କଟକ : କଟକ ବଡ଼ଡାକ୍ତରଖାନାରେ ପୁଣି କାଡାଭରିକ୍‌ ପ୍ରତିରୋପଣ କରାଯାଇଛି। ଭୁବନେଶ୍ବରର ସମ୍‌ ଅଲ୍‌ଟିମେଟ୍‌ରେ ଢେଙ୍କାନାଳର ଜଣେ ୨୪ବର୍ଷୀୟ ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ କିଡ୍‌ନିକୁ ଗ୍ରିନ୍‌ କରିଡର୍‌ରେ ଏସ୍‌ସିବି ଅଣାଯାଇ ୟୁରୋଲୋଜି ବିଭାଗରେ ଯାଜପୁରର ଲକ୍ଷ୍ମଣ ମହାରଣା(୫୧)ଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହାକୁ ମିଶାଇ ଏସ୍‌ସିବି ୟୁରୋଲୋଜି ବିଭାଗରେ ୮ଟି କାଡାଭରିକ୍‌ ପ୍ରତିରୋପଣ କରାଗଲାଣି। ‌ପ୍ରତିରୋପଣ ପରେ ଲକ୍ଷ୍ମଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ସେ ସୁସ୍ଥ ଥିବା ପ୍ରତିରୋପଣ କରିଥିବା ୟୁରୋଲୋଜି ବିଭାଗ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସମୀର ସ୍ବାଇଁ ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ଫୁସ୍‌ଫୁସ୍‌କୁ କୋଲ୍‌କାତାର ମେଡିକା ହସ୍ପିଟାଲ୍‌ ଓ ଲିଭରକୁ ଦିଲ୍ଳୀକୁ ବିମାନ ଯୋଗେ ପଠାଯାଇଛି। ସୋଟୋ (ଷ୍ଟେଟ୍‌ ଅର୍ଗାନ୍‌ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍‌) ପକ୍ଷରୁ ଏହିସବୁ ବ୍ୟବସ୍ଥା କରାଯାଇଥିବା ବେଳେ ଏସ୍‌ସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟଙ୍କ ସମେତ ଡାକ୍ତର ସଂଜୟ ଚୌଧୁରୀ, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ଅରୁଣ ଆଚାର୍ଯ୍ୟ, ଡାକ୍ତର ଶରତ ପରିଡ଼ାଙ୍କ ସମେତ ନିଶ୍ଚେତକ ବିଭାଗ ଓ ପାରାମେଡିକାଲ୍‌ ଟିମ୍‌ ଏହି ପ୍ରତିରୋପଣରେ ସହଯୋଗ କରିଥିଲେ।

ଅନ୍ୟପଟେ ଏସ୍‌ସିବିରେ ଆଜି ପର୍ଯ୍ୟନ୍ତ ଯେଉଁ ୬ଟି କାଡାଭରିକ୍‌ ପ୍ରତିରୋପଣ କରାଯାଇଛି ସବୁ ଘରୋଇ ହସ୍ପିଟାଲ୍‌ରୁ ମସ୍ତିଷ୍କ ମୃତ ଚିହ୍ନଟ ହୋଇଥିବା ବେଳେ ଗତ ମ‌ାର୍ଚ୍ଚ ୨୮ ତାରିଖରେ ଏସ୍‌ସିବିରେ ପ୍ରଥମଥର ପାଇଁ ମହିଳାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରାଯାଇ ତାଙ୍କର ଦୁଇଟି କିଡ୍‌ନି ଏସ୍‌ସିବିର ଦୁଇଜଣ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଏସ୍‌ସିବି ଆଇସିୟୁରେ ଏବେ ଜଣେ ମସ୍ତିଷ୍କ ମୃତ ରୋଗୀ ରହିଥିଲେ ବି ଯେଉଁଭଳି ପ୍ରକ୍ରିୟାରେ ରୋଗୀଙ୍କୁ ମସ୍ତିଷ୍କ ମୃତ ଘୋଷଣା କରାଯାଇ ଅଙ୍ଗଦାନ ପାଇଁ ପ୍ରକ୍ରିୟା କରାଯିବା କଥା ତାହା ଏସ୍‌ସିବିରେ ସମନ୍ବୟ ଅଭାବରୁ ହୋଇପାରୁନି। ସୂଚନାଯୋଗ୍ୟ, ମସ୍ତିଷ୍କ ମୃତ ଘୋଷଣା ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର କମିଟି ବି ରହିଛି।