ଜମାକାରୀଙ୍କୁ ଡାକି ସଂସ୍ଥା ଛୁ

କଟକ: ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ଏମ୍‌.ଏମ୍‌.ଦାସ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏକ ସଂସ୍ଥା ଜମାକାରୀଙ୍କୁ ଚିଠି ମାଧ୍ୟମରେ ଡକାଇ ଟଙ୍କା ନେଇ ଯିବାକୁ କହିଥିବା ବେଳେ ନିଜେ ଧରାଛୁଆ ନଦେବା ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଅନ୍ୟପଟେ ଜମାକାରୀଙ୍କ ଘରକୁ ଯାଇ ଟଙ୍କା ଫେରାଇବାକୁ ସଂପୃକ୍ତ ସଂସ୍ଥାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଜମା ଟଙ୍କା ଫେରି ପାଇବା ପାଇଁ ବକ୍ସିବଜାର ପୁଲିସ ଲାଇନସ୍ଥିତ ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏଏମ୍‌ ଫଣ୍ଡ୍‌ ମ୍ୟାନେଜର୍ସ ଲିମିଟେଡ୍‌ ସଂସ୍ଥାର

ଜମାକରୀ ପହଞ୍ଚି ଥିଲେ। ସେମାନଙ୍କୁ ଟଙ୍କା ଫେରାଇବା ପାଇଁ ସଂସ୍ଥା ପକ୍ଷରୁ ଚିଠି କରାଯାଇଥିଲା। କମିସନଙ୍କ କାର୍ଯ୍ୟାଳୟରେ ଟଙ୍କା ଫେରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଜମାକାରୀ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଘଟଣା ସ୍ଥଳରେ ସଂସ୍ଥା ପକ୍ଷରୁ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜାଣିବାକୁ ପାଇଥିଲେ। କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡା ଓ ରାଜ୍ୟର ଅନ୍ୟ ଜିଲ୍ଲାରୁ ଆସିଥିବା ୨୧ରୁ ଅଧିକ ଜମାକରୀ ଓ ସେମାନଙ୍କ ପରିବାର ସଦସ୍ୟ ଏପରି ଘଟଣାର ପ୍ରତିବାଦ କରିଥିଲେ। ଏ ନେଇ ଜମାକରୀ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଜମାକାରୀଙ୍କ ଘରକୁ ଯାଇ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ କମିସନ୍‌ ଏଏମ୍‌ ଫଣ୍ଡ ମ୍ୟାନେଜର୍ସ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ୨୦୧୮, ଜାନୁଆରି ୨୫ରେ ଏ ସଂପର୍କିତ ତଦନ୍ତ ମାମଲାର ଶୁଣାଣି ସମୟରେ ସଂସ୍ଥାର ଏମ୍‌ଡିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏହି ଜମାକାରୀ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏଏମ୍‌ ଫଣ୍ଡ୍‌ ମ୍ୟାନେଜର୍ସ ଲିମିଟେଡ୍‌ ସଂସ୍ଥାର ପଦାଧିକାରୀଙ୍କୁ ଖୋଜି ଥିଲେ। ସେମାନଙ୍କୁ ଏଏମ୍‌ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଚିଠି ଜମାକାରୀ ଦେଖାଇଥିଲେ। ୨୦୧୭ ନଭେମ୍ବର ୨୫ରେ ସଂସ୍ଥା ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ସଂପୃକ୍ତ ଜମାକାରୀ ନିବେଶ କରିଥିବା ଟଙ୍କା ଫେରି ପାଇବା ପାଇଁ ଡିସେମ୍ବର ୧୯ ତାରିଖ ଦିନ କମିସନଙ୍କ କାର୍ଯ୍ୟାଳୟରେ ହାଜର ହେବେ। ଜମାକାରୀ ନିଜ ପରିଚୟପତ୍ର, ଜମାରାଶି ସଂପର୍କିତ ନଥିପତ୍ର ସହିତ ହାଜର ହେବା ପାଇଁ କୁହାଯାଇଥିଲା। ଯଦି ଜମାକାରୀ ନ ଆସନ୍ତି ତେବେ ସେ ଏଏମ୍‌ ସଂସ୍ଥାରେ ନିବେଶ କରି ନାହାନ୍ତି ବୋଲି ଧରି ନିଆଯିବ ଓ ସଂସ୍ଥା ବିରୋଧରେ ଥିବା ଅଭିଯୋଗ ମିଛ ବୋଲି ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଏପରି ଚିଠି ପାଇ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜମାକାରୀଙ୍କ ଆଶା କିନ୍ତୁ ମଉଳି ଯାଇଥିଲା। ଏଏମ୍‌ ସଂସ୍ଥା ସଂପର୍କିତ ତଦନ୍ତ ମାମଲାର ଶୁଣାଣି ପାଇଁ ଆଜି ତାରିଖ ଥିବା ବେଳେ କମିସନଙ୍କ ନିକଟରେ ସଂସ୍ଥାର ପ୍ରତିନିଧି ହାଜର ହୋଇ ନଥିଲେ। ସଂସ୍ଥାର ପ୍ରତିନିଧିଙ୍କୁ ଖବର ଦିଆଯିବା ପରେ କେତେକ ବ୍ୟକ୍ତି ସେଠାରେ ପହଞ୍ଚି ଥିଲେ। କିନ୍ତୁ ଜମାକରୀଙ୍କ ଟଙ୍କା ଫେରସ୍ତ ପାଇଁ କିଛି ଠୋସ୍‌ ପଦକ୍ଷେପ ନିଆଯାଇ ନଥିଲା। ସଂସ୍ଥାର ପ୍ରତିନିଧିଙ୍କ ସହିତ ଆଲୋଚନା କରି ଜମାକରୀ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରି ନଥିଲେ। କମିସନଙ୍କୁ ନ ଜଣାଇ ସଂସ୍ଥା ଜମାକରୀଙ୍କୁ ଏପରି ଚିଠି କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ପ୍ରସଂଗରେ ଜମାକାରୀ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ କମିସନ୍‌ ଜମାକରୀଙ୍କ ଘରକୁ ଯାଇ ସେମାନଙ୍କ ଟଙ୍କା ଫେରାଇବା ପାଇଁ ଏଏମ୍‌ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଜମାକାରୀଙ୍କ ସତ୍ୟପାଠ ଆଧାରରେ କମିସନ୍‌ ଏଏମ୍‌ ସଂସ୍ଥାକୁ ନୋଟିସ୍‌ ଜାରି କରିଥିଲେ।

ସମ୍ବନ୍ଧିତ ଖବର