ପଞ୍ଚାୟତ, ପୌର ସଂସ୍ଥାରେ ପଶିବେ ସିଏଜି

ଆସନ୍ତାମାସ କଟକରେ ଆରମ୍ଭ ହେବ, ମାର୍ଚ୍ଚରେ ସରିବ

ଖଣିଜ କାରବାର ଓ ଉତ୍ତୋଳନ ନେଇ ବି ହେବ ଅଡିଟ୍‌
ଭୋଟ୍ ପୂର୍ବରୁ ମୁର୍ମୁଙ୍କ ଝଟକା, ରାଜନୈତିକ ମହଲରେ ଆଲୋଡ଼ନ

ଭୁବନେଶ୍ୱର : ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଆଜି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ସିଏଜି ଗିରିଶ ମୁର୍ମୁ ଓଡ଼ିଶାଗସ୍ତରେ ଆସି ଏକ ବଡ଼ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ପଞ୍ଚାୟତ ଓ ପୌରପାଳିକାର ଅଡିଟ୍ ସିଏଜି କରିବେ। ପ୍ରଧାନ ମହାଲେଖା ନିୟନ୍ତ୍ରକ ବିଭୁଦତ୍ତ ବସନ୍ତିଆ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଆସନ୍ତା ମାସରୁ କଟକରୁ ଏହି ପରୀକ୍ଷାମୂଳକ ଅଡିଟ୍ ଆରମ୍ଭ ହେବ। ଯେହେତୁ ପୌର ସଂସ୍ଥାମାନଙ୍କୁ ଅର୍ଥ କମିସନଙ୍କ ସୁପାରିସ ଆଧାରରେ କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ ଆବଣ୍ଟନ ହେଉଛି, ଏହାର ଯାଞ୍ଚ ହେବ ଓ ଅଡିଟ୍ ପ୍ରକ୍ରିୟା ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ। ଶ୍ରୀ ମୁର୍ମୁଙ୍କ ଏହି ସୂଚନା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ସିଏଜି ଏବେ ପଞ୍ଚାୟତିରାଜ ସଂସ୍ଥା ଓ ପୌର ପାଳିକା ତଣ୍ଟିରେ ବସିବେ ଏବଂ ଯଦି ସେସବୁ ସଂସ୍ଥାରେ କେଳେଙ୍କାରୀ ବାହାରିଲା, ତେବେ ଆଗକୁ ଏହା ଭୀଷଣ ପରିସ୍ଥିତି ସୃଷ୍ଟି କରିପାରେ।

CAG

କେବଳ ସେତିକି ନୁହେଁ ଶ୍ରୀ ମୁର୍ମୁ ଆଉ ଏକ ବଡ଼ କଥା କହିଛନ୍ତି ଯେ ଯାହା ଓଡ଼ିଶା ପରିପ୍ରେକ୍ଷୀରେ ବେଶ୍ ପ୍ରଣିଧାନଯୋଗ୍ୟ। ନିକଟରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାର ହଲାପଟା ହୋଇଛନ୍ତି। ଶାହା କମିସନଙ୍କ ରିପୋର୍ଟ ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଝୁଲୁଛି। ଠିକ୍ ଏମିତି ସମୟରେ ଶ୍ରୀ ମୁର୍ମୁ କହିଛନ୍ତି ଯେ ପ୍ରାକୃତିକ ସମ୍ବଳର ଅଡିଟ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। କେତେ ଖଣି ଅଛି? କେତେ ପରିମାଣର ଖଣିଜ ପଦାର୍ଥ ଗଚ୍ଛିତ ରହିଛି? ଏହି କ୍ଷେତ୍ରରେ କେତେ ପୁଞ୍ଜିନିବେଶ ହେଉଛି? ଉତ୍ତୋଳନ କରାଯାଉଥିବା ଖଣିଜ ପଦାର୍ଥ କିଭଳି ବିନିଯୋଗ କରାଯାଉଛି? ଏହି ସବୁ କ୍ଷେତ୍ର ପ୍ରତି ଅଡିଟ୍ ବେଳେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।

ନିକଟରେ ନିତି ଆୟୋଗ ଏସଡିଜି ଲକ୍ଷ୍ୟ ହାସଲରେ ଓଡ଼ିଶାର ପଛୁଆପଣ କଥା ଠାରିଥିଲେ। ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମିନି, ସରକାର ବି ତାଙ୍କ ରିପୋର୍ଟରେ ସୁଧାର ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିସାରିଛନ୍ତି। ଠିକ୍ ଏମିତି ସମୟରେ ଶ୍ରୀ ମୁର୍ମୁ ଆହୁରି କହିଛନ୍ତି, ନିରନ୍ତର ବିକାଶ ଲକ୍ଷ୍ୟ ବା ଏସଡିଜିର ମଧ୍ୟ ଅଡିଟ୍ କରାଯିବ। ଏସ୍‌ଡିଜି ଅଡିଟ୍ ବେଳେ ସେଥିରେ ନିର୍ଧାରଣ କରାଯାଇଥିବା ଲକ୍ଷ୍ୟ ହାସଲ କରିବାରେ କେତେ ସଫଳତା ମିଳିଛି ତାହା ଜାଣିବାକୁ ପ୍ରୟାସ କରାଯିବ।

Mint

ପ୍ରଶାସନିକ ଅଧିକାରୀମାନେ ସିଏଜିଙ୍କ ଏଭଳି ଘୋଷଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଛନ୍ତି। ଅର୍ଥନୀତିଜ୍ଞ ମତ ଯେ ସିଏଜି ଖଣି କାରବାରର ସମୀକ୍ଷ କଲେ, ଏହା ପଛର ଅନେକ ସତ ପଦାକୁ ଆସିପାରେ। ହେଲେ ପୌର ସଂସ୍ଥାରେ ସିଏଜି ତନାଘନା କଲେ, ରାଜ୍ୟ ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ। ଜଣେ ପୂର୍ବତନ ପ୍ରଶାସକ କହିଛନ୍ତି, ତ୍ରୟୋଦଶ ଅର୍ଥ କମିସନ ପ୍ରଥମେ ପୌରାଞ୍ଚଳ ଓ ପଞ୍ଚାୟତ ପାଣ୍ଠିର ସିଏଜିଅଡିଟ୍ ଉପରେ ଗୁରୁତ୍ବରୋପ କରିଥିଲେ। କମିସନ ଆହୁରି କହିଥିଲେ ଯେ ଲୋକାଲ୍ ଫଣ୍ଡ ଅଡିଟର ମାର୍ଗଦର୍ଶନ ସିଏଜି କରନ୍ତୁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକାଲ ଫଣ୍ଡ ଅଡିଟ୍ ଆଇନରେ ସଂଶୋଧନ କରିସାରିଛନ୍ତି। ଏହା ପରଠାରୁ ଲୋକାଲ୍ ଫଣ୍ଡ ଅଡିଟରେ ଅନେକ ଉନ୍ନତି ପରିଲକ୍ଷିତ ହେଉଥିଲା। ଏବେ କିନ୍ତୁ ସିଏଜି ପ୍ରତ୍ୟକ୍ଷ ଅନୁଧ୍ୟାନ ବା ନମୁନା ଅନୁଧ୍ୟାନ କରିବା ବେଳେ କେବଳ ଖର୍ଚ୍ଚ କଥା ଦେଖିବେ ତାହା ନୁହେଁ, ଏହି ସଂସ୍ଥାଗୁଡିକର ରାଜସ୍ବ ଆଦାୟକୁ ମଧ୍ୟ ସମୀକ୍ଷା କରିବେ। ଏହା ହଇଚଇ କରିବ। ତେବେ ସିଏଜି (ଡିପିସି ଆକ୍ଟ)ରେ ଏ କ୍ଷମତା ସଂସଦ ଦେଇସାରିଛି। ହେଲେ ସିଏଜି କେବେ ପ୍ରତ୍ୟକ୍ଷ ଭାବେ ଏଥିରେ ସାମିଲ ହୋଇନଥିଲେ।

 

ଏଠରେ ଉଲ୍ଲେଖଥାଉକି, ଶ୍ରୀ ମୁର୍ମୁ ଏହି ଅବସରରେ ସୂଚନା ଦେଇଛନ୍ତି ଯେ ସୂଚନା ପ୍ରଯୁକ୍ତିର ବ୍ୟବହାର କରି ସାରା ଦେଶରେ ଗୋଟିଏ ପ୍ରକାର ଅଡିଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ବିଚାର ଚାଲିଛି।

ସମ୍ବନ୍ଧିତ ଖବର