆମ୍ବୁଲାନ୍ସ କିଣାଯିବ

ସଡ଼କ ସୁରକ୍ଷା, ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଗାଡ଼ି ଉପରେ କଟାଯାଇଥିବା ଇ-ଚାଲାଣଗୁଡ଼ିକର ଜରିମାନା ଆଦାୟ ହୋଇପାରୁନି। ପ୍ରାୟ ୧୦୦ କୋଟି ଟଙ୍କା ଜରିମାନା ବାକି ଥିବାବେଳେ ଗାଡ଼ି ମାଲିକମାନେ ଜରିମାନା ଦେଉନାହାନ୍ତି। ତେଣୁ ଅନାଦାୟ ଜରିମାନାକୁ ଆଦାୟ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକକାଳୀନ ସମାଧାନ (ଓଟିଏସ୍‌) ଘୋଷଣା କରାଯାଇଛି। ଆଜି ଏସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହା ଜୁଲାଇ ୩୧, ୨୦୨୫ ସୁଦ୍ଧା ବକେୟା ଥିବା ଇ-ଚାଲାଣ ପାଇଁ ଲାଗୁ ହେବ। ଅଧିସୂଚନା ଜାରି ହେବାର ୬ମାସ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପରିବହନ ବିଭାଗ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ତଦାରଖ କରିବ। ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣଗୁଡ଼ିକର ଫଇସଲା ପାଇଁ ଉପଯୁକ୍ତ ନିଷ୍ପତ୍ତି ନେବା ନିମନ୍ତେ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଣିକି ବିଭିନ୍ନ ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନକାରୀଙ୍କୁ ଫି ଦେବାକୁ ପଡ଼ିବ। ୨୦୨୨ ମସିହାଠାରୁ ବିଭିନ୍ନ ନିଯୁକ୍ତି ସଂସ୍ଥା ଦ୍ବାରା ପରିଚାଳିତ ପରୀକ୍ଷାରେ ପ୍ରାର୍ଥୀଙ୍କଠାରୁ ଫିସ୍‌ ଆଦାୟ କରାଯାଉ ନଥିଲା। ଦେଖାଯାଇଥିଲା ଯେ ବିଭିନ୍ନ ପରୀକ୍ଷା ପାଇଁ ବହୁସଂଖ୍ୟକ ଆବେଦନ ଗ୍ରହଣ କରାଯାଉଛି। କିନ୍ତୁ ପରୀକ୍ଷା ସମୟରେ ବହୁ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଛନ୍ତି। ଏହା ଫଳରେ ପ୍ରଶାସନିକ ବୋଝ ବୃଦ୍ଧି ହେବା ସହ ପରୀକ୍ଷା ପରିଚାଳନା ଖର୍ଚ୍ଚ ଅଧିକ ହେଉଛି। ଏହାକୁ ନଜରରେ ରଖି ଆବେଦନ ପ୍ରକ୍ରିୟାର ଗୁଣାବତ୍ତା ବୃଦ୍ଧି ତଥା ଅନାଗ୍ରହୀ ପ୍ରାର୍ଥୀମାନଙ୍କ ସଂଖ୍ୟା ହ୍ରାସ କରିବାକୁ ଫିସ୍‌ ବ୍ୟବସ୍ଥା ଆରମ୍ଭ କରାଯିବ। ଏଣିକି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆବେଦନକାରୀଙ୍କୁ ନିଯୁକ୍ତି ସଂସ୍ଥାଗୁଡ଼ିକ ଦ୍ବାରା ସ୍ଥିରୀକୃତ ପରୀକ୍ଷା ଫିସ୍ ଦେବାକୁ ପଡ଼ିବ। କିନ୍ତୁ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ବର୍ଗ ଏଥିରୁ ବାଦ୍ ପଡ଼ିବେ। ତେବେ ଆବେଦନ ସମୟରେ ସଂଗୃହୀତ ପରୀକ୍ଷା ଫିସ୍‌ ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଉଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସଂସ୍ଥାଗୁଡ଼ିକ ମାଧ୍ୟମରେ ସମ୍ପୂର୍ଣ୍ଣ ଫେରସ୍ତ କରାଯିବ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। 

ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍‌ସ କିଣିବେ। ଏଥିପାଇଁ ୧୧୮.୯୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ୧୧୮.୦୬ କୋଟି ଟଙ୍କା ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ। ବଳକା ୯୨ ‌ଲକ୍ଷ ଟଙ୍କା ଏମ୍‌ସିଏଲ୍‌ ଯୋଗାଇବ। ରାଜ୍ୟ କ୍ୟାବିନେଟ୍‌ରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍‌ସ ସେବା (ଇଏମ୍‌ଏଏସ୍‌-୧୦୮), କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ରାଜ୍ୟରେ ମାଗଣା ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଛି। ୮୬୬ଟି ଇଏମ୍‌ଏଏସ୍‌ ଆମ୍ବୁଲାନ୍‌ସ ଭିତରେ ୪୧୧ଟି ଏଏଲ୍‌ଏସ୍‌, ୪୪୯ଟି ବିଏଲ୍‌ଏସ୍‌ ଓ ୬ଟି ବୋଟ୍‌ ଆମ୍ବୁଲାନ୍‌ସ ରହିଛି। କିଣାଯିବାକୁ ଥିବା ୪୨୮ଟି ଇଏମ୍‌ଏଏସ୍‌ ଆମ୍ବୁଲାନ୍‌ସ ମଧ୍ୟରୁ ୪୨୧ଟି ପୁରୁଣା ଆମ୍ବୁଲାନ୍‌ସ ବଦଳରେ ନିୟୋଜିତ ହେବ। ଏହା ବାଦ୍ ବିମାନବନ୍ଦର-ଏୟାରଷ୍ଟ୍ରିପ୍ ପାଇଁ ୫ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ଓ ୨ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍‌ସ ଝାରସୁଗୁଡ଼ାସ୍ଥିତ କାର୍ଡିଆକ୍‌ କେୟାର ହସ୍ପିଟାଲରେ ନିୟୋଜିତ ହେବ। ୪୨୧ଟି ଆମ୍ବୁଲାନ୍‌ସ ୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ ନିର୍ଦ୍ଧାରିତ ଅଢ଼େଇ ଲକ୍ଷ କିମିରୁ ଅଧିକ ଚାଲି ସାରିଲାଣି। ଉନ୍ନତମାନର ସେବା ପ୍ରଦାନ ପାଇଁ ଆମ୍ବୁଲାନ୍‌ସଗୁଡ଼ିକର ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨୦୨୪ ଜୁନ୍ ୧୨ ତାରିଖରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଶପଥ ଗ୍ରହଣ କରିଥିଲେ। ଏହା ମଧ୍ୟରେ ୧୫ ମାସ ହୋଇଯାଇଛି। ଏହି ସମୟସୀମା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୫ଟି କ୍ୟାବିନେଟ୍‌ ବୈଠକ ହୋଇଛି। ଏଥିରେ ୩୪ ବିଭାଗର ୧୪୯ଟି ପ୍ରସ୍ତାବ ପାରିତ ହୋଇଛି। ଆଜି ୨୬ତମ କ୍ୟାବିନେଟ୍‌ ବୈଠକରେ ମୁଖ୍ୟମନ୍ତ୍ରୀ ପୂର୍ବ ୨୫ଟି କ୍ୟାବିନେଟ୍‌ ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ନେଇ ଏକ ସଂକଳନ ଉନ୍ମୋଚନ କରିଥିଲେ।