ଭୁବନେଶ୍ବର: ରାଜ୍ୟରେ ଲଘୁ ଖଣିଜ ଖନନରେ ହେଉଥିବା ବ୍ୟାପକ ହେରଫେରକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। ବୁଧବାର ବିଧାନସଭାରେ ଉପସ୍ଥାପିତ ରିପୋର୍ଟକୁ ଦେଖିଲେ ନିୟମକୁ କଡ଼ାକଡ଼ି କରିବାରେ ସରକାରୀ ଉଦାସୀନତା ଜଳଜଳ ଦିଶୁଛି। ବେଆଇନ ଖନନ ରୋକିବାରେ ତହସିଲଦାରମାନେ ବିଫଳ ହୋଇଛନ୍ତି। କେଉଁଠି ଠିକ୍ ଭାବେ ରୟାଲ୍ଟି ଓ ଅନ୍ୟାନ୍ୟ ଦେୟ ଆଦାୟ ହୋଇନି ତ ଆଉ କେଉଁଠି ବେଆଇନ ଖନନକୁ ରୋକାଯାଇନି। ଏହି କାରଣରୁ ୪୬୨୪.୫୮ କୋଟି ଟଙ୍କାର ଲଘୁ ଖଣିଜ ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
ସିଏଜି ରିପୋର୍ଟରେ କହିଛନ୍ତି ଯେ ପଥର ଖାଦାନ ଓ ବାଲି ଘାଟରେ ବ୍ୟାପକ ବେଆଇନ ଉତ୍ତୋଳନ ଓ ଖନନ ହେଉଛି। ଲିଜ୍ଧାରୀ ଆଇନର ବ୍ୟାପକ ଉଲ୍ଲଂଘନ କରିଛନ୍ତି। ଢେଙ୍କାନାଳ, ଯାଜପୁର, ଧର୍ମଶାଳା, ରାଉରକେଲା, ଯୁଯୁମୁରା, ବଲାଙ୍ଗୀର ପର୍ଯ୍ୟନ୍ତ ସବୁଠି ବେଆଇନ୍ ଭାବେ ଲଘୁ ଖଣିଜ ଉତ୍ତୋଳନ କରାଯାଇଛି। ଫଳରେ ସରକାରଙ୍କ ବ୍ୟାପକ ରାଜସ୍ବ ହାନି ହୋଇଛି। ଢେଙ୍କାନାଳର ଗେଙ୍ଗୁଟିଆ ବାରଦା ଖାଦାନରୁ ବ୍ୟାପକ ବାଲି ଚୋରି ହୋଇଛି। ଧର୍ମଶାଳାର ରାଧାପୁର କଳାପଥର ଖାଦାନରୁ ବିନା ଅନୁମତିରେ ପଥର ଖୋଳି ନିଆଯାଇଛି। ବଲାଙ୍ଗୀରର ଖପ୍ରାଖୋଲ ତହସିଲରେ ଅନୁମୋଦିତ ପରିମାଣଠାରୁ ଅଧିକ ଖଣିଜ ଖନନ ଯୋଗୁଁ ୧୨.୩୨ କୋଟି ଟଙ୍କା କ୍ଷତି ହୋଇଛି। ଧର୍ମଶାଳା, ରାଉରକେଲା ଓ ସମ୍ବଲପୁରରେ ପାଞ୍ଚଟି ଖାଦାନରୁ ଅଧିକ ପଥର ଖୋଳି ନିଆଯାଇଛି। ଯୁଯୁମୁରାରେ ପଥର ଖାଦାନରୁ ୪.୧୩ କୋଟି ଟଙ୍କାର ବକେୟା ଆଦାୟ ହୋଇପାରି ନଥିଲା। ଧର୍ମଶାଳା ତହସିଲର ଡଙ୍କାରୀ କଳାପଥର ଖଣିରୁ ମାତ୍ରାଧିକ ପଥର ଖୋଳି ନିଆଗଲା। କିନ୍ତୁ ତାହାର ପୁନଃମୂଲ୍ୟାୟନ କରିବାକୁ ଅଧିକାରୀମାନେ ଭୁଲିଗଲେ। ଏଭଳି କି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନୂଆ ନିର୍ଦ୍ଦେଶ ଜାରି କରାଗଲା ନାହିଁ। ଫଳରେ ସରକାରଙ୍କୁ ୫୮.୬୩ କୋଟି ଟଙ୍କା ହରାଇବାକୁ ପଡ଼ିଥିଲା।
ନିୟମ ମାନୁନାହାନ୍ତି ଲିଜ୍ଧାରୀ
ନଜର ରଖୁନାହାନ୍ତି ତହସିଲଦାର
ମେସିନ୍ ଲଗାଇ ବାଲି ଚୋରି
କୋରି ନେଇଗଲେ କଳାପଥର
ବାଲି ଚୋରିର ଅନେକ ଉଦାହରଣ ମଧ୍ୟ ରିପୋର୍ଟରେ ରହିଛି। ଧର୍ମଶାଳା ତହସିଲର ଛନ୍ଦାଦେଇପୁର ଓ ରାଇଛନ୍ଦାରେ ବ୍ରାହ୍ମଣୀ ନଦୀ, ବୁଢ଼ା ନଦୀର ଭଗବତପୁର ଓ ଟିପ୍ରା ଏବଂ ଋଷିକୁଲ୍ୟା ନଦୀର ହଂସପୁରଠାରେ ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବା ଅଡିଟ୍ ବେଳେ ଧରାପଡ଼ିଥିଲା। ଲିଜ୍ଧାରୀମାନେ ଲିଜ୍ ଡିଡ୍ କାର୍ଯ୍ୟକାରୀ ନ କରି ଏବଂ ବିନା ପରିବେଶ ମଞ୍ଜୁରିରେ ଖନନ କରୁଛନ୍ତି। କେତେକ ମାମଲାରେ ଜିଲ୍ଲାସ୍ତରୀୟ କମିଟି ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ବିନା ଖଣି କାର୍ଯ୍ୟକୁ ଅନୁମତି ଦେଇଥିଲେ। ଜଳେଶ୍ବର, ଗୁରୁଣ୍ଡିଆ ଓ ଜଗତସିଂହପୁର ତହସିଲରେ ତହସିଲଦାରମାନେ ପରିବେଶ ମଞ୍ଜୁରି ପାଇଁ ଆବେଦନ କରିନଥିଲେ। ଲିଜ୍ ଅବଧି ଭିତରେ ବିଡିଂ ପ୍ରକ୍ରିୟା ଶେଷ ହୋଇ ନ ପାରିବାରୁ ସରକାରଙ୍କ ୨୦.୧୦ କୋଟି ଟଙ୍କା ରାଜସ୍ବ ହାନି ହୋଇଥିଲା। ୧୦ ନିଲାମଧାରୀଙ୍କଠାରୁ ୯୨.୨୮ ଲକ୍ଷ କୋଟି ଟଙ୍କାର ଖଣିଜ ଶୁଳ୍କ ଓ ସୁଧ ଆଦାୟ କରାଯାଇନି। ସଂଶୋଧିତ ଦରରେ ରୟାଲ୍ଟି, ଭୂ-ରାଜସ୍ବ ଓ ଅତିରିକ୍ତ ଶୁଳ୍କ ଆକଳନ କରିବାରେ ଧର୍ମଶାଳା ତହସିଲଦାରଙ୍କ ବିଫଳତା ପାଇଁ ୮.୪୦ କୋଟି ଟଙ୍କା ହରାଇବାକୁ ପଡ଼ିଥିଲା। କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ୫୧.୬୯ କୋଟି ଟଙ୍କାର ଖଣିଜ ପଦାର୍ଥ ଖୋଳି ନିଆଯାଇଛି। ଖଣି ଆରମ୍ଭ ହେବା ପୂର୍ବରୁ କିମ୍ବା ପରେ ମାପ ହେଉନାହିଁ। ଏକ କଳାପଥର ଚୋରି ମାମଲାରେ ସରକାରଙ୍କୁ ୯୮.୩୦ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଥିଲା।
୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ୫୨୦ଟି ଲଘୁ ଖଣିଜ ପଦାର୍ଥ ଉତ୍ସରୁ ମାତ୍ର ୧୪୭ଟି କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ୩୭୩ଟି ବନ୍ଦ ରହିଥିଲା ବୋଲି ସିଏଜିଙ୍କ ରିପୋର୍ଟ କହୁଛି। ଖଣିଜ ଉତ୍ସ ନିଲାମରେ ମଧ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନଥିବାରୁ ସରକାରଙ୍କୁ ୬.୨୧ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ସେହିପରି ବିଡ୍ ଆହ୍ବାନ ପୂର୍ବରୁ ଆବଶ୍ୟକୀୟ ଔପଚାରିକତା ପୂରଣ କରାଯାଇ ନଥିବାରୁ ୨୦.୧୦ କୋଟି ଟଙ୍କା ମିଳିପାରି ନଥିଲା। ୧୦ ତହସିଲ ଓ ଦୁଇଟି ସବ୍ଡିଭିଜନ୍ରେ ଲଘୁ ଖଣିଜ ଚୋରି ରୋକିବା ଲାଗି ଓଡ଼ିଶା ଶିଳ୍ପ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନି। ଚୋରି ରୋକିବାକୁ ୧୦୬୨ଥର ଚଢ଼ଉ ଆବଶ୍ୟକ ଥିବାବେଳେ ମାତ୍ର ୧୬ ଥର ଚଢ଼ଉ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/03/LBrlVWPfD5uSVCE5r4VA.jpg)