ଭୁବନେଶ୍ୱର : ରାଜ୍ୟ ଅର୍ଥନୀତିର ଗହନ କଥାକୁ ସିଏଜି ଆଜି ପଦାକୁ ଟାଣି ଆଣିଛନ୍ତି। ରାଜ୍ୟ ଆର୍ଥିକ ସ୍ଥିତିର ସମୀକ୍ଷା ସଂପର୍କିତ ସିଏଜିଙ୍କ ରିପୋର୍ଟରେ ବ୍ୟାଙ୍କ ଖାତାରେ ଅନିୟମିତ ଜମାଠାରୁ ଆରମ୍ଭ କରି ପାଣ୍ଠିର ତ୍ରୁଟିପୂର୍ଣ୍ଣ ଆକଳନ, ବଜେଟ୍ ବ୍ୟବସ୍ଥା ଠାରୁ ଅଧିକ ଦେୟ, ଆର୍ଥିକ ବର୍ଷ ଶେଷମାସରେ ପ୍ରଚୁର ଖର୍ଚ୍ଚ, ଆତ୍ମସାତ୍, କ୍ଷତି ଏବଂ ତୋଷରପାତ ଆଦି କ୍ଷେତ୍ରରେ କୋହଳ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଠାରିଛନ୍ତି। କେବଳ ସେତିକି ନୁହେଁ, ସରକାରଙ୍କର ଋଣକୁ ନିର୍ଭର କରି ବିକାଶ ରାସ୍ତାକୁ କିଭଳି ଆଗକୁ ନେବାକୁ ଚାହୁଁଛନ୍ତି, ସେକଥା ବି ଉଲ୍ଲେଖ କରିବାକୁ ସିଏଜି ଭୁଲିନାହାନ୍ତି। ୫ବର୍ଷ ଭିତରେ ଋଣ ପରିଣାମ ୮୦% ବଢିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଆଜି ବିଧାନସଭାରେ ଉପସ୍ଥାପିତ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ୨୦୧୬-୧୭ ରିପୋର୍ଟରେ କୁହାଯାଇଛି,ରାଜ୍ୟର ରାଜସ୍ୱ ଆୟ ୨୦୧୨-୧୩ରେ ୪୩ ହଜାର୯୩୭ କୋଟି ଟଙ୍କା ଥିଲା। ୨୦୧୬-୧୭ରେ ଏହା ୬୯% ବୃଦ୍ଧି ପାଇ ୭୪ ହଜାର ୨୯୯କୋଟିରେ ପହଞ୍ଚିଥିଲା। ରାଜସ୍ୱ ଆୟ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ୨୦୧୫-୧୬ରେ ୨୧% ଥିବା ବେଳେ ୨୦୧୬-୧୭ରେ କିନ୍ତୁ ୮%ରେ ପହଞ୍ଚିଥିଲା। ଅତଏବ ଅଭିବୃଦ୍ଧି ହାର ୧୩% ହ୍ରାସ ପାଇଥିଲା।
୫ବର୍ଷରେ ୮୦% ବଢିଛି
ରାଜସ୍ୱ ଆୟ ଓ ବ୍ୟୟ କମିଛି
୨୦୧୬-୧୭ ବର୍ଷରେ ରାଜସ୍ୱ ବ୍ୟୟ ୭୮% ଥିଲା। ଏହିବର୍ଷ ରାଜସ୍ୱ ବ୍ୟୟରେ ୬ ହଜାର ୨୩୫ କୋଟି ଟଙ୍କା ବୃଦ୍ଧି ପାଇଥିଲା। ଏହି ରାଜସ୍ୱ ବ୍ୟୟ ବୃଦ୍ଧିରେ ଯୋଜନା ରାଜସ୍ୱ ଖର୍ଚ୍ଚର ଅଂଶ ୩୩% (୨ହଜାର ୬୧ କୋଟି) ଥିଲା। ସେହିପରି ଅଣରାଜସ୍ୱ ବ୍ୟୟ ୨୦୧୨-୧୩ ତୁଳନାରେ ୨୦୧୬-୧୭ରେ ୬୧%କୁ ହ୍ରାସ ପାଇଥିଲା।
ଅଡିଟ୍ ଦର୍ଶାଇଛି, ସରକାର ନିଜସ୍ୱ ରାଜସ୍ୱ ଅପେକ୍ଷା ଋଣ ହାସଲ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ୨୦୧୨-୧୩ରେ ରାଜ୍ୟର ଋଣ ପରିମାଣ ଥିଲା ୨୩ ହଜାର ୩୧୭ କୋଟି ଟଙ୍କା। ୨୦୧୬-୧୭ରେ ତାହା ୪୨,୦୧୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୨ରୁ ୨୦୧୭ ଭିତରେ ଋଣ ପରିମାଣ ୮୦.୨୦% ବଢ଼ିଥିଲା।
ସେହିଭଳି ଋଣ ହାସଲ କରିବା ପାଇଁ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି, ପରିଶୋଧ କ୍ଷେତ୍ରରେ ସେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରିନଥିଲେ। ଫଳରେ ୨୦୧୨-୨୦୧୭ ମଧ୍ୟରେ ଋଣ ପରିଶୋଧ ଋଣ ପ୍ରାପ୍ତିର ପ୍ରତିଶତ ହିସାବରେ ୯୨.୮%ରୁ ହ୍ରାସ ପାଇ ୨୬.୩୯%ରେ ପହଞ୍ଚିଯାଇଥିଲା।
ସିଏଜି ଜଣାଇଛନ୍ତି ଯେ, ଚର୍ତୁଦଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ବିତ୍ତୀୟ ଦେୟତା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୨୫% ମଧ୍ୟରେ ସୀମିତ ରହିବା ଦରକାର। ୨୦୧୬-୧୭ ସୁଦ୍ଧା କିନ୍ତୁ ବିତ୍ତୀୟ ଦେୟତା ଜିଏସ୍ଡିପିର ୧୯% ରହିିଥିଲା।
ସେହିଭଳି ସରକାର ବିଭିନ୍ନ ନିଗମ, ଗ୍ରାମ୍ୟ ବ୍ୟାଙ୍କ, ଯୌଥ କଂପାନି ଓ ସମବାୟ ସଂସ୍ଥାରେ ୪୪୨୩ କୋଟି ୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେଥିମଧ୍ୟରୁ ୭୮% ପୁଞ୍ଜିନିବେଶ ଉପରେ କୌଣସି ଲାଭାଂଶ ଫେରସ୍ତ ମିଳିନଥିଲା।
ଓଡ଼ିଶା କୋଷାଗାର ସଂହିତା ବ୍ୟବସ୍ଥାକୁ ଖୋଲା ଉଲ୍ଳଘଂନ କରାଯାଇଥିବା ନେଇ ସିଏଜି ଆପତ୍ତି ରଖିଛନ୍ତି। କହିଛନ୍ତି, ବ୍ୟାଙ୍କ ଖାତାରେ ୧୫୭୧ କୋଟି ୫୨ ଲକ୍ଷ ଟଙ୍କା ଜମା ଅନିୟମିତ ଭାବେ ହୋଇଛି।
ପାଣ୍ଠି ଅଟକଳରେ ସରକାର କରିଥିବା ତ୍ରୁଟି ମଧ୍ୟ ସିଏଜିଙ୍କ ଆଖିରେ ପଡିଛି। ରାଜ୍ୟ ସରକାର ୧ଲକ୍ଷ ୪ ହଜାର ୪୩୦ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ୮୭ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିପାରିଥିଲେ। ଫଳରେ ୧୬ ହଜାର ୬୧୭ କୋଟି ଟଙ୍କା ସଞ୍ଚୟ ହୋଇଥିଲା। ଏଥିରୁ ଜଣାପଡ଼ୁଛି ଯେ ପାଣ୍ଠି ଅଟକଳ ଧାର୍ଯ୍ୟ କରିବାରେ ସରକାର ତ୍ରୁଟି କରିଥିଲେ।
ଅନ୍ୟପକ୍ଷରେ ଦେଖାଯାଇଥିଲା, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ଦ୍ୱାରା ବଜେଟ୍ରେ ଧାର୍ଯ୍ୟ କରାଯାଇଥିବା ଅଟକଳଠାରୁ ୬୦ କୋଟି ୨୬ ଲକ୍ଷ ଟଙ୍କା ଅଧିକ ବ୍ୟୟ କରାଯାଇଥିଲା। କିନ୍ତୁ ଏଥିପାଇଁ ବିଧାନସଭା ଅନୁମତି ନିଆଯାଇନଥିଲା। କେବଳ ସେତିକି ନୁହେଁ ଆର୍ଥିକ ବର୍ଷର ଶେଷ ମାସରେ ପ୍ରଚୁର ଖର୍ଚ୍ଚ କରାଯିବାରୁ ରାଜ୍ୟର ବିତ୍ତୀୟ ଶୃଙ୍ଖଳା ବିଗିଡ଼ିଯାଇଥିଲା ବୋଲି ସିଏଜି ଜଣାଇଛନ୍ତି। ୧୬ଟି ମାମଲାରେ ଅଡିଟ୍ ଟିମ୍ ଦେଖିଥିଲା ଯେ ୨୦୧୭ ମାର୍ଚ୍ଚ ମାସରେ ହିଁ ଶହେ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା।
ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ମଧ୍ୟ ଅହେତୁକ ବିଳମ୍ବ ନେଇ ସିଏଜି ତାଙ୍କ ରିପୋର୍ଟ ଉଲ୍ଲେଖ କରିଛନ୍ତି। ୨୦୧୭ ମାର୍ଚ୍ଚର୍ ସୁଦ୍ଧା ୩୫ଟି ବିଭାଗ ୩୦ ହଜାର ୫୩୪ କୋଟି ଟଙ୍କାର ସହାୟକ ଅନୁଦାନ ବିପକ୍ଷରେ ୟୁସି ଦାଖଲ କରିନଥିଲେ। ପଞ୍ଚାୟତିରାଜ ବିଭାଗ ଓ ନଗର ଉନ୍ନୟନ ବିଭାଗ ୟୁସି ଦାଖଲ କରିବାରେ ସବୁଠୁ ଅଧିକ ବିଳମ୍ବ କରିଥିଲେ।
ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ସ୍ଲୋଗାନ ବାଜି କରୁଥିବା ବେଳେ ବିଭାଗମାନେ ଅର୍ଥ ଆତ୍ମସାତ, ତୋଷରପାତ ଓ କ୍ଷତି ଆଦିରେ କିଭଳି କୋହଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାହାର ନମୂନା ସିଏଜି ରିପୋର୍ଟରେ ସ୍ଥାନ ପାଇଛି। ଶହେ କି ଦୁଇ ଶହ ନୁହେଁ, ସିଏଜି ଏଭଳି ୭୧୭ ଟି ମାମଲା ସଂପର୍କରେ ଅବଗତ କରାଇଛନ୍ତି। ୨୧୨ଟି ମାମଲା ଏଭଳି ରହିଛି, ଯେଉଁଥିରେ ୨୫ବର୍ଷ ଉର୍ଧ୍ୱ ଦିନ ହେଲା କାର୍ଯ୍ୟାନୁଷ୍ଠାନ ହୋଇନାହିଁ।