ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ କରୁଥିବା ପଶ୍ଚିମ ଓଡ଼ିଶା ଓକିଲ ସଂଘ ଭାରତର ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଇନଜୀବୀ ପରିଷଦର ମନୋନୀତ କର୍ମକର୍ତ୍ତାମାନେ ଆଇନଜୀବୀମାନଙ୍କ ସ୍ବାର୍ଥ ବିରୋଧରେ ନେଇଥିବା ପଦକ୍ଷେପକୁ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ତୀବ୍ର ବିରୋଧ କରିଛି। ଏଭଳି ପଦକ୍ଷେପ ନେବା ଭାରତର ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦର କୌଣସି ଆଇନଗତ ଅଧିକାର ନାହିଁ। ଯଦି, ପଶ୍ଚିମ ଓଡ଼ିଶାର ଜନଦାବିକୁ ଦମନ କରିବା ପାଇଁ ଓକିଲ ସଂଘର କୌଣସି ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ ପଶ୍ଚିମ ଓଡ଼ିଶାର ସବୁ ଓକିଲ ସେମାନଙ୍କ ଓକିଲାତି ଲାଇସେନ୍ସ ସରଣ୍ଡର କରିବାକୁ ଆଜି ସମ୍ବଲପୁରଠାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସିଏସିର ଆବାହକ ଅଶୋକ ଦାଶ ସୂଚନା ଦେଇଛନ୍ତି।
ଆଜି ସିଏସି ବୈଠକରେ ଭାରତର ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ବାଚିତ ଓକିଲ ସଂଘର କର୍ମକର୍ତ୍ତାମାନଙ୍କ ବିରୋଧରେ ନିଆଯାଇଥିବା ଏକ ତରଫା ଆଇନଗତ ପଦକ୍ଷେପକୁ ନିନ୍ଦା କରାଯାଇଛି। ହାଇକୋର୍ଟ ଓକିଲ ସଂଘ ସଂପ୍ରତି ଷଡ଼୍ଯନ୍ତ୍ର କରି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ସହ ମିଶି ଆନ୍ଦୋଳନକୁ ଚପାଇଦେବାକୁ ଉଦ୍ୟମ କରୁଥିବାରୁ ସିଏସି ଉଦ୍ବେଗ ପ୍ରକାଶ କରିଥିଲା। ଏଭଳି ଚକ୍ରାନ୍ତକୁ ମିଳିତ ଭାବେ ପଣ୍ଡ କରିବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ଯୋଗୁ ଏହା ପଶ୍ଚିମ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଦାବିକୁ ସିଏସି ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଆଗାମୀ ଦିନରେ ସ୍ବତନ୍ତ୍ର ରାଜ୍ୟ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ସ୍ଥିର କରାଯାଇଛି। ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସୁପ୍ରିମକୋର୍ଟରେ ଦାୟାର କରିଥିବା ସତ୍ୟପାଠରେ ହାଇକୋର୍ଟ ଓକିଲ ସଂଘର ଆନ୍ଦୋଳନାତ୍ମକ କାର୍ଯ୍ୟକୁ ଜାଣିଶୁଣି ଦର୍ଶାଇ ନାହାନ୍ତି।
ପକ୍ଷପାତମୂଳକ ନୀତି ଗ୍ରହଣକରି ସତ୍ୟପାଠ ଦାଖଲ କରିଥିବାରୁ ତାଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ପାଖକୁ ସ୍ମାରକପତ୍ର ପଠାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୩ ତାରିଖ ଦିନ ଏନେଇ ପଶ୍ଚିମ ଓଡ଼ିଶାର ଓକିଲମାନେ ନିଜ ଓକିଲ ସଂଘ କର୍ମକର୍ତ୍ତାଙ୍କ ନେତୃତ୍ବରେ ନିଜ ଅଂଚଳର ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ଦେବାକୁ ସ୍ଥିର କରାଯାଇଛି। ସେହିପରି ରାଜ୍ୟର ସମୂହ ସ୍ବାର୍ଥ ଦୃଷ୍ଟିରୁ ଆଇନ ବିତରଣ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଭିନ୍ନ ଓକିଲ ସଂଘର ସହ ଆଲୋଚନା ମାଧ୍ୟମରେ ବର୍ତ୍ତମାନର ବିବାଦର ପୂର୍ଣ୍ଣଚ୍ଛେଦ ଟାଣିବା ଏବଂ ହାଇକୋର୍ଟଙ୍କ ମତାମତ ନେଇ ପଶ୍ଚିମ ଓଡ଼ିଶାର ସମ୍ବଲପୁରଠାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠ କରିବାକୁ ପୂର୍ଣ୍ଣାଂଗ ପ୍ରସ୍ତାବ ପଠାଇବାକୁ ଆହ୍ବାନ ଦିଆଯାଇଥିବା ସିଏସି ଆବାହକ ଅଶୋକ ଦାଶ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ବୈଠକରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ରଙ୍କ ସହିତ ପ୍ରମୋଦ ଦାଶ, ବିଜିତେନ୍ଦ୍ରୀୟ ପ୍ରଧାନ, ନିରଂଜନ ତ୍ରିପାଠୀ ଓ ସରୋଜ ସାହୁ ମଂଚାସୀନ ଥିଲେ। ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ, ସୁନ୍ଦରଗଡ଼, ପଦ୍ମପୁର, ବରପାଲି, ଅତାବିରା, ବିଜେପୁର, ରାଜଗାଂଗପୁର, କୁଚିଣ୍ଡା, ବଣେଇଗଡ଼ ଆଦି ଓକିଲ ସଂଘର କର୍ମକର୍ତ୍ତା ତଥା କୋର୍ କମିଟି ସଦସ୍ୟ ଆଲେଚାନାରେ ଭାଗ ନେଇଥିଲେ।