ରାଜଧାନୀରେ ଆଉ ଏକ କାଡାଭରିକ୍‌ ପ୍ରତିରୋପଣ

ପ୍ରିୟଙ୍କାଙ୍କ ପରେ ସୁଚିତ୍ରା

ଆପୋଲୋ ଟିମ୍‌ର ଆଉ ଏକ ସଫଳତା
ବ୍ରେନ୍‌ଡେଡ୍‌ ପରେ କଢ଼ାଗଲା ୨ କିଡ୍‌ନି
ଦୁଇ ରୋଗୀ ପାଇବେ ନୂଆ ଜୀବନ
ହୃତ୍‌ପିଣ୍ଡ, ଯକୃତ ପ୍ରତିରୋପଣ ସମ୍ଭବ ହେଲାନି

ଭୁବନେଶ୍ବର : ଆଗକୁ ବଢ଼ୁଛି ଅଙ୍ଗଦାନ ଅଭିଯାନ। ଚଳିତ ମାସରେ ଦ୍ବିତୀୟ ଥର ଲାଗି ଆଜି ଆପୋଲୋ ‌ହସ୍ପିଟାଲରେ ଆଉ ଏକ କାଡାଭରିକ୍‌ ପ୍ରତିରୋପଣ ସଫଳ ‌ହୋଇଛି। ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଥିବା ସୁଚିତ୍ରା ଦାଶ(୫୬) ନାମ୍ନୀ ଜଣେ ମହିଳାଙ୍କର ଦୁଇଟି କିଡ୍‌ନି କଢ଼ାଯାଇ ଆପୋଲୋ ଓ ଆମ୍ରି ହସ୍ପିଟାଲରେ ଥିବା ଦୁଇଜଣ ରୋଗୀଙ୍କ ଶରୀରରେ ଲଗାଯାଇଛି। ତେବେ ସୁଚିତ୍ରାଙ୍କ ହୃତ୍‌ପିଣ୍ଡ ଓ ଯକୃତକୁ ରାଜ୍ୟ ବାହାରର ଦୁଇଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ଲଗାଯିବାର ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ। ତେବେ ଆପୋଲୋରେ ଆଜି ହୋଇଥିବା ରାଜ୍ୟର ଏହି ଦ୍ବିତୀୟ କାଡାଭରିକ୍‌ ପ୍ରତିରୋପଣ ସଫଳ ହୋଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ଆପୋଲୋ ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୩ ତାରିଖରେ ମସ୍ତିଷ୍କାଘାତ(ବ୍ରେନ୍ ଷ୍ଟ୍ରୋକ୍‌) କାରଣରୁ ଭୁବନେଶ୍ବର ଅଞ୍ଚଳର ସୁଚିତ୍ରା ଦାଶଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଡା. ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ଅଧୀନରେ ସେ ଚିକିତ୍ସିତ ହେଉଥିଲେ।

ତେବେ ଆଜି ତାଙ୍କର ବ୍ରେନ୍ ଡେଡ୍‌ ହେବା ପରେ ପରିବାର‌ ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ତାଙ୍କ ସ୍ବାମୀ ଗୋପାଳ ଦାଶଙ୍କୁ ହସ୍ପିଟାଲ ପକ୍ଷରୁ କାଉନ୍‌ସେଲିଂ କରାଯିବା ପରେ ସେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏ ସଂକ୍ରାନ୍ତରେ ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତିରୋପଣ ସଂଗଠନ ବା ସୋଟୋକୁ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ସୋଟୋ ପକ୍ଷରୁ କେଉଁ ଦୁଇଜଣ ବ୍ୟକ୍ତିଙ୍କୁ ସୁଚିତ୍ରାଙ୍କ କିଡ୍‌ନି ପ୍ରଦାନ କରାଯିବ, ତାହା ସ୍ଥିର ହୋଇଥିଲା। ପ୍ରାୟ ସଂଧ୍ୟା ୭ଟା ସମୟରେ ଆପ୍‌ନିଆ ପରୀକ୍ଷା ପରେ ଆପୋଲୋ ହସ୍ପିଟାଲର ବରିଷ୍ଠ ୟୁରୋଲୋଜି ବିଶେଷଜ୍ଞ ଡା.ସମୀରଣ ଦାସଅଧିକାରୀଙ୍କ ନେତୃତ୍ବରେ ଏକ ଡାକ୍ତରୀଦଳ କିଡ୍‌ନି କାଢ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋ‌ପଚାର ପରେ ଦୁଇଟି କିଡ୍‌ନି କଢ଼ାଯାଇଥିଲା। ଆପୋଲୋର ଏହି ଟିମ୍‌ରେ ଡା.ପ୍ରତୀକ ସାହୁ, ନିଶ୍ଚେତକ ବିଶେଷଜ୍ଞ ଦେବବ୍ରତ ଦାସ, ଟେକ୍‌ନିସିଆନ୍ ଅଶୋକ ନାୟକ ଓ ଅନ୍ୟମାନେ ସାମିଲ ହୋଇଥିଲେ। ସୋଟୋର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ତତ୍ତ୍ବାବଧାନରେ ଏହି କାଡାଭରିକ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଦୁଇଟି କିଡ୍‌ନିରୁ ଗୋଟିଏ କିଡ୍‌ନି ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁରର ଜଗନ୍ନାଥ ସୁର(୫୫)ଙ୍କ ଶରୀରରେ ରାତି ପ୍ରାୟ ୧୨ଟାରେ ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟଟି ତୁରନ୍ତ ଆମ୍ରି ହସ୍ପିଟାଲ ପଠାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ମିନତି ସାମନ୍ତରାୟ(୪୫)ଙ୍କ ଶରୀରରେ ଏହା ପ୍ରତିରୋପଣ କରାଯାଇଥିଲା।

ଅପରପକ୍ଷରେ କିଡ୍‌ନି ବ୍ୟତୀତ ସୁଚିତ୍ରାଙ୍କ ହୃତ୍‌ପିଣ୍ଡ ଓ ଯକୃତକୁ କୋଲକାତାସ୍ଥିତ ମେଦାନ୍ତ ହସ୍ପିଟାଲ ଓ ଆରଟିଆଇ କାର୍ଡିଆକ୍‌ ସାଇନ୍‌ସକୁ ପଠାଯିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସୁଚିତ୍ରାଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବାରୁ ଏହା ନ କରିବା ପାଇଁ ଡାକ୍ତରମାନେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲେ। ତେବେ ଏ ନେଇ ଲାଇସେନ୍ସ ମିଳି ସାରିଥିବାରୁ ପରବର୍ତ୍ତୀ ସମୟରେ କିଡ୍‌ନି ସହିତ ଅନ୍ୟାନ୍ୟ ଅଙ୍ଗ ମଧ୍ୟ ପ୍ରତିରୋପଣ କରାଯିବ ବୋଲି ଡା.ଦାସଅଧିକାରୀ ସମ୍ବାଦକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୩ ତାରିଖ ମଧ୍ୟରାତ୍ରରେ ଆପୋଲୋ ହସ୍ପିଟାଲରେ ରାଜ୍ୟର ପ୍ରଥମ କାଡାଭରିକ୍‌ ପ୍ରତିରୋପଣ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ପ୍ରିୟଙ୍କା ରାଣୀ ପାତ୍ରଙ୍କ ବ୍ରେନ୍ ଡେଡ୍‌ ହେବା ପରେ ତାଙ୍କର ଦୁଇଟି କିଡ୍‌ନି କଢ଼ା ଯାଇଥିଲା। ଏହି ଐତିହାସିକ ପ୍ରଥମ କାଡଭରିକ୍ ପ୍ରତିରୋପଣ ମଧ୍ୟ ଡା.ଦାସଅଧିକାରୀଙ୍କ ଟିମ୍‌ କରିଥିଲେ। ସେଥିରୁ ଗୋଟିଏ କିଡ୍‌ନି ଆପୋଲୋ ହସ୍ପିଟାଲରେ ଘନଶ୍ୟାମ ଜେନାଙ୍କ ଶରୀରରେ ଲଗାଯାଇଥିବା ବେଳେ ଅନ୍ୟ କିଡ୍‌ନିକୁ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଫିରୋଜ ସାହୁଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା। ଏଥିପାଇଁ ଏସ୍‌ସିବିର ସ୍ବତନ୍ତ୍ର ଡାକ୍ତରୀ ଦଳ ଆପୋଲୋ ହସ୍ପିଟାଲକୁ ଆସି କିଡ୍‌ନି ନେଇଯିବା ପରେ ଫିରୋଜଙ୍କ ଶରୀରରେ ପ୍ରତିରୋପଣ କରିଥିଲେ। ଏହାର କିଛି ଦିନ ପରେ ଘନଶ୍ୟାମ ଆପୋଲୋ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଫିରୋଜ ଦୁଇ ଦିନ ତଳେ ସୁସ୍ଥ ହୋଇ ଏସ୍‌ସିବିରୁ ଡିସଚାର୍ଜ ହୋଇଛନ୍ତି। ଆପୋଲୋରେ ଚିକିତ୍ସିତ ହେଉଥିବା ମୃତ ପ୍ରିୟଙ୍କାଙ୍କ ୫ ବର୍ଷର ଝିଅ ମଧ୍ୟ ଏବେ ସୁସ୍ଥ ହେବାରେ ଲାଗିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର