ବାଲେଶ୍ବର : ଖୋଲା ଦେହରେ ଲାଗିରହୁଛି କଏନ୍, ଚାମଚ। ତା ପୁଣି ବହୁ ସମୟ ଧରି। ବିଶ୍ବାସ ନ ହେଉଥିଲେ ବି ଆଖିରେ ଦେଖୁଥିବା ଲୋକେ କିଛି ସମୟ ଆଚମ୍ବିତ ହୋଇ ଯାଉଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ମଲ୍ୟାଣୀ ଗାଁର ଏହି ଘଟଣା ସାଧାରଣରେ ଉତ୍କଣ୍ଠା ଓ କୌତୁହଳ ସୃଷ୍ଟି କରିଛି। ଶରୀରରେ ଚୁମ୍ବକୀୟ କ୍ଷେତ୍ର ପ୍ରଭାବରୁ ଏଭଳି ହେଉଥିବା କିଛି ଲୋକ କହୁଥିବାବେଳେ ଏହାକୁ ନେଇ ନାନା କଥା ମଧ୍ୟ ଚର୍ଚ୍ଚା ହେଉଛି। ଯେମିତିକି କିଛି ବର୍ଷ ତଳେ ଗଣେଶ କ୍ଷୀର ପିଉଥିବା ଖବର ଶିରୋନାମା ପାଲଟିଥିଲା। ରୋଚକ କଥା ହେଉଛି ବର୍ତ୍ତମାନ ଏହି ଘଟଣାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ନୀଳଗିରି ବ୍ଲକ ଜାମୁଡିହା ପଞ୍ଚାୟତ ମଲ୍ୟାଣୀ ଗାଁର ରାଜେନ୍ଦ୍ର ମହାପାତ୍ର ଜଣେ ଅଟୋ ଚାଳକ। ବାଲେଶ୍ଵରରେ ରହୁଥିବା ତାଙ୍କ ଭିଣୋଇ ନିଜ ଦେହରେ କଏନ୍, ଚାମଚ ଲାଗି ରହୁଥିବାର ଏକ ଫଟୋ ଶାଳକ ରାଜେନ୍ଦ୍ରଙ୍କ ପାଖକୁ ପଠାଇଥିଲେ। ହେଲେ ଏହାକୁ ଉଡ଼ା କଥା ଭାବି ଏତେଟା ଗୁରୁତ୍ବ ଦେଇନଥିଲେ ରାଜେନ୍ଦ୍ର। ତେବେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ରାଜେନ୍ଦ୍ର ପରିବାର ଲୋକଙ୍କ ସହ ବସି କଥା ହେଉଥିବା ସମୟରେ ଭିଣୋଇଙ୍କ କଥାକୁ ପରୀକ୍ଷା କରିବା ପାଇଁ ନିଜ ଦେହରେ କଣ୍ଟା, ଚାମଚ, କଏନ୍, ଚାବିକାଠି ଦେଖାଇବାରୁ ତାହା ଶରୀରରେ ଲାଖି ରହିଥିଲା। ରାଜେନ୍ଦ୍ର ଏପ୍ରିଲ ୨୬ ତାରିଖରେ କରୋନା ଟିକା ନେଇଥିଲେ। ରାଜେନ୍ଦ୍ରଙ୍କ ଭଳି ତାଙ୍କ ଭଉଣୀ ଜାମୁଡ଼ିହା ଗ୍ରାମର ଅଙ୍ଗନବାଡି କର୍ମୀ ସବିତା ମହାପାତ୍ରଙ୍କ ଶରୀରରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ହେଲା ଟିକା ନେବା ପରେ ଏଭଳି ହେବାର ନଜିର ନାହିଁ। ଅନ୍ୟ କୌଣସି କାରଣରୁ ଏମିତି ହୋଇ ଥାଇପାରେ। ଯାହାର ସତ୍ୟତା ଅନୁଧ୍ୟାନ ସାପେକ୍ଷ ବୋଲି କହିଛନ୍ତି ଡାକ୍ତର ରବିନାରାୟଣ ସୁବୁଦ୍ଧି।