ପୁଲିସ ଗୁଳିରେ କ୍ୟାଡର ମାଓବାଦୀ ଶଙ୍କର ମୃତ୍ୟୁ ଘଟଣା: ଖାନତଲାସ ବେଳେ ବହୁ ମାରଣାସ୍ତ୍ର ମିଳିଲା

ଡିଜିପି ଅଭୟଙ୍କ ବଲାଙ୍ଗୀର ଗସ୍ତ, ସ୍ଥିତି ଅନୁଧ୍ୟାନ କଲେ

ବଲାଙ୍ଗୀର : ପୁଲିସ ଗୁଳିରେ ମୋଷ୍ଟୱାଣ୍ଟେଡ୍‌ କ୍ୟାଡର ମାଓବାଦୀ ଶଙ୍କର ନିହତ ହେବାପରେ ମାଓ ଅପସରେସନ୍‌ ସଂପର୍କରେ ଗଣମାଧ୍ୟମ ଆଗରେ ସବିଶେଷ ତଥ୍ୟ ରଖିଛି ପୁଲିସ। ଘଟଣାସ୍ଥଳରେ ଖାନତଲାସ ପରେ ବହୁ ମାରଣାସ୍ତ୍ର ମିଳିଥିବା କହିଛି।

ରବିବାର ବଲାଙ୍ଗୀର ରିଜର୍ଭ ପୁଲିସ ବାରାକ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଶ୍ରୀଅଭୟ କହିଛନ୍ତି ଯେ ମୃତ ଶଙ୍କର ବଲାଙ୍ଗୀର-ବରଗଡ଼- ମହାସମୁନ୍ଦ (ବିବିଏମ୍‌) ଡିଭିଜନରେ କାମ କରୁଥିଲା। ସେ ଛତିଶଗଡ଼ କ୍ୟାଡର୍‌ର ଜଣେ ମାଓ ଏରିଆ କମିଟି ମେମ୍ବର ଥିଲା। ଶନିବାର ଡିଭିଏଫ୍‌ର ଏକ ୮ଜଣିଆ ଟିମ୍‌ ଖପ୍ରାଖୋଲ ଥାନା ତେଲେନପାଲି ନିକଟ ଜୁନାନୀମାଲ‌ ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲା। ଏହି ସମୟରେ ସେଠାରେ ଏକ ତିନିଜଣିଆ ମାଓ ଟିମ୍‌ ଥିବା ସୂଚନା ପାଇଥିଲେ। ସାଙ୍ଗେ ସାଙ୍ଗେ ଉକ୍ତ ଟିମ୍‌ ଅପରେସନ ଆରମ୍ଭ କରିଥିଲେ। ମାଓବାଦୀମାନେ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ଏବଂ ଏହାର ଜବାବ ଯବାନମାନେ ଦେଇଥିଲେ। ପୁଲିସ ଗୁଳିରେ ଶଙ୍କର ଟଳି ପଡ଼ିଥିବାବେଳେ ଅନ୍ୟ ଦୁଇଜଣ ଫେରାର୍‌ ମାରିଥିଲେ। ଏହି ଘଟଣା ପରେ ଡିଭିଏଫ୍‌ର ସ୍ୱତନ୍ତ୍ର ଟିମ୍‌ ପଠାଯାଇ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍‌ ବନ୍ଧୁକ, ଦୁଇହଳ ଜୋତା, ମାଓ ପୁସ୍ତକ, ଲିଫ୍‌ଲେଟ୍‌, ଡିଟୋନେଟର, ମାଓ ପୋଷାକ ଆଦି ଜବତ କରାଯାଇଛି ବୋଲି ଡିଜି କହିଥିଲେ।

ପୁଲିସ ଡିଜି ଶ୍ରୀ ଅଭୟ ଆଜି ନିଜେ ଆସି ସ୍ଥିତିର ଅନୁଧ୍ୟାନ କରି ଅପରେସନରେ ଥିବା ଯବାନମାନଙ୍କୁ ପ୍ରଶଂସା କରିଥିଲେ। ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଡିଜିପି ଅଭୟଙ୍କ ସହିତ ଆଇଜି ଅପରେଏସନ୍‌ ଅମିତାଭ ଠାକୁର, ଏସ୍‌ଆଇଡବ୍ଲୁ ଡିଆଇଜି ଅଖିଳେଶ ସିଂହ, ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆସିଥିଲେ। ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଡାଗୁଡୁ, ସିଆର୍‌ପିଏଫ୍‌ ୧୮୯ ବାଟାଲିଆନର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର