ମାଓଗଡ଼ରେ ପୁଲିସ ଡିଜିଙ୍କ ଆହ୍ୱାନ; ବନ୍ଧୁକ ଛାଡ଼, ମୁଖ୍ୟସ୍ରୋତକୁ ଆସ

ମାଲକାନଗିରି/ଚିତ୍ରକୋଣ୍ଡା : ନକ୍ସଲ ମୁକ୍ତ ହେବ ସ୍ବାଭିମାନ ଅଞ୍ଚଳ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି। ଅଞ୍ଚଳର ବିକାଶ ସହ ମାଓ ଦମନ ଅଭିଯାନ ଏକାସଙ୍ଗେ ଜାରି ରହିବ। ଯାହାର ସମୀକ୍ଷା ନିଜେ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି କରିଛନ୍ତି। ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଞ୍ଚଳରେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ବିଏସ୍‌ଏଫ୍ ଅଧିକାରୀଙ୍କ ସହ ଏ ନେଇ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ସ୍ବାଭିମାନ ଅଞ୍ଚଳକୁ ପୁଲିସ ଡିଜିଙ୍କ ଏହା ଥିଲା ତୃତୀୟ ଗସ୍ତ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଅପରାହ୍ନରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଡିଜି ଗୋରାସେତୁରେ ପହଞ୍ଚିଥିଲେ। ଗ୍ରାମବାସୀ ଏହି ଅବସରରେ ବନ୍ଦାପନା କରିବା ସହ ଭବ୍ୟ ସଂବର୍ଦ୍ଧନା ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କୁ ଏଠାରେ ବିଦ୍ୟାଳୟ ସ୍ଥାପନ ନେଇ ଡିଜି ପ୍ରତିଶ୍ରୁତି ଦେଇ ପିଲାଙ୍କୁ ବ୍ୟାଗ ପ୍ରଦାନ କରିଥିଲେ। ସ୍ଥାନୀୟ ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହାପରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ବିଏସ୍‌ଏଫ୍‌ କ୍ୟାମ୍ପରେ ସ୍ଥିତିର ସମୀକ୍ଷା ସହ ମାଓବାଦୀଙ୍କ ଗତିବିଧି ସଂପର୍କରେ ପଚାରି ବୁଝିଥିଲେ। ଆଗାମୀ ଦିନରେ ସ୍ବାଭିମାନ ଅଞ୍ଚଳରେ ଆହୁରି କିଛି ସ୍ଥାନରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ଗସ୍ତରେ ଡିଜିପି କହିଥିଲେ ଯେ, ମାଲକାନଗିରି ଜିଲ୍ଲାକୁ ନକ୍ସଲ ମୁକ୍ତ କରିବାକୁ ପ୍ରୟାସ ଚାଲିଛି। ଏଠାରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବାପରେ ସରକାର ଏବଂ ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ବଢ଼ୁଛି। ଏହି ବିଶ୍ବାସ ଯେମିତି ଅତୁଟ ରହିବ ଏବଂ ଲୋକଙ୍କ ନିକଟରେ ସମସ୍ତ ସରକାରୀ ଯୋଜନା ପହଞ୍ଚି ପାରିବ ସେ ଦିଗରେ କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି। ସେହିପରି ପଥଭ୍ରଷ୍ଟ ହୋଇ ନକ୍ସଲ ସଂଗଠନରେ ଯୋଗ ଦେଇଥିବା ମାଓବାଦୀ ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତକୁ ଫେରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷରେ ଡିଜିଙ୍କ ଗସ୍ତକୁ ନେଇ ବିଏସଏଫ ଯବାନ ଏହି ଅଂଚଳରେ କମ୍ବିଂ କରୁଥିବା ବେଳେ ବେଜିଂ ନିକଟରୁ ମାଓବାଦୀଙ୍କ କିଛି ସାମଗ୍ରୀ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର