ଭୁବନେଶ୍ବର : ବାତ୍ୟା ପରବର୍ତୀ ସମୟରେ ଡିଜିଟାଲ୍ ସେବା, ବିଜୁଳି ଯୋଗାଣ ଓ ଟେଲିକମ୍ ସେବା ବ୍ୟାହତ ହେବା ରାଜ୍ୟ ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏସବୁ ପ୍ରସଙ୍ଗରେ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା ଓ ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରୁ ବିଦାୟ ନେବାର କିଛି ସମୟ ପରେ କ୍ୟାବିନେଟ୍ ସଚିବ ପ୍ରଦୀପ ସିହ୍ନା ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ରାଜ୍ୟରେ ଡିଜିଟାଲ୍ ସେବା ଅଚଳ ହୋଇପଡ଼ିଥିବା ପ୍ରସଙ୍ଗ ଉଠିଥିଲା। ବାତ୍ୟା ବିପନ୍ନ ଅଞ୍ଚଳରେ ଥିବା ୧୭୦୦ ଏଟିଏମ୍ ମଧ୍ୟରୁ ପ୍ରାୟ ୯୦୦ କାର୍ଯ୍ୟକ୍ଷମ ଥିଲେ ମଧ୍ୟ କାମରେ ଆସୁନାହିଁ। ପଏଣ୍ଟ ଅଫ୍ ସେଲ୍(ପିଓଏସ୍) ମେସିନ ମଧ୍ୟ ବସ୍ତୁତଃ ଅଚଳ। ଟଙ୍କା ଅଛି, କିନ୍ତୁ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ। ଫଳରେ ଲୋକେ, ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥା ନେଣଦେଣ କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଜାର ମାନ୍ଦା ହୋଇପଡ଼ିଛି।
ଏହି ସମସ୍ୟା ସହିତ ଟେଲ୍କମ୍ ସେବା ଜଡ଼ିତ। ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ଅଧିକାଂଶ ଟେଲିକମ୍ ଟାୱାର କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ଡିଜେଲ୍ ଓ ପେଟ୍ରୋଲ୍ ଅଭାବ ନାହିଁ। ତେଣୁ ଏହି ସମସ୍ୟାକୁ ଅସ୍ଥାୟୀ ଭାବେ ଦୂର କରିବା ପାଇଁ ୮୦ଟି ଟ୍ରକ୍ ଉପରେ ରଖାଯାଇଥିବା ଟାୱାର ଯୋଗାଇ ଦେବାକୁ ମୁଖ୍ୟ ସଚିବ ପ୍ରସ୍ତାବ ଦେଇଥିଲେ। ବାତ୍ୟା ଦ୍ବାରା ଭୁବନେଶ୍ବର, ପୁରୀ ଓ କଟକରେ ବିଜୁଳି ଯୋଗାଣ ଭୀଷଣ ଭାବେ ପ୍ରଭାବିତ ହୋଇଛି। ପୁରୀ ଓ ଭୁବନେଶ୍ବରରେ ବିଜୁଳି ସେବା ସ୍ବାଭାବିକ କରିବା ପାଇଁ ଅଧିକ ସଂଖ୍ୟକ ଇଲେକ୍ଟ୍ରିକ୍ ଗ୍ୟାଙ୍ଗ ଯୋଗାଇ ଦେବାକୁ ଶ୍ରୀ ପାଢ଼ୀ ପ୍ରସ୍ତାବ ଦେଇଥିଲେ।
ପାନୀୟଜଳ ଯୋଗାଣ ସଂପର୍କରେ ମୁଖ୍ୟ ସଚିବ କହିଥିଲେ, ଭୁବନେଶ୍ବରରେ ୫୦ ପ୍ରତିଶତ ସଂଯୋଗକୁ ଜେନେରେଟର ଯୋଗେ ପାନୀୟଜଳ ଦିଆଯାଉଛି। ଆସନ୍ତାକାଲି ସାରା ରାଜଧାନୀରେ ପାନୀୟଜଳ ଦିଆଯିବ। ବାତ୍ୟା ପ୍ରଭାବିତ ଅଞ୍ଚଳକୁ ୨ ଲକ୍ଷ ପ୍ୟାକେଟ୍ ହାଲୋଜେନ୍ ଓ ଓଆରଏସ୍ ଯୋଗାଇ ଦିଆଯାଇଛି। ସେଗୁଡ଼ିକ ଅଙ୍ଗନବାଡ଼ି ଓ ଆଶା କର୍ମୀମାନଙ୍କ ମାଧ୍ୟମରେ ବଣ୍ଟନ କରାଯିବ। ଭୁବନେଶ୍ବର ଏମ୍ସ୍ ହସ୍ପିଟାଲ୍ରେ ବିଦ୍ୟୁତ୍ ଓ ଜଳଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ପ୍ରସଙ୍ଗରେ ମୁଖ୍ୟ ସଚିବ କହିଥିଲେ ଯେ ଇତି ମଧ୍ୟରେ ଏହି ସମସ୍ୟା ଦୂର ହୋଇସାରିଛି। ଏହି ଭିଡିଓ କନ୍ଫରେନ୍ସିଂ ବେଳେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଅସିତ ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ, ସ୍ବାସ୍ଥ୍ୟ ଓ ଶକ୍ତି ବିଭାଗ ସଚିବମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/m26.jpg-e.jpg)