ବଦଳିବ ଶିକ୍ଷାବର୍ଷ କ୍ୟାଲେଣ୍ଡର, ୟୁଜିସି ନିଷ୍ପତ୍ତିକୁ ଅପେକ୍ଷା କରିଛି ରାଜ୍ୟ

ଯୁକ୍ତ୨ରେ ସିବିଏସ୍ଇ ଢାଞ୍ଚା ଆପଣାଇବ ଓଡ଼ିଶା

ଭୁବନେଶ୍ବର : ଦେଶରେ କରୋନାର ଦ୍ବିତୀୟ ଲହର ଜାରି ରହିଥିବାରୁ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ ପରିବର୍ତ୍ତନ କରିବାକୁ ଯୋଜନା ପ୍ରସ୍ତୁତ କରିଛି। କରୋନା ଯୋଗୁଁ କୋଟିକୋଟି ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଥିବାରୁ ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷ କ୍ୟାଲେଣ୍ଡର୍‌ ବଦଳାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇଛି। କିଭଳି ଓ କେବେଠାରୁ ଶିକ୍ଷାବର୍ଷ ପୁଣିଥରେ ଆରମ୍ଭ କରାଯିବ, ସେନେଇ ବିଶଦ୍‌ ରୂପରେଖ ପ୍ରସ୍ତୁତ ହେଉଛି।

ବିଶେଷକରି ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଫୋକସ୍ କରାଯାଇଛି। ଏପର୍ଯ୍ୟନ୍ତ ଯୁକ୍ତ୨ ପରୀକ୍ଷା ହେବା ନେଇ ସ୍ଥିର ହୋଇପାରି ନ ଥିବା ବେଳେ ଜେଇଇ ମେନ୍‌, ଜେଇଇ ଆଡଭାନ୍ସଡ୍‌, ନିଟ୍‌ ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ରହିଛି। ବିଶ୍ବବିଦ୍ୟାଳୟ ସେମିଷ୍ଟର୍‌ ପରୀକ୍ଷା ବି ହୋଇପାରୁନି। ଦୁଇମାସ ହେଲା ଦେଶରେ କରୋନା ‌କାୟା ମେଲାଇ ଥିବାରୁ କେଉଁ ବିଶ୍ବବିଦ୍ୟାଳୟରେ ଅଧା ବିଷୟ ପରୀକ୍ଷା ହୋଇଛି ତ ଆଉ କେଉଁଠି ଆଦୌ ଆରମ୍ଭ ହୋଇନି। ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ଅନ୍‌ଲାଇନ୍‌ରେ ବି ପରୀକ୍ଷା କରାଯାଇପାରୁ ନାହିଁ। ଯେଉଁଥିପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ପୂର୍ବରୁ ପ୍ରସ୍ତୁତ ଶିକ୍ଷା କ୍ୟାଲେଣ୍ଡର୍‌ ଏବେ ଠିକ୍‌ ଭାବେ ପାଳନ ହୋଇପାରୁନାହିଁ। ପାଖାପାଖି ଦେଢ଼ ମାସ ବିଳମ୍ବିତ ହେଲାଣି। ତେଣୁ ନୂତନ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ୟୁଜିସି ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି। ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡ ଯେଉଁ ପଦ୍ଧତିରେ ଯୁକ୍ତ୨ ପରୀକ୍ଷା କରିବେ ଓଡ଼ିଶା ବୋର୍ଡ ସମାନ ପନ୍ଥା ଆପଣାଇବ ବୋଲି ଓଡ଼ିଶା ସରକାର ଚିଠି ଲେଖି କେନ୍ଦ୍ରକୁ ଅବଗତ କରିଛନ୍ତି। ସେପଟେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ କେବେଠାରୁ ଆରମ୍ଭ ହେବ ତାହା ବି ଏପର୍ଯ୍ୟନ୍ତ ସ୍ଥିର ହୋଇପାରୁନାହିଁ। ଏପ୍ରିଲରେ ଆରମ୍ଭ ହେଉଥିବା ଶିକ୍ଷାବର୍ଷ ଏଥର ଅଗଷ୍ଟ କିମ୍ବା ସେପ୍ଟେମ୍ବର ପର୍ଯ୍ୟନ୍ତ ଗଡ଼ିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି ବର୍ତ୍ତମାନର ସ୍ଥିତି ଲାଗି ରୁହେ, ତେବେ ଗତବର୍ଷ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜ ଛାତ୍ରଛାତ୍ରୀଙ୍କ ସେମିଷ୍ଟର୍‌ ପାଠପଢ଼ା, ପରୀକ୍ଷା ନେଇ ଅନିଶ୍ଚିତତା ଦେଖାଦେଇଛି। କୌଣସି ବି ବିଶ୍ବବିଦ୍ୟାଳୟରେ ନିର୍ଧାରିତ ସମୟରେ ପରୀକ୍ଷା ହୋଇପାରିନାହିଁ। ପାଠପଢ଼ା ବି ସରିନି। ‌କରୋନା ଲହର ଚାଲିଥିବାରୁ ଅନ୍‌ଲାଇନ୍‌ରେ ପିଲାଙ୍କୁ ପଢ଼ାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ପରୀକ୍ଷା ‌କିଭଳି କରାଯିବ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ପିଲାମାନେ ବି ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଯେଉଁ ସମୟରେ ଦ୍ବିତୀୟ ଓ ୪ର୍ଥ ସେମିଷ୍ଟର୍‌ର ପାଠପଢ଼ା ହେବା କଥା, ସେତେବେଳେ ପ୍ରଥମ ଓ ତୃତୀୟ ସେମିଷ୍ଟର୍‌ ପାଠପଢ଼ା ଚାଲିଛି। କେବେ ପାଠପଢ଼ା ସରିବ ଓ ପରୀକ୍ଷା କରାଯିବ, ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି। ଏଭଳି ଘଡ଼ିସନ୍ଧି ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି କୁହାଯାଇଛି ଯେ ୟୁଜିସିର ନିଷ୍ପତ୍ତି ପରେ ଆମେ ପଦକ୍ଷେପ ନେବୁ। ୟୁଜିସି ଅନୁମତି ଦେବା ପରେ ଯାଇ ପରୀକ୍ଷା ବାବଦରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ।

ସମ୍ବନ୍ଧିତ ଖବର