କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଅନୁଦାନରେ ନିର୍ମିତ ବିଭିନ୍ନ ପ୍ରକଳ୍ପରେ ମାଳମାଳ ଦୁର୍ନୀତି ହୋଇଛି। ପୂର୍ବରୁ ଡିଏମ୍‌ଏଫ୍‌ରୁ ବିନିଯୋଗ ହେଉଥିବା ଅର୍ଥର ଅଡିଟ୍‌ କରୁଥିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଫାର୍ମ। ଏବେ ସିଏଜି ଏହାର ଅଡିଟ୍‌ କରିବେ। ସିଏଜି ଅଡିଟ ହେଲେ ଡିଏମ୍‌ଏଫ୍‌ରେ ହୋଇଥିବା ବିଭିନ୍ନ ଦୁର୍ନୀତି ପଦାକୁ ଆସିବ। ୨୦୧୫-୧୬ ମସିହାରୁ ଆରମ୍ଭ ହୋଇଥିବା କେନ୍ଦୁଝର ଡିଏମ୍‌ଏଫ୍‌ର ପରିଚାଳନା ଦାୟିତ୍ବ ନେଇଛି ‘ଇ ଆଣ୍ଡ ୱାଇ’। ସ୍ଥାନୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଜରିଆରେ ପୂର୍ବରୁ ଡିଏମ୍‌ଏଫ୍‌ର ଅଡିଟ୍‌ ହେଉଥିଲା। ୨୦୧୫ରୁ ୧୦୧୮ପର୍ଯ୍ୟନ୍ତ ସାମଲ ଆଣ୍ଡ ଆସୋସିଏଟ୍‌ସ ଏହାର ଅଡିଟ୍‌ କରିଥିବା ବେଳେ ୨୦୧୮-୧୯ରେ ଭୁବନେଶ୍ବରସ୍ଥିତ ଏସ୍‌ସିଏମ୍‌ ଆସୋସିଏଟ୍‌ ଫାର୍ମ, ୨୦୧୯-୨୦ରେ ନାଗ୍‌ ଆଣ୍ଡ ଆସୋସିଏଟ୍‌ସ ଫାର୍ମ ଅଡିଟ୍‌ କରିଥିଲେ। ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ତଦନ୍ତ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ସିଏଜି ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗର ଅଡିଟ୍‌ କରିବ ବୋଲି ଜଣାପଡ଼ିଛି।

Advertisment

ଏଥିପାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପିକେ ମହାକୁଡ଼ ଆକାଉଣ୍ଟସ୍‌ ଜେନେରାଲ (ଅଡିଟ-୨)କୁ ଚିଠି ଲେଖି ଜଣାଇଛନ୍ତି। ଚିଠି ନମ୍ବର-୧୦୯୩୬ରେ ଦର୍ଶାଯାଇଛି ଯେ ଡିଏମ୍‌ଏଫ୍‌ ଟ୍ରଷ୍ଟ ସମେତ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟଦକ୍ଷତା ସମ୍ପର୍କରେ ସିଏଜିଙ୍କ ଦ୍ବାରା ଅଡିଟ୍‌ ହେବ। ଏଥିପାଇଁ ଡିଏମ୍‌ଏଫ୍‌ ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ନେଇ ଏକ ଏଣ୍ଟ୍ରି କନ‌୍‌ଫରେନ୍ସ ପାଇଁ ଚିଠି କରିଥିଲେ। ଏଣ୍ଟ୍ରି କନ୍‌ଫରେନ୍ସରେ ବିଭାଗୀୟ ମୁଖ୍ୟ ବା ଜିଲ୍ଲାପାଳମାନେ ଯୋଗଦେଇ ଅଡିଟ୍‌ ସମ୍ପର୍କରେ ଆଲୋଚନା କରିଥାନ୍ତି। ଇତିମଧ୍ୟରେ ଭିଡିଓ କନ୍‌ଫରେନ୍ସିଂରେ ଏଣ୍ଟ୍ରି କନ୍‌ଫରେନ୍ସ ଶେଷ ହୋଇଛି। ଖୁବ୍‌ଶୀଘ୍ର ଅଡିଟ୍‌ ଆରମ୍ଭ ହେବ ବୋଲି ଜଣାପଡ଼ିଛି। 

ଏ ସମ୍ପର୍କରେ ଡିଏମ୍‌ଏଫ୍‌ ଟଷ୍ଟ୍ରର ସିଇଓ କୁମାର ନାଗଭୂଷଣଙ୍କୁ ପଚାରିବାରୁ, ଅଡିଟ୍‌ ପୂର୍ବରୁ ଏଣ୍ଟ୍ରି କନ୍‌ଫରେନ୍ସ ସରିଛି। କିଛିଦିନ ପରେ ସିଏଜି ଅଡିଟ୍‌ ଆରମ୍ଭ ହେବ ବୋଲି ‌ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଡିଏମ୍‌ଏଫ୍‌ ଷ୍ଟିକର ଦୁର୍ନୀତି ନେଇ ଅତିରିକ୍ତ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ଼, କେନ୍ଦୁଝର ଜିଲ୍ଲାପାଳ ତଥା ଡିଏମ୍‌ଏଫ୍‌ ଟ୍ରଷ୍ଟର ଅଧ୍ୟକ୍ଷ ବିଶାଲ ସିଂହଙ୍କୁ ଚିଠି ଲେଖି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ଉତ୍ତରାଞ୍ଚଳ ଆର୍‌ଡିସି ମଧ୍ୟ ସମସ୍ତ କାଗଜପତ୍ର ସମୀକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।