ହାଇସ୍କୁଲ ପାଇଁ ବଦଳି କ୍ୟାଲେଣ୍ଡର

ଭୁବନେଶ୍ବର : ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କ୍ୟାଲେଣ୍ଡର୍‌ ପ୍ରକାଶ କରାଯାଇଛି। ଜୁନ୍‌ ୩୦ ପର୍ଯ୍ୟନ୍ତ ହାଇସ୍କୁଲର ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ବଦଳି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପା‌ରିବେ। ୨୭ ତାରିଖ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପ୍ରୋଫାଇଲ୍‌ ଖୋଲା ରହିବ ଏବଂ ତା’ ପରେ ବନ୍ଦ କରାଯିବ। ଜୁଲାଇ ୧ରୁ ୭ ମଧ୍ୟରେ ଜିଲ୍ଲା ଓ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସ୍ତରରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୮ରୁ ୧୨ ତାରିଖ ମଧ୍ୟରେ ମେଡିକାଲ ମାମଲାଗୁଡ଼ିକ ମେଡିକାଲ ବୋର୍ଡକୁ ପଠାଯିବ।

ଜିଲ୍ଲାପାଳ ଓ ନିର୍ଦ୍ଦେଶକଙ୍କ ସୁପାରିସ ଅନୁଯାୟୀ, ୧୨ ତାରିଖରେ ପ୍ରଶାସନିକ ବଦଳି ଚୂଡ଼ାନ୍ତ ହେବ। ଜୁଲାଇ ୧୩ରୁ ୨୦ ମଧ୍ୟରେ ମେଡିକାଲ ପରୀକ୍ଷା ଓ ରିପୋର୍ଟକୁ ଗ୍ରହଣ କରାଯିବ। ୨୧ ଓ ୨୨ ତାରିଖରେ ମେଡିକାଲ ରିପୋର୍ଟ ଅପ୍‌ଲୋଡ୍‌ ହେବ। ୨୩ରୁ ୨୮ ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀମାନେ ଚଏସ୍‌ ଲକିଂ କରିପାରିବେ ଏବଂ ଜୁଲାଇ ୨୯ରୁ ଅଗଷ୍ଟ ୧ ମଧ୍ୟରେ ଡିଏଲ୍‌ଟିସି/ଏସ୍‌ଏଲ୍‌ଟିସିଙ୍କ ବୈଠକ ହେବ। ଅଗଷ୍ଟ ୪ରେ ବଦଳି ନିର୍ଦ୍ଦେଶ ଜାରି କରାଯିବ। ଅଗଷ୍ଟ ୧୦ ସୁଦ୍ଧା ରିଲିଭ୍‌ ଓ ଯୋଗଦେବା କାର୍ଯ୍ୟ ବନ୍ଦ ହେବ। ଅଗଷ୍ଟ ୧୦ରୁ ୧୭ ଯାଏ ଶିକ୍ଷକମାନଙ୍କ ପ୍ରୋଫାଇଲ୍‌ ପୁଣିଥରେ ଖୋଲାଯିବ।

ସମ୍ବନ୍ଧିତ ଖବର