ଭୁବନେଶ୍ବର: ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ଇନ୍ଦିରା ଆବାସ ଯୋଜନାକୁ ପୁନର୍ଗଠନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନାକୁ ୨୦୧୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ କରିଥିଲେ। ଗୃହ ଲୋକଙ୍କ ପାଇଁ ଏକ ମୌଳିକ ଆବଶ୍ୟକତା। ଏଥିସହିତ ଜାତିସଂଘ ଦ୍ବାରା ଧାର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଏବଂ ଲୋକଙ୍କୁ ସ୍ବାସ୍ଥ୍ୟକର ପରିବେଶ ଯୋଗାଇ ଦେବା ଲାଗି ଗୃହ ପ୍ରଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ହେଲେ ଏହାକୁ ଯେଭଳି ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯିବା କଥା ତାହା କରାଯାଇ ନାହିଁ। ଏଣୁ ରାଜ୍ୟର ଗ୍ରାମାଞ୍ଚଳରେ ୮.୫୯ ଲକ୍ଷ ହିତାଧିକାରୀ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ ଓ ମହା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି।

Advertisment

ସରକାରୀ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ହିତାଧିକାରୀଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଥାନ୍ତି। କିନ୍ତୁ ସିଏଜି ଅଡିଟ୍‌ରୁ ଜଣାଯାଇଛି ଯେ ଗ୍ରାମସଭା ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିବା ୮.୫୯ ଲକ୍ଷ ଲୋକଙ୍କୁ ପରମାନେଣ୍ଟ ୱେଟିଂ ଲିଷ୍ଟ (ସ୍ଥାୟୀ ଅପେକ୍ଷା ତାଲିକା)ରୁ ବାଦ୍ ଦିଆଯାଇଛି। ଏଥିଯୋଗୁ ଏହି ସଂଖ୍ୟକ ପରିବାର ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। କେବଳ ସେତିକି ନୁହେଁ ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ସୁଦ୍ଧା ପରମାନେଣ୍ଟ ୱେଟିଂ ଲିଷ୍ଟ୍‌ ଚୂଡ଼ାନ୍ତ କରାଯାଇ ପାରି ନଥିଲା। ଅନ୍ୟ ଏକ ପ୍ରସଙ୍ଗ ହେଲା ବିଭିନ୍ନ ବର୍ଗରେ ଉପଯୁକ୍ତ ପରିବାର ଉପଲବ୍ଧ ନହେବାରୁ ରାଜ୍ୟକୁ ଟାର୍ଗେଟର ୫.୨୭ ଲକ୍ଷ ଆବଣ୍ଟିତ ଘରକୁ ସରେଣ୍ଡର କରିବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ, କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନ କରି ନପାରିବାରୁ ୧୨.୨୫ ଲକ୍ଷ ହିତାଧିକାରୀଙ୍କୁ ପରମାନେଣ୍ଟ ୱେଟିଂ ଲିଷ୍ଟ ତାଲିକାରେ ସାମିଲ କରାଯାଇ ପାରି ନଥିଲା। ଏଥିଯୋଗୁ ସେମାନେ ମଧ୍ୟ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ସେହିଭଳି ଭୂମିହୀନ ବ୍ୟକ୍ତିଙ୍କୁ ଉକ୍ତ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ରାଜ୍ୟ ସରକାର ଏଥିପାଇଁ ବାସୋପଯୋଗୀ ଜମି ପ୍ରଥମେ ଯୋଗାଇ ଦେବା ଆବଶ୍ୟକ। ହେଲେ ସିଏଜି ତାଙ୍କ ଅଡିଟ୍‌ରୁ ଜାଣିବାକୁ ପାଇଛନ୍ତି ଯେ, ୭୦ ପ୍ରତିଶତ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦିଆଯାଇ ପାରି ନଥିଲା। ଏହାର କାରଣ ହେଲା ରାଜ୍ୟ ସରକାର ସେମାନଙ୍କୁ ବାସୋପଯୋଗୀ ଜମି ଯୋଗାଇ ପାରିନାହାନ୍ତି। ୫୭୯୩୩୨ ଜଣଙ୍କ ମଧ୍ୟରୁ ଏମାନଙ୍କ ସଂଖ୍ୟା ପାଖାପାଖି ୪୦୬୦୮।

ଗ୍ରାମସଭାରେ ଯୋଗ୍ୟ, ତାଲିକାରେ ଅଯୋଗ୍ୟ
୭୦ ପ୍ରତିଶତ ଭୂମିହୀନ ହିତାଧିକାରୀଙ୍କୁ
ଜମି ଯୋଗାଇ ପାରିନାହାନ୍ତି
ଅନ୍ୟ ଆକାଉଣ୍ଟକୁ ୧୮ କୋଟି ସ୍ଥାନାନ୍ତର
ଘରେ ନାହିଁ ପାଣି, ପାଇଖାନା, ବିଜୁଳି

ଷ୍ଟେଟ୍‌ ନୋଡାଲ ଆକାଉଣ୍ଟ୍‌ରୁ ଉକ୍ତ ଯୋଜନାର ପ୍ରଶାସନିକ ବ୍ୟୟ ବାବଦ ରାଶି ସ୍ଥାନାନ୍ତର ଆବାସସଫ୍ଟ ଏବଂ ପିଏଫଏମଏସ ପ୍ଲାଟଫର୍ମକୁ ବ୍ୟବହାର କରି କେବଳ ପାଣ୍ଠି ସ୍ଥାନାନ୍ତର ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ଅନିୟମିତତା ହୋଇଛି। ପ୍ରଶାସନିକ ବ୍ୟୟ ପାଇଁ ଆଇସିଆଇସିଆଇ ବ୍ୟାଙ୍କର ଏକ ଆକାଉଣ୍ଟକୁ ବ୍ୟବହାର କରାଯାଇଥିଲା ଏବଂ ୧୮.୧୦ କୋଟି ଟଙ୍କା ଅନିୟମିତ ଭାବେ ସ୍ଥାନାନ୍ତର କରାଯାଇଥିଲା।

ହିତାଧିକାରୀଙ୍କୁ ଘର ମଞ୍ଜୁର ହେବାପରେ ଠିକ୍‌ ସମୟରେ ମଧ୍ୟ ଅର୍ଥ ପ୍ରଦାନ କରାଯାଇ ନାହିଁ। ଘର ମଞ୍ଜୁର ହେବାର ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯିବା କଥା। କିନ୍ତୁ ୪୧୧୪୬ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥ ଗୃହ ମଞ୍ଜୁରର ୭ ଦିନରୁ ୧୫୭୬ ଦିନ ପର୍ଯ୍ୟନ୍ତ ବିଳମ୍ବରେ ପାଇଛନ୍ତି।
ଅନ୍ୟାନ୍ୟ ଯୋଜନାରୁ ପାଣ୍ଠି ସଂଗ୍ରହ କରିବାରେ ବିଫଳତା କାରଣରୁ ହିତାଧିକାରୀମାନେ ମୌଳିକ ସୁବିଧା ଯେପରିକି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ଆଦିରୁ ବଞ୍ଚିତ ହୋଇଛନ୍ତି। ଅଡିଟ୍‌ରୁ ଜଣାପଡ଼ିଥିଲା ଯେ ୬୪୭ଟି ସଂପୂର୍ଣ୍ଣ ହୋଇଥିବା ଘର ମଧ୍ୟରୁ ୩୪୭ଟି ଘରେ କୌଣସି ଶୌଚାଳୟ ନଥିଲା। ୧୨୨ଟି ଘରେ ପାନୀୟ ଜଳ ସୁବିଧା ନଥିଲା। ୧୯୯ଟି ଘରେ କୌଣସି ବିଦ୍ୟୁତ୍‌ ସଂଯୋଗ କରାଯାଇ ନଥିଲା। ୨୯୧ଟି ଘରେ ଏଲପିଜି ବ୍ୟବସ୍ଥା ନଥିଲା। ଏପରିକି ୨୨ଟି ଘରକୁ କୌଣସି ଯୋଗାଯୋଗ ରାସ୍ତା ନଥିଲା। ଏହାବ୍ୟତୀତ ଅନ୍ୟାନ୍ୟ ମାଳମାଳ ଅନିୟମିତତା ସଂପର୍କରେ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। କାର୍ଯ୍ୟ ନିର୍ଦ୍ଦେଶ ଜାରିରେ ଜାଲିଆତି ଠାରୁ ଆରମ୍ଭ କରି ଅଣ ହିତାଧିକାରୀମାନଙ୍କୁ ଦେୟ ପ୍ରଦାନ କରାଯାଇଛି। ଅସଂପୂର୍ଣ୍ଣ ଘରଗୁଡ଼ିକୁ ଆବାସସଫ୍ଟରେ ସଂପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲା। ବ୍ୟବସାୟିକ ଉଦ୍ଦେଶ୍ୟରେ ଏବଂ ବଡ଼ ଆକାରରେ ଘର ନିର୍ମାଣ କରାଯିବା ମଧ୍ୟ ପରିଲକ୍ଷିତ ହୋଇଥିଲା। ସେହିଭଳି ପ୍ରଶାସନିକ ପାଣ୍ଠିରୁ ଅଗ୍ରାହ୍ୟ ସାମଗ୍ରୀ ଉପରେ ୭.୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଂଜାମ, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ସିଏଜି ନମୁନା ଘରର ଅଡିଟ୍ କରିଥିଲେ। ଆବାସସଫ୍ଟ ତଥ୍ୟରେ ଗୃହଗୁଡ଼ିକର ଭୌଗୋଳିକ ସ୍ଥିତି ସଂପର୍କରେ ବିଶ୍ଳେଷଣ କରାଯାଇଥିଲା। ଏଥିରୁ ଜଣାଯାଇଥିଲା ଯେ ୩୫୨୧ଟି ଘର ରାଜ୍ୟ ବାହାରେ ଦର୍ଶାଉଛି। ତେଣୁ ଆବାସସଫ୍ଟ ତଥ୍ୟର ସତ୍ୟତାକୁ ନେଇ ସିଏଜି ସନ୍ଦେହ ପ୍ରକଟ କରିଛନ୍ତି।