ଗୃହ ସଚିବଙ୍କୁ ପତ୍ର ଲେଖିଲା ସିଏସି       

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ପତ୍ର ଲେଖି ଆସନ୍ତା ୨୮ ତାରିଖ ଦିନ ୧ଟାରୁ ୩ଟା ମଧ୍ୟରେ କୌଣସି ଏକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଲୋକସେବା ସଦନରେ ସାକ୍ଷାତ ଆଲୋଚନା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି। ସିଏସି ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ଗୃହ ସଚିବଙ୍କୁ ଦେଇଥିବା ପତ୍ରରେ ‌ଉଲ୍ଲେଖ କରିଛନ୍ତି ଯେ ଗତ ୧୪ ତାରିଖ ସୁନ୍ଦରଗଡ଼ରେ ହୋଇଥିବା ସିଏସି କୋର କମିଟି ବୈଠକରେ ୨୮ ତାରିଖ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦିନ ୧ଟାରୁ ୩ଟା ମଧ୍ୟରେ ତାଙ୍କ ସୁବିଧାଜନକ ସମୟରେ ଲୋକସେବା ସଦନରେ ସାକ୍ଷାତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।

ପଶ୍ଚିମ ଓଡ଼ିଶାର ସମ୍ବଲପୁରଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ନେଇ କଣ ଅଗ୍ରଗତି ହୋଇଛି ସେ ସଂପର୍କରେ ଏହି ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବ। ପୂର୍ବରୁ ଏକାଧିକ ବାର ସାକ୍ଷାତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅନୁରୋଧ କରା ଯାଇଥିଲେ ବି ସବୁ ବୃଥା ଯାଇଛି। ତେଣୁ ଏଭଳି ଏକ ପ୍ରସ୍ତାବ ଗ୍ରହଣ କରି ଗଣ ସାକ୍ଷାତ କରିବାକୁ ସିଏସି ବାଧ୍ୟ ହେଉଛି। ଉକ୍ତ ସାକ୍ଷାତ ସମୟରେ ଉପସ୍ଥିତ ରହିବାକୁ ପଶ୍ଚିମ ଓଡ଼ିଶାର ସମସ୍ତ ବିଧାୟକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ତେଣୁ ଉକ୍ତ ସାକ୍ଷାତର ବ୍ୟବସ୍ଥା କରି ଏକ ଫଳପ୍ରଦ ଆଲୋଚନାର ବାଟ ଫିଟାଇବାକୁ ଶ୍ରୀ ପ୍ରଧାନ ପ୍ରମୁଖ ସଚିବଙ୍କୁ ପତ୍ରରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର