କଟକ: ପାଖାପାଖି ୬ମାସର ବ୍ୟବଧାନ ପରେ ଆଜି ବିଳମ୍ବିତ ରାତିରେ ଏସ୍ସିବିରେ କାଡାଭରିକ୍ କିଡ୍ନି ପ୍ରତିରୋପଣ କରାଯାଇଛି। ଫଳରେ ୫ବର୍ଷ ହେଲା ଏସ୍ସିବି ନେଫ୍ରୋଲୋଜି ବିଭାଗରେ ଡାଏଲିସିସ୍ ହେଉଥିବା ଜଗତସିଂହପୁର ଜିଲ୍ଲାର ସୁନୀଲ ନାୟକ(୩୬) ଓ ଅନୁଗୁଳର ଦୃଷ୍ଟିବାଧିତ ସୁନୀଲ ସାହୁ ନୂଆ ଜୀବନ ପାଇଛନ୍ତି। ଭୁବନେଶ୍ୱର କିମ୍ସ ହସ୍ପିଟାଲ୍ରେ ମସ୍ତିଷ୍କ ମୃତ ଅନୁଗୁଳର ବିଶ୍ୱଜିତ ଦାସଙ୍କ ପରିବାର ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ଫଳରେ ଆଜି ତାଙ୍କର ଗୋଟିଏ କିଡ୍ନି କିମ୍ସରେ ଦୃଷ୍ଟିବାଧିତ ସୁନୀଲ ସାହୁଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା। ଦ୍ବିତୀୟ କିଡ୍ନି ଏସ୍ସିବିକୁ ଅଣାଯାଇଥିଲା।
ଏସ୍ସିବି ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ ଓ ତାଙ୍କ ଟିମ୍ ‘ଗ୍ରିନ୍ କରିଡର୍’ରେ ଏଠାକୁ କିଡ୍ନି ଆଣିଥିଲେ। ପରେ ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସମୀର ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଡାକ୍ତର ସଞ୍ଜୟ ଚୌଧୁରୀ, ଡାକ୍ତର ପ୍ରୀତମ ଓ ଅନ୍ୟମାନେ ଏହି କିଡ୍ନି ପ୍ରତିରୋପଣ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରତିରୋପଣ ଅସ୍ତ୍ରୋପଚାର ଜାରି ରହିଥିବା ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି। ଅଧୀକ୍ଷକ ପ୍ରଫେସର ଡାକ୍ତର ଗୌତମ ଶତପଥୀଙ୍କ ତତ୍ତ୍ୱାବଧାନରେ ପ୍ରତିରୋପଣ ବ୍ୟବସ୍ଥା କରାଯାଇଛି।