ଭୁବନେଶ୍ବର: ଯଦି ଆପଣଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ରାଜ୍ୟ ସରକାରଙ୍କ ହେଲ୍ପଲାଇନ୍ ୧୦୪କୁ ଫୋନ୍ କରନ୍ତୁ। ସେଠାରେ ଥିବା ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଘରେ ରହନ୍ତୁ। ଡାକ୍ତରଖାନାକୁ ଯାଆନ୍ତୁ ନାହିଁ। ଯେତେବେଳେ ଆବଶ୍ୟକ ପଡ଼ିବ ସରକାର ଚିକିତ୍ସା ଲାଗି ଗାଡ଼ି ପଠାଇ ଡାକ୍ତରଖାନାକୁ ଆଣିବେ। ଆଉ କରୋନା ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କିମ୍ବା ଅନ୍ୟ ସରକାରୀ ହସ୍ପିଟାଲରେ ରଖି ଚିକିତ୍ସା କରାଯିବ ବୋଲି କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ। ଏଥିସହ ସେ ଲକଡାଉନ୍ ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ ନମୂନା ପରୀକ୍ଷାର ରିପୋର୍ଟ ମିଳିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଛି । ପ୍ରଥମ ୨ଟି କେସ୍ ସଂସ୍ପର୍ଶରେ ୫୫ ଜଣ ଆସିଥିବାବେଳେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଛନ୍ତି । ଅନ୍ୟପଟେ ଚତୁର୍ଥ ପଜିଟିଭଙ୍କ ସଂସ୍ପର୍ଶରେ ମୋଟ୍ ୩୩ ଜଣ ଆସିଛନ୍ତି ଆଉ ଗତକାଲି ରାତିରେ ଚିହ୍ନଟ ହୋଇଥିବା ରାଜ୍ୟର ୫ମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଆଉ ଅନ୍ୟମାନଙ୍କୁ ଖୋଜା ଚାଲିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଅନ୍ୟପଟେ ୮୫ ଜଣ କରୋନା ସନ୍ଦିଗ୍ଧଙ୍କୁ ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ଆଇସୋଲେସନରେ ରଖାଯାଇଛି । ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ଅନଲାଇନ ଏବଂ ୧୦୪ ଜରିଆରେ ୧୫,୮୯୫ ପଞ୍ଜୀକରଣ କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୪,୩୬୬ ଜଣ ଫେରିଛନ୍ତି ବିଦେଶରୁ ।