ଅନେକ ବିଷୟର ପାଠ୍ୟକ୍ରମ ସଂଶୋଧନ ହୋଇନି
ବିଶ୍ବବିଦ୍ୟାଳୟ, କଲେଜରେ ବହୁ ପଦ ଖାଲି

ଭୁବନେଶ୍ବର : ଶିକ୍ଷା ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ସହୟତା ଯୋଗାଇବା ଲାଗି ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକରେ ‌କୌଣସି ପ୍ରଭାବୀ ବ୍ୟବସ୍ଥା ନାହିଁ। କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ଯାହା କିଛି ବ୍ୟବସ୍ଥା ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନ୍‌ସେଲିଂ ନାମକୁ ମାତ୍ର ରହିଛି। ଅନେକ କ୍ଷେତ୍ରରେ କ୍ୟାରିୟର କାଉନ୍‌ସେଲିଂ ଓ ନିଯୁକ୍ତି ମେଳା ଆୟୋଜନ କରାଯାଉନଥିବାରୁ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ବିଧାସଭାରେ ଉପସ୍ଥାପନ ହୋଇଥିବା ‘ରାଜ୍ୟରେ ଉଚ୍ଚ ଶିକ୍ଷାର ଫଳାଫଳ’ ସମ୍ପର୍କିତ ରିପୋର୍ଟରେ ଉଚ୍ଚ ଶିକ୍ଷାର ଦୟନୀୟ ସ୍ଥିତିକୁ ବର୍ଣ୍ଣନା କରାଯାଇଛି।

Advertisment

ଉଚ୍ଚ ଶିକ୍ଷା ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା ରହିବା ଦରକାର ବୋଲି ସିଏଜି କହିଛନ୍ତି। ଏହା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବା ଦରକାର। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନର ବିଷୟଗୁଡ଼ିକ ସଂଶୋଧନ ହେଉନଥିବାରୁ ସିଏଜି ଚିନ୍ତା ପ୍ରକଟ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୧୮ଟି ବିଷୟକୁ ଯାଞ୍ଚ କରିବା ପରେ ୧୫ଟି ବିଷୟ ନିର୍ଧାରିତ ସମୟ ଭିତରେ ସଂଶୋଧନ ହୋଇନଥିବା ଜଣାପଡ଼ିଛି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କେବଳ ଏକଚତୁର୍ଥାଂଶ ପାଠ୍ୟକ୍ରମ ନିଯୁକ୍ତି ‌ଉପରେ ଧ୍ୟାନ ଦେଇଥିବା ବେଳେ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନରେ ମୂଲ୍ୟଯୁକ୍ତ ଭିତ୍ତିକ ପାଠ୍ୟକ୍ରମ ନାହିଁ ବୋଲି ଅଡିଟ୍‌ ଯାଞ୍ଚରୁ ଜଣାପଡ଼ିଛି।

ପାଠପଢ଼ାଇବା ବେଳେ ଅଧ୍ୟାପକମାନେ ଟେକ୍ନୋଲୋଜି ବ୍ୟବହାର କରୁନାହାନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇସିଟି) ଭିତ୍ତିଭୂମି ଉପଲବ୍ଧତା ନଗଣ୍ୟ ସ୍ତରରେ ରହିଛି। ଶ୍ରେଶୀ ଗୃହ ଓ ପରୀକ୍ଷଣରେ ପ୍ରଯୁକ୍ତି ଜ୍ଞାନକୌଶଳ ବ୍ୟବହାର କରୁଥିବା ଅଧ୍ୟାପକଙ୍କ ସଂଖ୍ୟା କମ୍ ରହିଛି। ଦକ୍ଷ ଅଧ୍ୟାପକଙ୍କ ଘୋର ଅଭାବ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ୩୮% ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ୩୪ ପ୍ରତିଶତ ପଦ ଖାଲି ପଡ଼ିଛି। ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ନିର୍ଧାରିତ ଅନୁପାତ (୨୦:୧) ପାଳନ କରାଯାଉନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟରେ ଗବେଷଣା କାର୍ଯ୍ୟ ଶେଷ ହେବା ହାର ମାତ୍ର ୧୬ ପ୍ରତିଶତ ରହିଛି। ଉଭୟ ଉତ୍କଳ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ପେଟେଣ୍ଟ୍ ବିକାଶ ପ୍ରତି ଧ୍ୟାନ ଦିଆଯାଉନାହିଁ।

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସମୟକୁ ନେଇ ଉଚ୍ଚ ଶିକ୍ଷାର ଫଳାଫଳ ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ଏହି ସମୟରେ ଓଡ଼ିଶାର କଲେଜ ସାନ୍ଧ୍ରତା ୨୩ରେ ଅଟକି ରହିଛି। ନୂଆ କଲେଜ ଖୋଲିବା ପାଇଁ ସରକାର କୌଣସି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିନାହାନ୍ତି। କେଉଁ ଅଞ୍ଚଳ ଓ ବ୍ଲକ୍‌ଗୁଡ଼ିକରେ ଉଚ୍ଚ ଶିକ୍ଷାର ଅଭାବ ରହିଛି ତାହା ମଧ୍ୟ ଚିହ୍ନଟ କରାଯାଇନାହିଁ। ରାଜ୍ୟର ୧୯ଟି ବ୍ଲକ୍‌ରେ ଗୋଟିଏ ବି ଉଚ୍ଚ ଶିକ୍ଷା ଅନୁଷ୍ଠାନ ନାହିଁ। ରାଜ୍ୟର ମାତ୍ର ୧୨ ପ୍ରତିଶତ ସରକାରୀ କଲେଜ ଗ୍ରାମାଞ୍ଚଳରେ ରହିଥିବାରୁ ସିଏଜି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଭିନ୍ନକ୍ଷମମାନଙ୍କ ସୁବିଧା ଲାଗି ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥାନାହିଁ।

ସିଏଜି ଜଣାଇଛନ୍ତି ଯେ ୨୦ଟି ସ୍ବୟଂଶାସିତ ମହାବିଦ୍ୟାଳୟ ମଧ୍ୟରୁ ୧୪ଟି ମହାବିଦ୍ୟାଳୟ ସ୍ବୟଂଶାସିତ ସ୍ଥିତି ହରାଇଛନ୍ତି। ‌ସେଥିରେ ଆଉ ନବୀକରଣ କରାଯାଇନାହିଁ। ରାଜ୍ୟରେ ଥିବା ନାକ୍ ସ୍ବୀକୃତିପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ମଧ୍ୟ ଖରାପ ରହିଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ୨୦:୫୦ ପ୍ରତିଶତ ମହାବିଦ୍ୟାଳୟକୁ ନାକ୍ ସ୍ବୀକୃତି ମିଳିଥିଲା। ସ୍ବୀକୃତି ପାଇଥିବା ମହାବିଦ୍ୟାଳୟଗୁଡ଼ିକର ମାତ୍ର ୪.୨ ପ୍ରତିଶତ ଅର୍ଥାତ ୧୮୧ରୁ ମାତ୍ର ୮ଟି ମହାବିଦ୍ୟାଳୟ ‘ଏ’ ଗ୍ରେଡ୍‌ ହାସଲ କରିଛନ୍ତି। ଏହା ରାଜ୍ୟରେ ଉଚ୍ଚ ଶିକ୍ଷାରେ ଗୁଣବତ୍ତାର ଦୟନୀୟ ସ୍ଥିତିକୁ ଜଣାଉଛି। ଏଥିରେ ଉନ୍ନତି ଆଣିବା ଲାଗି ଅଧିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଉଚ୍ଚ ଶିକ୍ଷା ଫଳାଫଳ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ରାଜ୍ୟରେ ଥିବା ୯ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ବିଚାରକୁ ନିଆଯାଇଛି। ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ଅଧୀନରେ ଥିବା ୨୨୯ଟି କଲେଜ ମଧ୍ୟରୁ ୩୨ଟି କଲେଜକୁ ଅଡିଟ୍ ଯାଞ୍ଚ ପାଇଁ ଚୟନ କରାଯାଇଛି।