ଭୁବନେଶ୍ବର: ସରକାରୀ ଡିଗ୍ରି କଲେଜ(ସ୍ବୟଂଶାସିତ ଓ ଅଣ-ସ୍ବୟଂଶାସିତ ସରକାରୀ କଲେଜ ଅନ୍ତର୍ଭୁକ୍ତ) ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଦଖଲରେ ଥିବା ସମସ୍ତ ସରକାରୀ ଜମିକୁ ବିନା ମୂଲ୍ୟରେ ସେମାନଙ୍କୁ ପ୍ରଦାନ କରାଯିବ। ତେବେ ଏହି ଜମିର ମାଲିକାନା ସମ୍ପୃକ୍ତ ଡିଗ୍ରି କଲେଜ/ଯୁକ୍ତ୨ କଲେଜ ମାର୍ଫତ୍ରେ ଉଚ୍ଚଶିକ୍ଷା ବିଭାଗ ଏବଂ ଗଣଶିକ୍ଷା ବିଭାଗ ନାଁରେ ରହିବ। ତେବେ ମିଶ୍ରିତ କଲେଜଗୁଡ଼ିକ କ୍ଷେତ୍ରରେ ଦଖଲଭୁକ୍ତ ଜମିର ପରିମାଣ ଅନୁଯାୟୀ, ପୃଥକ ଭାବେ ରେକର୍ଡ କରାଯିବ। ଅର୍ଥାତ୍ ଡିଗ୍ରି କଲେଜ ଅଧୀନରେ ଥିବା ଜମି ଉଚ୍ଚଶିକ୍ଷା ବିଭାଗ ଓ ଯୁକ୍ତ୨ କଲେଜ ଅଧୀନ ଜମି ଗଣଶିକ୍ଷା ବିଭାଗ ନାମରେ ରେକର୍ଡ ହେବ। ଯେଉଁଠାରେ ବ୍ୟବହାରିକ ସମସ୍ୟା ଓ ଅସୁବିଧା ହେତୁ ଜମିର ବିଭାଜନ ସମ୍ଭବ ନୁହେଁ, ସେଠାରେ ସମଗ୍ର ଜମି ଉଚ୍ଚଶିକ୍ଷା ବିଭାଗ ନାମରେ ରହିବ। ଶିକ୍ଷାନୁଷ୍ଠାନ ନାମରେ ସରକାରୀ ଜମି ନିୟମିତ କରିବା ପାଇଁ ରାଜସ୍ବ ବିଭାଗର ଏହି ନୂଆ ନୀତିରେ ଆଜି କ୍ୟାବିନେଟ୍ ମୋହର ବାଜିଛି।
ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମସ୍ୟା ନେଇ ୪ ଦଶନ୍ଧି ଧରି ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ କ୍ୟାବିନେଟ୍ର ଏହି ନିଷ୍ପତ୍ତି ବେଶ୍ ଉଲ୍ଲେଖନୀୟ। ନିଷ୍ପତ୍ତି ଅନୁଯାୟୀ ରେକର୍ଡ ହେବାକୁ ଥିବା ଜମି ଲିଜ୍ ଯୋଗ୍ୟ, ଅଣ ଜଙ୍ଗଲ କିସମ, ଡିଏଲ୍ସି ଲିଷ୍ଟରେ ନ ଥିବ। ଅବରୋଧ ତଥା ବିବାଦ ମୁକ୍ତ ହୋଇଥିବା ମଧ୍ୟ ଆବଶ୍ୟକ। ଏହି ଜମି ବିନା ମୂଲ୍ୟରେ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ତହସିଲଦାର ରେକର୍ଡ କରିବେ। ଏଥିନିମନ୍ତେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନର ଆବଶ୍ୟକୀୟ ସଂଶୋଧନ ରାଜସ୍ବ ବିଭାଗ ଦ୍ବାରା କରାଯିବ। ଯେଉଁଠାରେ ଡିଗ୍ରି କଲେଜ ଓ ଯୁକ୍ତ୨ କଲେଜ ନାମରେ ପୃଥକ ରେକର୍ଡ କରିବାର ଆବଶ୍ୟକତା ଥିବ, ସେଠାରେ ସ୍ଥାନୀୟ ତହସିଲଦାର ଜମିର ମାପ କରାଇ ସମ୍ପୃକ୍ତ ଅଧ୍ୟକ୍ଷଙ୍କ ପରାମର୍ଶକ୍ରମେ ରେକର୍ଡ କରିବେ। ଉକ୍ତ ଜମି ଉପରେ ଦରଜ ହୋଇଥିବା ସମସ୍ତ ଜବରଦଖଲ ମାମଲା ମଧ୍ୟ ବନ୍ଦ କରାଯିବ। ଏହାର ମୂଲ୍ୟାୟନ ପାଇଁ ଟୋକନ୍ ପରିମାଣ ପ୍ରତି ଏକର ପିଛା ପ୍ରତିବର୍ଷ ଏକ ଟଙ୍କା ହିସାବରେ ଏବଂ ଜରିମାନା ପ୍ରତି ଏକର ପିଛା ୧୦ ଟଙ୍କା ହିସାବରେ ପ୍ରତିବର୍ଷ ଆଦାୟ ହେବ। ବକେୟା ରାଶି ଉପରେ ଯଦି କୌଣସି ସୁଧ ଥାଏ, ତାହା ମଧ୍ୟ ଛାଡ଼ ହେବ। ଏହି ନୀତିଗତ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ୧୯୭୭ ମସିହା ପରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ସୂଚନା ଅନୁଯାୟୀ ଜମିର ରେକର୍ଡ ନ ଥିବା ଯୋଗୁଁ କଲେଜଗୁଡ଼ିକ କେନ୍ଦ୍ର ସରକାରଙ୍କ ରୁସା ଓ ଅନ୍ୟାନ୍ୟ ଯୋଜନାରୁ ଅନୁଦାନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାବ୍ୟତୀତ ନାକ୍ ରୢାଙ୍କିଂରେ ମଧ୍ୟ କଲେଜଗୁଡ଼ିକ ସ୍ଥାନ ପାଇପାରୁ ନାହାନ୍ତି। ଏବେ ସୁଦ୍ଧା ଓଡ଼ିଶାର ୫୧ଟି ସରକାରୀ କଲେଜ ଓ ୬୪୪ଟି ଅନୁଦାନପ୍ରାପ୍ତ କଲେଜ ଦଖଲରେ ଯଥାକ୍ରମେ ୧୮୦ ଏକର ଓ ୧୭୧୩ ଏକର ଜମି ରହିଛି। ଯାହାର ଆନୁମାନିକ ମୂଲ୍ୟ ୨୫୦୦ କୋଟି ଟଙ୍କା ହେବ। ସେହିପରି ୧୨୭୪ଟି ଯୁକ୍ତ୨ କଲେଜ ଦଖଲରେ ଥିବା ସରକାରୀ ଜମିର ଆନୁମାନିକ ମୂଲ୍ୟ ୧୫୦୦ କୋଟି ଟଙ୍କା ହେବ।
ରାଜ୍ୟର ବିଭିନ୍ନ ସ୍ଥାନରେ ମହାବିଦ୍ୟାଳୟ ପ୍ରତିଷ୍ଠା ଲାଗି ୧୯୭୭ରେ ରାଜ୍ୟ ସରକାର ନିୟମ କରିଥିଲେ। ସହରାଞ୍ଚଳରେ ୧୦ ଏକର ଓ ଗ୍ରାମାଞ୍ଚଳରେ ୧୫ ଏକର ସରକାରୀ ଜମି ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା। ଏହାବ୍ୟତୀତ ଇଂରାଜୀ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ସହରାଞ୍ଚଳରେ ଯଥାକ୍ରମେ ୨ ଓ ୩ ଏକର ଏବଂ ଗ୍ରାମାଞ୍ଚଳରେ ୩ ଓ ୫ ଏକର ସରକାରୀ ଜମି ଯୋଗାଇଦେବା ପାଇଁ ସ୍ଥିର ହୋଇଥିଲା। ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଲିଜ୍ ପ୍ରକ୍ରିୟାରେ ବିଳମ୍ବ ହେତୁ କିମ୍ବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସରକାରୀ ଦେୟ ଦେବାର ଅକ୍ଷମତା ହେତୁ ଉକ୍ତ ଜମି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନାମରେ ରେକର୍ଡ ହୋଇପାରୁ ନ ଥିଲା।