ବାତ୍ୟା ପରବର୍ତୀ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍‌ ସଚିବ-ମୁଖ୍ୟ ସଚିବ : ମୋବାଇଲ୍‌ ସେବା ସଂଯୋଗ ତ୍ବରାନ୍ବିତ କରିବେ କେନ୍ଦ୍ରୀୟ ସଂସ୍ଥା

ଭୁବନେଶ୍ବର : ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ମୋବାଇଲ୍‌ ସଂଯୋଗ ସେବା ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ଏବେ ବି ଅଚଳପ୍ରାୟ। ଫଳରେ ବ୍ୟାଙ୍କ, ଇଣ୍ଟରନେଟ୍‌, ଟେଲିକମ୍‌ ଆଦି ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ମୋବାଇଲ୍‌ ସଂଯୋଗ ସେବାର ପୁନରୁଦ୍ଧାର ପାଇଁ ଆବଶ୍ୟକ ସହଯୋଗ କରିବାକୁ କ୍ୟାବିନେଟ୍‌ ସଚିବଙ୍କୁ ଆଜି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଏଥିପାଇଁ କେନ୍ଦ୍ରୀୟ ସଂସ୍ଥା ଯଥା: ଏନ୍‌ଟିପିସି, ପିଜିସିଆଇଏଲ୍‌ ଆଦିଙ୍କୁ ନିୟୋଜିତ କରି ସେବା ଯୋଗାଣ ତ୍ବରାନ୍ବିତ କରାଯିବ ବୋଲି ସ୍ଥିର ହୋଇଛି।

ଆଜି ସନ୍ଧ୍ୟାରେ ଭିଡିଓ ଯୋଗାଯୋଗ ମାଧ୍ୟମରେ କ୍ୟାବିନେଟ୍‌ ସଚିବ ପ୍ରଦୀପ କୁମାର ସିହ୍ନାଙ୍କ ସହିତ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ପରବର୍ତୀ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ବର୍ତମାନ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୋବାଇଲ୍‌ ‌ସ‌ଂଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ବଡ଼ ଆହ୍ବାନ ପାଲଟିଛି। ପୁରୀରେ ମାତ୍ର ୧୨ ପ୍ରତିଶତ ମୋବାଇଲ୍‌ ସଂଯୋଗ କାର୍ଯ୍ୟକ୍ଷମ ଥିବା ବେଳେ ଭୁବନେଶ୍ବରରେ ୩୧ ପ୍ରତିଶତ, ଖୋର୍ଧାରେ ୩୦ ପ୍ରତିଶତ, କଟକରେ ୪୨ ପ୍ରତିଶତ, ଜଗତ୍‌ସିଂହପୁରରେ ୬୫ ପ୍ରତିଶତ କାର୍ଯ୍ୟ କରୁଛି। ଏହି ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ରୀୟ ସଂସ୍ଥାମାନେ ସବୁପ୍ରକାର ସହଯୋଗ କରିବେ ବୋଲି କ୍ୟାବିନେଟ୍‌ ସଚିବ ଆଶ୍ବାସନା ଦେଇଥିଲେ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ସେବାର ପୁନରୁଦ୍ଧାର ପାଇଁ ଉଭୟ ମାନବ ସମ୍ବଳ ଓ ସାମଗ୍ରୀ ଆବଶ୍ୟକ ହେଉଛି। ବର୍ତମାନ ସୁଦ୍ଧା ୪୩୦ଟି ଗ୍ୟାଙ୍ଗ ବା ୪୩୦୦ଜଣ କୁଶଳୀ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆହୁରି ୨ ହଜାର କୁଶଳୀ ଶ୍ରମିକ ଆସିବେ ବୋଲି କ୍ୟାବିନେଟ୍‌ ସଚିବଙ୍କ ସହିତ ବୈଠକରୁ ସୂଚନା ମିଳିଛି। ସେଲ୍‌ର ଦୁର୍ଗାପୁର ଇସ୍ପାତ କାରଖାନା ନିର୍ଦିଷ୍ଟ ୩୦ କେଜିର ବିଦ୍ୟୁତ୍‌ ଖୁଣ୍ଟ ଯୋଗାଉଛି। ବିଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ଆକାରର ୧୪ କେଜି, ୨୪ କେଜି ଓ ୩୦ କେଜିର ଖୁଣ୍ଟ ଦେବାକୁ ମୁଖ୍ୟ ସଚିବ ପ୍ରସ୍ତାବ ଦେଇଥିଲେ। ବ୍ୟାଙ୍କ ସେବା ଯୋଗାଣ ସ୍ବାଭାବିକ କରିବା ନିମନ୍ତେ ସମସ୍ତ ବ୍ୟାଙ୍କ ଶାଖା ସହିତ ଏଟିଏମ୍‌ ଖୋଲିବା ଉପରେ ଗୁରୁତ୍ବ ଦେଇଥଲେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ। ଅନ୍‌ଲାଇନ ବ୍ୟବସ୍ଥା କାର୍ଯ୍ୟକ୍ଷମ ନଥିବାରୁ ଅଫ୍‌ଲାଇନରେ ଗ୍ରାହକଙ୍କୁ ଟଙ୍କା ପ୍ରଦାନ ନିୟମ କୋହଳ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ପୁରୀରେ ଆଜି ୩୧ଟି ଏଟିଏମ୍‌ କାର୍ଯ୍ୟକ୍ଷମ ହୋଇଛି। ପୁରୀ ସହରରେ ଷ୍ଟେଟ୍‌ ବ୍ୟାଙ୍କର ଅଧିକାଂଶ ଶାଖା ଖୋଲିଥିବା ମଧ୍ୟ କୁହାଯାଇଛି। ଏହି ଭିଡିଓ ଯୋଗାଯୋଗ ସମୟରେ ଉନ୍ନୟନ କମିସନର ଅସିତ ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ, ଅବକାରୀ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର