କୋଭିଡ୍‌ ପରିଚାଳନାର ସମୀକ୍ଷା କଲେ କ୍ୟାବିନେଟ୍‌ ସଚିବ

ଭୁବନେଶ୍ବର : ଓଡ଼ିଶାରେ କୋଭିଡ୍‌-୧୯ ମୁକାବିଲାରେ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ବନ୍ଧରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସବ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ମହାମାରୀ କୋଭିଡ୍‌-୧୯ ପରିଚାଳନାରେ ଓଡ଼ିଶା ଏକ ଅଗ୍ରଣୀ ସ୍ଥାନରେ ରହିଛି। ରାଜ୍ୟର ପ୍ରତି ଏକ ନିୟୁତ ଜନସଂଖ୍ୟାରେ ୩୦୨୯ଟି କୋଭିଡ୍‌ ପରୀକ୍ଷା କରାଯାଇଛି। ସର୍ବଭାରତୀୟ ସ୍ତରରେ ଏହି ହାର ୨୪୯୦ରେ ଅଛି। ଜାତୀୟ ସ୍ତରରେ ହାରାହାରି ୨୧ଟି ପରୀକ୍ଷାରୁ ଗୋଟିଏ ପଜିଟିଭ୍ କେସ୍ ମିଳୁଥିଲା ବେଳେ ଓଡ଼ିଶାରେ ହାରାହାରି ୮୪ଟି ନମୁନାରୁ ଗୋଟିଏ ପଜିଟିଭ୍ କେସ୍ ମିଳୁଛି। ସେହିପରି ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୨.୮୬% ଥିଲା ବେଳେ ଓଡ଼ିଶାରେ ଏହା ୦.୪୨% ଅଛି। ଆଜି ସୁଦ୍ଧା ରାଜ୍ୟରେ ୧,୩୯,୩୧୧ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ୪୯% ‌ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଯାହା କି ସର୍ବଭାରତୀୟ ହାର ଠାରୁ ୭% ଅଧିକ। ଚଳିତ ସପ୍ତାହରେ ଦୈନିକ ପଜିଟିଭ୍ କେସ୍ ତୁଳନାରେ ଅଧିକ ଲୋକ ଟିଏମ୍‌ସି ଓ କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରୁଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। କୋଭିଡ୍‌ ପରିଚାଳନାରେ ପଞ୍ଚାୟତ ଓ ଗ୍ରାମ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଓଡ଼ିଶାର ଏକ ବଡ଼ ଉପଲବ୍ଧ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ। ସେମାନଙ୍କ ମାଧ୍ୟମରେ ଅସ୍ଥାୟୀ ସ୍ବ‌ାସ୍ଥ୍ୟ ଶିବିର ଓ ସଙ୍ଗରୋଧ କେନ୍ଦ୍ରଗୁଡ଼ିକର ସଫଳ ପରିଚାଳନା କରାଯାଇଛି ଏବଂ ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇ ପାରିଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଶାଳିନୀ ପଣ୍ଡିତ, କୋଭିଡ୍‌-୧୯ ଓଏସ୍‌ଡି ବିଶାଲ ଦେବ ଏବଂ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର