ହୀରାକୁଦରେ ହେବ କେଜ୍‌ କଲ୍‌ଚର, ନିରୀକ୍ଷଣ କଲେ ମତ୍ସ୍ୟ ବିଭାଗ ସଚିବ ଓ ନିର୍ଦେଶକ

ସମ୍ବଲପୁର/ଅତାବିରା : ହୀରାକୁଦ ଜଳଭଣ୍ଡାରର ବିସ୍ତୃତ ଜଳରାଶିର ବ୍ୟବହାର କରି ଏଠାରେ ପ୍ରଚୁର ପରିମାଣରେ ମାଛ ଚାଷ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଅଧିକ ବ୍ୟବସ୍ଥିତ ଉପାୟରେ ମତ୍ସ୍ୟ ଉତ୍ପାଦନ ପାଇଁ ଏଠାରେ କେଜ୍ କଲ୍‌ଚରକୁ ପ୍ରୋତ୍ସାହିତ କରିବା ପାଇଁ ସୋମବାର ରାଜ୍ୟ ମତ୍ସ୍ୟ ବିଭାଗର ସଚିବ ଆର୍‌. ରଘୁପ୍ରସାଦ ଓ ନିର୍ଦ୍ଦେଶକ ସ୍ମୃତିରଂଜନ ପ୍ରଧାନ ହୀରାକୁଦରେ ସ୍ଥିତି ନିରୀକ୍ଷଣ କରିଛନ୍ତି। ହୀରାକୁଦ ଜଳଭଣ୍ଡାର ଲେଫ୍‌ଟ ଡାଇକ୍ ନିକଟ ହୀରାକୁଦ ଓ ଜମାଦାରପାଲି ଅଞ୍ଚଳ ବୁଲି ଦେଖିଛନ୍ତି। ସ୍ଥାନ ଚିହ୍ନଟ ବେଳେ ପାଣିର ଅଧିକ ଗଭୀରତା, ପ୍ରବାହ କମ୍‌ ତଥା କୌଣସି ପ୍ରକାର ବାଧାବିଘ୍ନ ନଥିବା ଅଞ୍ଚଳକୁ ଗୁରୁତ୍ବ ଦିଆଯାଉଛି। ଏହା ବ୍ୟତୀତ କେତେକ ବୈଷୟିକ ଦିଗକୁ ବିଚାରକୁ ନିଆଯାଇଛି। ଜିପିଏସ୍ ତଥ୍ୟ ଆଧାରରେ ପ୍ରକଳ୍ପ ପାଇଁ ସ୍ଥାନ ଚୂଡ଼ାନ୍ତ କରାଯିବ ବୋଲି କୁହାଯାଇଛି। ମତ୍ସ୍ୟ ବିଭାଗର ଏହି ଉଚ୍ଚସ୍ତରୀୟ ଟିମ୍ ସହିତ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍‌ସେନା, ସମ୍ବଲପୁର ମତ୍ସ୍ୟ ଉପନିର୍ଦ୍ଦେଶକ ବିରଜା ପ୍ରସାଦ ଦ୍ବିବେଦୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କାଲୋ, ଅତାବିରା ତହସିଲଦାର ଦୁେର୍ଯ୍ୟାଧନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ,ହୀରାକୁଦରେ ପ୍ରଚୁର ପରିମାଣରେ ଚାହିଦାଯୁକ୍ତ ଓ ମୂଲ୍ୟବାନ ମାଛ ଉତ୍ପାଦନର ସମ୍ଭାବନା ଥିବାରୁ ଏହାର ଉପ‌େଯାଗ କରି ରାଜ୍ୟର ମତ୍ସ୍ୟ ଉତ୍ପାଦନ ପରିମାଣ ବାର୍ଷିକ ୧.୨୪ ଲକ୍ଷ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ବାରା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ସମବାୟ ସମିତି ମାନେ ମଧ୍ୟ ଲାଭବାନ ହୋଇପାରିବେ। ଗତ ଡିସେମ୍ବରରେ ଏଥିପାଇଁ ଓଡ଼ିଶା ସରକାର ଓ ବିଭିନ୍ନ ଉଦ୍ୟୋଗୀଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ୱାର୍ଲଡ୍‌ ଫିସ୍ ନାମକ ସଂସ୍ଥା କେଜ୍‌ ଫିସିଂ ପାଇଁ ଜଳଭଣ୍ଡାରର ସର୍ଭେ କରି ପ୍ରସ୍ତାବ ଦେଇଥିଲା।

ସମ୍ବନ୍ଧିତ ଖବର