‘କରୋନା’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ

ପରୀକ୍ଷା ପାଇଁ ରକ୍ତ ନମୁନା ପୁନେ ପଠାଯିବ: ସ୍ବାସ୍ଥ୍ୟ ସଚିବ
ଚୀନରୁ ଫେରିଥିବା ୨ ଓଡ଼ିଆ ୧୪ ଦିନ ପାଇଁ ହୋମ୍‌ ଆଇସୋଲେସନରେ ଅଛନ୍ତି
ଡାକ୍ତରୀ ଦଳ ପ୍ରତିଦିନ ସେମାନଙ୍କ ଘରକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବେ

ଭୁବନେଶ୍ବର : ରାଜ୍ୟରେ ଯେ କୌଣସି ବ୍ୟକ୍ତିକୁ କରୋନା ରୋଗ ହେଉଥିବା ନେଇ ସନ୍ଦେହ ହେଲେ ସେହି ବ୍ୟକ୍ତିକୁ ପ୍ରଥମେ ଆଇସୋଲେସନ୍‌ରେ ରଖାଯିବ। ପରୀକ୍ଷା ପାଇଁ ତାଙ୍କ ରକ୍ତ ନମୁନା ସଂଗ୍ରହ କରି ଆରଏମ୍‌ଆର୍‌ସି ଜରିଆରେ ପୁନେ ସ୍ଥିତ ଏନ୍‌ଆଇଭିକୁ କୋରିଅର୍‌ ଯୋଗେ ପଠାଯିବ। ଆଜି ଓଡ଼ିଶା ସମେତ ସବୁ ରାଜ୍ୟରେ ନଭେଲ୍‌ କରୋନା ଭୂତାଣୁ ସଂକ୍ରମଣ, ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗଵାଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ। ଅନ୍ୟପଟେ ଚୀନରୁ ଫେରିଥିବା ନେଇ ଆତ୍ମ ଘୋଷଣାନାମା ଦେଇଥିବା ଦୁଇ ଓଡ଼ିଆଙ୍କୁ ସେମାନଙ୍କ ଘରେ ଆଇସୋଲେସନରେ ରଖାଯାଇଛି। ୧୫ ଦିନ ପର୍ଯ୍ୟନ୍ତ ଡାକ୍ତରୀ ଦଳ ସେମାନଙ୍କ ଘରକୁ ଗସ୍ତ କରି ସ୍ବାସ୍ଥ୍ୟ ପରୀକ୍ଷା କରିବେ।

ଗୁରୁବାର କେନ୍ଦ୍ର କ୍ୟାବିନେଟ୍‌ ସଚିବ ଶ୍ରୀ ଗଵା ଭିଡିଓ କନଫରେନସିଂ ଜରିଆରେ ନଭେଲ୍‌ କରୋନା ସଂକ୍ରମଣ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ କହିଥିଲେ, ଚୀନ୍‌ର ଉହାନ୍‌ ପ୍ରଦେଶ ଅଞ୍ଚଳରୁ ଯେଉଁମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କଠାରେ ସଂକ୍ରମଣ ଲକ୍ଷଣ ଦେଖାଗଲେ ସେମାନଙ୍କୁ ପ୍ରଥମେ ଆଇସୋଲେସନ୍‌ରେ ରଖାଯାଇ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବ। ସେମାନଙ୍କର ପରିଚୟ ଗୋପନୀୟ ରଖାଯିବ। ସ୍ବାସ୍ଥ୍ୟ ବିଭାଗର ଟିମ୍‌ ନିୟମିତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ସଂକ୍ରମଣ ହୋଇଥିବା ନେଇ ରକ୍ତ ନମୁନାରୁ ଜଣାପଡ଼ିଲେ ସେମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଆଇସୋଲେସନ୍‌ ଵାର୍ଡ଼ରେ ରଖି ଚିକିତ୍ସା କରାଯିବ। ରକ୍ତ ନମୁନା ସଂଗ୍ରହ ବୁର୍ଲା, ଏମ୍‌କେସିଜି,ଏସ୍‌ସିବି ଓ ଆର୍‌ଏମ୍‌ଆର୍‌ସିରେ କରାଯିବ। ସଂକ୍ରମଣ ପରୀକ୍ଷା ପାଇଁ ରାଜ୍ୟର କୌଣସି ମେଡିକାଲରେ ବ୍ୟବସ୍ଥା ନାହିଁ। ସଂଗୃହୀତ ରକ୍ତ ନମୁନା କେବଳ ଆର୍‌ଏମ୍‌ଆର୍‌ସି ଜରିଆରେ ପୁନାର ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ କରାଯିବ ବୋଲି ଶ୍ରୀ ଧଳ କହିଥିଲେ।

ଏହି ଭିଡିଓ କନଫରେନସିଂରେ ଜାତୀୟ ସ୍ବାସ୍ଥ୍ୟ ମିସନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଓୌଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ୍‌ ମହାନ୍ତି ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର