ଭୁବନେଶ୍ବର: ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଦିନ ‘ଆମ ଓଡ଼ିଶା’ ପକ୍ଷରୁ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆହ୍ବାନରେ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଏହି ନିଶା ନିବାରଣ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଆହ୍ବାନ କରିଛନ୍ତି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ। ଶ୍ରୀ ନାୟକ କହିଛନ୍ତି ଯେ ରାକ୍ଷୀ ପୂର୍ଣ୍ଣିମା ଦିନ ‘ଆମ ଓଡ଼ିଶା’ର କାର୍ଯ୍ୟକ୍ରମରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ନିଶା ନିବାରଣ ବ୍ରତ ପାଳନ କରିବେ। ଏଭଳି କାର୍ଯ୍ୟ ବେଶ୍ ପ୍ରଶଂସନୀୟ। ତେବେ କେବଳ ଭଉଣୀମାନେ ନୁହେଁ, ଭାଇମାନେ ମଧ୍ୟ ଏହି ବ୍ରତ ପାଳନ କରିବା ଦରକାର। କାରଣ ମଦର ପ୍ରାବଲ୍ୟ ପଛରେ ସରକାରଙ୍କ ଯେଉଁ ନିଷ୍ପତ୍ତିମୂଳକ ଭୂମିକା ରହିଛି ତାହାକୁ କେବଳ ଭଉଣୀମାନେ ପ୍ରଭାବିତ କରିପାରିବେ ନାହିଁ। ତେଣୁ ଭାଇ ଓ ଭାଇସ୍ତରୀୟ ବ୍ୟକ୍ତିଙ୍କୁ ନିଶାରୁ ମୁକ୍ତ ରହିବା ଲାଗି ସଂକଳ୍ପ ନେବାକୁ ହେବ। ତାହାଲେ ଯାଇ ନିଶା ନିବାରଣ ଅଭିଯାନ ସଫଳ ହୋଇପାରିବ। ରାକ୍ଷୀ ପୂର୍ଣ୍ଣିମା ଭଳି ଏକ ପବିତ୍ର ଦିନରେ ସବୁ ଲୋକଙ୍କୁ ସାମିଲ କରିବା ଲାଗି ମୁଖ୍ୟମନ୍ତ୍ରୀ ଏ ଦିଗରେ ନେତୃତ୍ବ ନେବାର ଆବଶ୍ୟକତା ରହିଛି। ରାଜ୍ୟରୁ ମଦକୁ ହଟାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ବିଶେଷ ପତ୍ର ପଠାଇବାକୁ ଅନୁରୋଧ କରାଯାଇଛି।
ସେ ଆହୁରିମଧ୍ୟ କହିଛନ୍ତି ଯେ ପିଲାଙ୍କୁ ନିଶା ପ୍ରଭାବରୁ ନିବୃତ୍ତ ରଖିବା କାମ ବେଶ କଷ୍ଟକର। ଥରେ ନିଶା ଚକ୍ରରେ ପଡ଼ିଗଲେ ତହିଁରୁ ବାହାରିବା ଲାଗି ବର୍ଷ ବର୍ଷ ଧରି ସାଧନା କରିବାକୁ ପଡ଼ିଥାଏ। ଅଭିଯାନ ପକ୍ଷରୁ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଉପରେ କାମ କରାଯାଉଥିଲେ ହେଁ ସାଧାରଣ ଲୋକଙ୍କ ସଂପୃକ୍ତି ଅଭାବରୁ ଏହା ସଫଳତା ପାଇପାରୁନାହିଁ। ତେଣୁ ସମାଜର ସକ୍ରିୟ ସଂପୃକ୍ତି ଅପରିହାର୍ଯ୍ୟ ବୋଲି ଶ୍ରୀ ନାୟକ କହିଛନ୍ତି।