ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଗତ ୨୦ ତାରିଖ ଠାରୁ ଚାଲିଛି ଡଲଫିନ୍ ଗଣନା। ଏହି ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ୍ ଗଣନା କରୁଛନ୍ତି। ଗଣନା ପ୍ରକ୍ରିୟା ସରି ନ ଥିଲେ ମଧ୍ୟ ଭିତରକନିକା ପାଇଁ ଖୁସି ଖବର ଆସିଛି। ସୂଚନା ମୁତାବକ, ଚିଂଚିରି ମୁହାଣଠାରୁ ଅଗରନାସୀ ମଧ୍ୟରେ ଗଣନାକାରୀ ଟିମ୍ ୫ଟି ଇରାୱାର୍ଡି ଡଲଫିନ୍ ଦଳ ଦେଖିବାକୁ ପାଇଥିବା ବେଳେ ବାବୁବାଲିରୁ ଏକକୂଳା ମଧ୍ୟରେ ଗଣନାକାରୀ ଟିମ୍ ଗୋଟିଏ ଦଳରେ ଶତାଧିକ ଡଲଫିନ୍ଙ୍କୁ ଦେଖିଥିବା ସୂଚନା ମିଳିଛି। ଗଣନାକାରୀ ଟିମ୍ ଇରାୱାର୍ଡି ସହିତ ହମ୍ପବ୍ୟାକ୍, ବଟଲନୋଜ୍, ସ୍ପିନର୍ ପ୍ରଜାତିର ଡଲଫିନ ଦେଖିବାକୁ ପାଇଥିବା ଜଣାପଡିଛି। ପ୍ରତିକୂଳ କୋହଲା ପାଗରେ ଗଣନା ବେଳେ ବହୁସଂଖ୍ୟାରେ ଡଲଫିନ୍ଙ୍କ ସହିତ ଶାବକଙ୍କୁ ଦେଖିବାକୁ ମିଳିଥିବା ଗଣନାକାରୀ ଟିମ୍ ପକ୍ଷରୁ ସୂଚନା ମିଳିଛି। ଏହା ଭିତରକନିକା ଓ ଗହୀରମଥା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲଫିନ୍ ଗଣନା କରାଯାଉଛି। ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ଏ ବର୍ଷ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲର୍ରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍ରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପ ଗଣନା କରୁଛନ୍ତି। ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରିକ୍ରେ ୪ଟି ଟିମ୍ ଡଲଫିନମାନଙ୍କ ଗଣନା କରୁଛନ୍ତି। ସୂଚନାଯୋଗ୍ୟ ଯେ ଚିଲିକା ଅଂଚଳରେ କେବଳ ଇରାୱାର୍ଡି ପ୍ରଜାତିର ଓ ଭିତରକନିକାରେ ୫ ପ୍ରକାର ଡଲଫିନ୍ ଦେଖା ଯାଇଥା’ନ୍ତି। ଗତବର୍ଷ ଗଣନା ସମୟରେ ସାରା ଓଡ଼ିଶାରେ ୭୩୩ଟି ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ୍ ରହିଥିଲେ।
ଭିତରକନିକାରେ ଚାଲିଛି ଗଣନା: ପ୍ରତିକୂଳ ପାଗ ସତ୍ତ୍ବେ ଦିଶିଲେ ବହୁସଂଖ୍ୟକ ଡଲ୍ଫିନ୍
/sambad/media/post_attachments/wp-content/uploads/2023/09/bhitarakanika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)