ଜମି କାଗଜପତ୍ର ଠିକ୍ ଭାବେ ଯାଞ୍ଚ ହେଉନି
ଏଗ୍ରୋ ସର୍ଭିସ୍ ଷ୍ଟେସନ ସ୍ଥାପନରେ ବିଳମ୍ବ
ଜିଲ୍ଲାପାଳ ଦେଲେନି ସାର୍ଟିଫିକେଟ୍, ଚାଷୀ ପ୍ରଭାବିତ
ଭୁବନେଶ୍ବର : ଓଡ଼ିଶାରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଗୁଡ଼ିକର ତ୍ରୁଟି ଧରିଛନ୍ତି ସିଏଜି। ଅଡିଟ୍ ବେଳେ ଜଣାପଡ଼ିଛି ଯେ ଯାଞ୍ଚ ହୋଇଥିବା ୨୭ଟି ପାକ୍ସରେ କିସାନ କ୍ରେଡିଟ୍ କାର୍ଡ (କେସିସି) ରଖିଥିବା ଚାଷୀଙ୍କ ଜମି କାଗଜପତ୍ରକୁ ଠିକ୍ ଭାବେ ଯାଞ୍ଚ ନକରି ଋଣ ମଞ୍ଜୁର କରାଯାଇଥିଲା। ପ୍ରାୟ ୩୮.୩୪ ପ୍ରତିଶତ ଋଣକୁ ପାକ୍ସଗୁଡ଼ିକ ନୂଆ ଋଣ ଭାବେ ପ୍ରଦର୍ଶିତ କରିଥିଲେ ମଧ୍ୟ ବାସ୍ତବରେ ସେହି ଟଙ୍କା ଚାଷୀମାନଙ୍କୁ ଆବଣ୍ଟିତ କରାଯାଇନଥିଲା। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସ୍ସିବି) ୧୭.୪୩ କୋଟି ଟଙ୍କା ଖର୍ଚ୍ଚ କରି ୧୮.୪୮ ଲକ୍ଷ ରୁପେ କିସାନ କାର୍ଡ ପ୍ରିଣ୍ଟ୍ କରିଥିଲା। କିନ୍ତୁ ନିର୍ଧାରିତ ସମୟରେ ସେଗୁଡ଼ିକୁ ସକ୍ରିୟ କରାଯାଇନଥିଲା। ସେଥିପାଇଁ ଚାଷୀମାନେ କୌଣସି ବ୍ୟାଙ୍କ ଶାଖା କିମ୍ବା ଏଟିଏମ୍ରୁ ଟଙ୍କା ଉଠାଣ ସୁବିଧା ପାଇବାରୁ ବଞ୍ଚିତ ହୋଇଥିଲେ। ଏହା ବ୍ୟତୀତ କାର୍ଡ ପ୍ରିଣ୍ଟ୍ କରିବା ବାବଦରେ ଖର୍ଚ୍ଚ ହୋଇଥିବା ୧୭.୪୩ କୋଟି ଟଙ୍କା କ୍ଷତି ହୋଇଥିଲା।
ଚାଷୀମାନଙ୍କୁ ବର୍ଷକୁ ଦୁଇ ଲକ୍ଷ କିସାନ କ୍ରେଡିଟ୍ କାର୍ଡ ଜାରି କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପ୍ରତିବର୍ଷ ୧୬.୫୦ ପ୍ରତିଶତରୁ ୬୧ ପ୍ରତିଶତ ଯୋଗ୍ୟ ଚାଷୀଙ୍କୁ ଏହି କାର୍ଡ ଜାରି କରାଯାଇନଥିଲା। ଫଳରେ ଏହି ଚାଷୀମାନେ କାର୍ଡର ଲାଭ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ଏକ ଚିନ୍ତାର ବିଷୟ ହେଉଛି ଜମି ରେକର୍ଡକୁ ପାକ୍ସଗୁଡ଼ିକ ଭଲ ଭାବେ ଯାଞ୍ଚ କରୁନାହାନ୍ତି। ଅଡିଟ୍ ବେଳେ ୩୯,୧୬୫ ଜମି ରେକର୍ଡର ଅନୁଶୀଳନ ବେଳେ ୬୯୯୧ଟି ରେକର୍ଡର ଠିକ୍ ଭାବେ ଯାଞ୍ଚ ହୋଇନଥିବା ଜଣାପଡ଼ିଥିଲା। ୫୫ ଜଣ ଚାଷୀଙ୍କ ୧୭୧ଟି ଜମି ରେକର୍ଡ ଯାଞ୍ଚ କରିବା ବେଳେ ୭୧ଟି ମାମଲାରେ ଜଣାପଡ଼ିଥିଲା ଯେ ଚାଷୀ ଦେଇଥିବା କାଗଜପତ୍ର ଭୂଲେଖରେ ଥିବା ତଥ୍ୟ ସହ ମେଳ ଖାଇନଥିଲା। ରାଜସ୍ବ ଅଧିକାରୀମାନଙ୍କ ଅଭାବ ଏବଂ ସେମାନେ ଆଗ୍ରହ ଦେଖାଉନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ଜଣାପଡ଼ିଛି। ପାକ୍ସର ତଥ୍ୟକୁ ଭୂଲେଖ ପୋର୍ଟାଲ୍ ସହ ଯୋଡ଼ିବାକୁ ଅଡିଟ୍ ରିପୋର୍ଟରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି।
ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍ରେ ରାଜ୍ୟରେ ୧୫୦ ଏଗ୍ରୋ ସର୍ଭିସ୍ ସେଣ୍ଟର୍ (ଏଏସ୍ସି) ସ୍ଥାପନ କରିବା ଲାଗି ରାଜ୍ୟ ସରକାର ୨୦୧୩ ନଭେମ୍ବରରେ ୯ କୋଟି ଟଙ୍କା ମଞ୍ଜୁର କରିଥିଲେ। ୨୦୧୯ ଅକ୍ଟୋବର ସୁଦ୍ଧା ବିଭିନ୍ନ ନଥିପତ୍ର ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ ପାକ୍ସ ଓ ଲାମ୍ପସ୍ ସ୍ତରରେ ୧୦୦ ଏସିଏସ୍ ସ୍ଥାପନ କରିବାକୁ ୨୦୧୭ ଫେବ୍ରୁଆରିରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଓଏସ୍ସିବିକୁ ନାବାର୍ଡ ୫.୪୩ କୋଟି ଟଙ୍କା ଦେଇଥିଲା। ମାତ୍ର ଏହି ସ୍କିମ୍ ପାଞ୍ଚ ବର୍ଷ ପୂରଣ କରିବା ସତ୍ତ୍ବେ କୌଣସି ଏଏସ୍ସି ସ୍ଥାପନ ହୋଇପାରିନାହିଁ। ଏଥିପାଇଁ ୩୧ଟି ପାକ୍ସ ଓ ଲାମ୍ପସ୍କୁ ଯେଉଁ ଯନ୍ତ୍ରାଂଶ ଓ ଉପକରଣ ଦିଆଯାଇଥିଲା ତାହା ମଧ୍ୟ ବ୍ୟବହାର ହୋଇପାରିନାହିଁ। ଫଳରେ ଚାଷୀମାନେ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି।
ମରୁଡ଼ି ପ୍ରଭାବିତ ଚାଷୀମାନଙ୍କୁ ମଧ୍ୟ ଠିକ୍ ଭାବେ ରିଲିଫ୍ ପ୍ରଦାନ କରାଯାଇପାରିନଥିବା ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି। ୨୦୧୫ ଖରିଫ୍ ଋତୁରେ ରାଜ୍ୟର ୨୭ଟି ଜିଲ୍ଲାର ୨୩୩ଟି ବ୍ଲକ୍ ଅଧୀନରେ ଥିବା ୨୯,୦୭୭ଟି ଗାଁ ଓ ୫୫ଟି ପୌରାଞ୍ଚଳ ଅଧୀନରେ ଥିବା ୪୦୪ଟି ୱାର୍ଡ ମରୁଡ଼ି ପ୍ରଭାବିତ ବୋଲି ଘୋଷଣା କରାଯାଇଥିଲା। ୨୦୧୬ ମାର୍ଚ୍ଚ ସୁଦ୍ଧା ‘ଆନେୱାରି’ ସାର୍ଟିଫିକେଟ୍ ଦାଖଲ କରିବାରେ ଜିଲ୍ଲାପାଳମାନଙ୍କ ବିଫଳତା ଯୋଗୁଁ ଚାଷୀମାନେ ରିଲିଫ୍ ପାଇବାକୁ ବଞ୍ଚିତ ହୋଇଥିଲେ। ବରଗଡ଼କୁ ବାଦ ଦେଲେ ଅନ୍ୟ କୌଣସି ଜିଲ୍ଲାର ଜିଲ୍ଲାପାଳ ନିର୍ଧାରିତ ସମୟରେ ଆନେୱାରି ସାର୍ଟିଫିକେଟ୍ ଦେଇପାରିନଥିଲେ। ସେଥିପାଇଁ ସ୍ବଳ୍ପ ମିଆଦୀ ଋଣକୁ ଦୀର୍ଘମିଆଦୀ ଋଣରେ ରୂପାନ୍ତରିତ କରାଯାଇପାରିନଥିଲା। ପ୍ରାୟ ୩୨.୦୧ ଲକ୍ଷ ଚାଷୀଙ୍କୁ ମରୁଡ଼ି ଜନିତ ରିଲିଫ୍ ମିଳିବାର ଥିଲା। କିନ୍ତୁ ଜରିମାନା ଭୟରେ ୨୪.୦୬ ଲକ୍ଷ ଚାଷୀ ଋଣ ପରିଶୋଧ କରିଦେଇଥିଲେ। ଆନେୱାରି ସାର୍ଟିଫିକେଟ୍ ଠିକ୍ ସମୟରେ ଜାରି ହୋଇଥିଲେ ଏହି ସବୁ ଚାଷୀଙ୍କର ପ୍ରାୟ ୨୫୦୦ କୋଟି ଟଙ୍କାର ସ୍ବଳ୍ପ ମିଆଦୀ ଋଣକୁ ଦୀର୍ଘମିଆଦୀ ଋଣରେ ରୂପାନ୍ତରିତ କରାଯାଇପାରିଥାନ୍ତା।
ଡିସିସିବିର ୯ଟି ଶାଖା ଓ ୨୭ଟି ପାକ୍ସର ଖାତାକୁ ଯାଞ୍ଚ କରିବା ବେଳେ ଜଣାପଡ଼ିଥିଲା ଯେ ଚାଷୀମାନଙ୍କ ଖାତାକୁ ଟଙ୍କା ନପଠାଇ ଫସଲ ଋଣ ମଞ୍ଜୁର କରାଯାଇଛି। ତା’ ଉପରେ ଅନିୟମିତତା କରି ସୁଧ ଛାଡ଼ ଦାବି କରାଯାଇଛି। ୨୦୧୪-୧୮ ମଧ୍ୟରେ ୧,୫୬,୦୨୪ ଜଣ ଚାଷୀଙ୍କୁ ୪୪୫.୨୬ କୋଟି ଟଙ୍କାର ଫସଲ ଋଣ ଦିଆଯାଇଥିଲା। ସେହି ଟଙ୍କା ମଧ୍ୟରୁ ୧୭୨.୯୬ କୋଟି ଟଙ୍କାକୁ ପୂର୍ବରୁ ବକେୟା ଥିବା ଋଣ ପରିଶୋଧ କରିବା ଲାଗି ୫୯,୬୯୬ ଚାଷୀଙ୍କୁ ଦିଆଯାଇଥିଲା। ବାସ୍ତବରେ କେବଳ ହିସାବ ଖାତାରେ ଏହି କାମ ହୋଇଥିଲା। କୌଣସି ଚାଷୀଙ୍କ ଖାତାକୁ ଟଙ୍କା ଯାଇନଥିଲା ବୋଲି ସିଏଜିଙ୍କ ରିପୋର୍ଟରୁ ଜଣାପଡ଼ିଛି। ସେହିପରି ନୂଆ ଫସଲ ଋଣ ବାବଦରେ ୪୦୫ ଚାଷୀଙ୍କ ଖାତାକୁ ଆଦୌଁ ଟଙ୍କା ପଠାଯାଇନଥିଲା। ଓଏସ୍ସିବି ୩୯୨.୦୬ କୋଟି ଟଙ୍କାର ଅତିରିକ୍ତ ସୁଧ ଛାଡ଼ ସୁବିଧା ପାଇଥିବା ଜଣାପଡ଼ିଛି। ପାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣରେ ହୋଇଥିବା ଅହେତୁକ ବିଳମ୍ବ ବିଷୟରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ହୋଇନଥିବାରୁ ଚାଷୀମାନେ ବ୍ୟକ୍ତିଗତ ଭାବେ ଆସି ଟଙ୍କା ଉଠାଉଛନ୍ତି। ମାନୁଆଲ୍ ଲେଜର୍ରେ ହିସାବ ରଖାଯାଉଛି। ସେହି ତଥ୍ୟ ଏମ୍ଆଇଏସ୍କୁ ସ୍ଥାନାନ୍ତର କରାଯାଉନି। ପାକ୍ସଗୁଡ଼ିକ ଚାଷୀଙ୍କ ତଥ୍ୟକୁ ମାନୁଆଲ୍ ଉପାୟରେ ଯାଞ୍ଚ କରୁଛନ୍ତି। ତୁରନ୍ତର ପାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ କାର୍ଯ୍ୟ ଶେଷ କରିବା ଏବଂ ଅର୍ଥ ହେରଫେର କରୁଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରିପୋର୍ଟରେ ସୁପାରିସ କରାଯାଇଛି।