ସମୁଦ୍ର ଭିତରୁ କେଜ୍ କଲଚର ମାଛ ଉତ୍ପାଦନ: ପ୍ରଥମ ଦଫାରେ ଧରାଗଲା ୫ ଟନ୍‌ ମାଛ

ବସ୍ତା-୨/ଗାନ୍ଧିଛକ: ସଦର ବ୍ଲକ୍‌ ଅନ୍ତର୍ଗତ ବାହାବଳପୁର ସମୁଦ୍ର ଭିତରେ ଚାଷ କରାଯାଇଥିବା ପୋମ୍ପାନୋ ମାଛ ଅମଳ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ବାହାବଳପୁର ମୁହାଣରୁ ୫କିମି ଦୂର ସମୁଦ୍ର ଭିତରେ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଜାତୀୟ ମତ୍ସ୍ୟ ସମ୍ପଦ ବୋର୍ଡର ସଦସ୍ୟମାନଙ୍କ ଉପସ୍ଥିତରେ ଆଜି ମାଛଧରା ହୋଇଥିଲା। ୩୦ଟି ପଞ୍ଜୁରିରୁ ମୋଟ୍‌ ୨୫ ଟନ୍‌ ମାଛ ଅମଳ ଲକ୍ଷ ରଖାଯାଇଥିବା ବେଳେ ଆଜି ୬ଟି ପଞ୍ଜୁରିରୁ ୫ ଟନ୍‌ ମାଛ ଧରାଯାଇଥିଲା। ଏଠାରେ ସମୁଦ୍ର ଭିତରେ କରାଯାଇଥିବା ଏହି ମାଛଚାଷ ହେଉଛି ସାରା ଦେଶର ପ୍ରଥମ ମେଗା ପାଇଲଟ୍‌ ପ୍ରକଳ୍ପ।

ଏହା ଦ୍ବାରା ଅଧିକ ମତ୍ସ୍ୟ ଉତ୍ପାଦନ ସହ ମତ୍ସ୍ୟ ଚାଷୀ ଏବଂ ମତ୍ସ୍ୟ ଉଦ୍ୟୋଗୀଙ୍କ ଆୟ ବୃଦ୍ଧି ହେବ। ଏହି କେଜ୍ କଲଚର ମାଛଚାଷକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯିବ। ଲୋକମାନେ ସମୁଦ୍ର ଭିତରକୁ ଯାଇ କେଜ୍ କଲଚର ମାଛ ଚାଷ ଦେଖିପାରିବେ ବୋଲି ଆଜି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଥିଲେ। ଡ. ବିଶ୍ବଜିତ ଦାସଙ୍କ ସୂଚନା ମୁତାବକ ଗଭୀର ସମୁଦ୍ରରେ ଅତ୍ୟାଧୁନିକ ମେରାଇନ କେଜ୍‌ କଲଚର ମାଧ୍ୟମରେ ମତ୍ସ୍ୟ ଉତ୍ପାଦନ କରାଗଲେ ଏହା ବେଶ୍ ଲାଭଜନକ ସାବ୍ୟସ୍ତ ହେବା ସହ ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ହୋଇପାରିବ। ଅନ୍ୟମାନଙ୍କ ମଧ୍ୟରେ ଡା. ଶୁଭଦିପ ଘୋଷ, ଡା. ଜ୍ଞାନରଞ୍ଜନ ଦାଶ, ଡା. ବିଶ୍ୱଜିତ ଦାସ, ଡା. ମାନସ ସିହ୍ନା ପ୍ରମୁଖ ମାଛଧରା ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର