ଭୁବନେଶ୍ବର: ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲରେ ରହିଥିବା ତ୍ରୁଟିକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ହିସାବ ଖାତା ସମ୍ପର୍କିତ ଅଡିଟ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୫,୯୩୦ କୋଟି ଟଙ୍କା ଜାରି କରିଥିଲେ ଯେଉଁଥିପାଇଁ ବିନିଯୋଗ ପ୍ରମାଣପତ୍ର ଦାଖଲ ହେବା ଉଚିତ। ମାତ୍ର ୨୦୨୨ ଜୁନ୍ ୩୦ ସୁଦ୍ଧା ୧୮,୧୦୪.୧୫ କ‌ୋଟି ଟଙ୍କାର ୟୁସି ଦାଖଲ ହୋଇନଥିଲା ଯାହା ଜାରି ହୋଇଥିବା ମୋଟ ରାଶିର ପ୍ରାୟ ୭୦ ପ୍ରତିଶତ। ତେଣୁ ସେହି ଟଙ୍କା ଯେଉଁ ଉଦ୍ଦେଶ୍ୟରେ ଜାରି ହୋଇଥିଲା ସେଥିପାଇଁ ଖର୍ଚ୍ଚ ହୋଇଛି ବୋଲି କୁହାଯାଇପାରିବ ନାହିଁ। ସିଏଜି ଏହା ମଧ୍ୟ ଜଣାଇଛନ୍ତି ଯେ ୧୭ଟି ବିଭାଗର ୧,୩୪୨.୩୪ କୋଟି ଟଙ୍କା ବ୍ୟୟ ବାବଦ ୟୁସି ୧୦ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଛି। ୟୁସି ନିମଳିବା ଅର୍ଥ ସେହି କାରବାରରେ ଠକେଇ କିମ୍ବା ସେହି ଅର୍ଥକୁ ଆତ୍ମସାତ କରାଯାଇଥିବା ସନ୍ଦେହ ସୃଷ୍ଟି ହେଉଛି।

Advertisment

ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୧,୩୩୮.୨୦ କୋଟି ଟଙ୍କାର ବ୍ୟୟକୁ ଭୁଲବଶତଃ ପୁଞ୍ଜି ବ୍ୟୟ ବୋଲି ଦର୍ଶାଯାଇଛି। ଏହା ଦ୍ବାରା ପୁଞ୍ଜି ବ୍ୟୟରେ ବୃଦ୍ଧିକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ବେଳେ ରାଜସ୍ବ ବ୍ୟୟ ପରିମାଣ କମ୍ ପ୍ରଦର୍ଶିତ ହୋଇଛି। ଓଡ଼ିଶା ଖଣିଜ ଫାଉଣ୍ଡେସନ (ଡିଏମ୍ଏଫ୍‌) ଟ୍ରଷ୍ଟ୍‌ରେ ୨୦୨୨ ମାର୍ଚ୍ଚ ସୁଦ୍ଧା ଖଣି ଲିଜଧାରୀମାନେ ୧୮,୭୩୦.୨୭ କୋଟି ଟଙ୍କା ଜମା କରିଥିଲେ। ସେଥିରୁ ୯,୭୫୯.୩୮ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ରାଜ୍ୟର ଡିଏମ୍ଏଫ୍‌ ଟ୍ରଷ୍ଟ୍‌ ଖାତାରେ ୮,୯୭୦.୮୯ କୋଟି ଟଙ୍କାର ବାଲାନ୍ସ ରହିଥିଲା। ଭାରତ ସରକାର ନିର୍ଧାରଣ କରିଥିବା ନିୟମ ଅନୁସାରେ ଏହି ରାଶି ରାଜ୍ୟ ସରକାରଙ୍କ ପବ୍ଲିକ୍ ଆକାଉଣ୍ଟ୍‌ରେ ରହିବାର ଥିଲା ବୋଲି ସିଏଜି ଜଣାଇଛନ୍ତି।

ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ମୋଟ ଋଣ ପରିମାଣ ୭୨,୪୮୫ କୋଟି ଟଙ୍କା ରହିଛି। ସେଥିରୁ ଆଭ୍ୟନ୍ତୀଣ ଋଣ ୫୩,୯୭୭.୨୪ କୋଟି ଟଙ୍କା ରହିଛି। ଭାରତ ସରକାରଙ୍କଠାରୁ ଋଣ ଓ ଅଗ୍ରୀମ ଆକାରରେ ରାଜ୍ୟ ସରକାର ୧୮,୫୦୭.୮୨ କୋଟି ଟଙ୍କା ଆଣିଛନ୍ତି। ରାଜ୍ୟ ସରକାରଙ୍କ ପ୍ରମୁଖ ରାଜସ୍ବ ଉତ୍ସ ହେଉଛି ଖଣି। ଏହି କ୍ଷେତ୍ରରୁ ସରକାର ୨୦୨୦-୨୧ରେ ୪୯,୮୫୯ କୋଟି ଟଙ୍କାର ରାଜସ୍ବ ପାଇଥିଲେ। ଜିଏସ୍‌ଟି ଆକାରରେ ସରକାର ୨୭,୮୨୬ କ‌ୋଟି ଟଙ୍କା ହାସଲ କରିଥିବା ବେଳେ ରାଜ୍ୟର ରାଜସ୍ବ ବ୍ୟୟ ୯୫,୩୧୧ କୋଟି ଟଙ୍କାରୁ ବୃଦ୍ଧି ପାଇ ୧,୦୯,୫୮୬ କୋଟି ଟଙ୍କା ହୋଇଛି। ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ୭୭,୬୭୦ କୋଟି ଟଙ୍କା ଓ ପ୍ରଶାସନିକ ବ୍ୟୟ ୫୬,୩୨୮.୬୯ କୋଟି ଟଙ୍କାକୁ ମିଶାଇ ମୋଟ ବ୍ୟୟ ୧,୩୩,୯୯୮.୭୦ କୋଟି ଟଙ୍କା ହୋଇଛି। ମୋଟ ଖର୍ଚ୍ଚର ୫୮ ପ୍ରତିଶତ କାର୍ଯ୍ୟକ୍ରମ ଖର୍ଚ୍ଚ ଥିଲା। ରାଜ୍ୟ ଯୋଜନାରେ ୫୨,୭୧୭ କୋଟି ଟଙ୍କା ଓ କେନ୍ଦ୍ର ପ୍ରବର୍ତ୍ତିତ ‌ଯୋଜନାରେ ୨୪,୬୧୪ କୋଟି ଟଙ୍କା ଥିଲା। ୨୦୨୦-୨୧ରେ ୯,୭୧୯.୯୫ କୋଟି ଟଙ୍କାର ଅନୁଦାନ ଅନାବଶ୍ୟକ ସାବ୍ୟସ୍ତ ହୋଇଛି। କାରଣ ବର୍ଷ ଶେଷ‌ ସୁଦ୍ଧା ମୂଳ ଅନୁଦାନ ବି ଖର୍ଚ୍ଚ ହୋଇନଥିଲା।