ଡାକିନେଇ ହାଣିଦେଲେ, ରକ୍ତାକ୍ତ ଯୁବକ ଉଦ୍ଧାର 

ନାରାୟଣପାଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତି ପ୍ରାୟ ୮ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଣ୍ଡରେ ବସିଥିବାବେଳେ ଜଣେ ଯୁବକଙ୍କୁ ଡାକିନେଇ ଦୁର୍ବୃତ୍ତମାନେ ହାଣି ଦେଇଛନ୍ତି। ରକ୍ତାକ୍ତ ଯୁବକ ହେଲେ ଗାଦବାଗୁଡା କଲୋନୀର କାତୃ ମାଉକା(୪୪)। ସ୍ଥାନୀୟ ଲୋକେ ତାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

କାତୃଙ୍କ ସହିତ ଅଞ୍ଚଳର କିଛି ଲୋକଙ୍କ କୌଣସି କାରଣରୁ ଶତ୍ରୁତା ଥିଲା। ସେ ଖାଇ ପିଇ ଦାଣ୍ଡପିଣ୍ଡାରେ ବସିଥିଲେ। ହଠାତ୍‌ କିଛି ଯୁବକ ଆସି ତାଙ୍କୁ କଥା ହେବାକୁ କହି ଘରଠାରୁ ୧୦୦ ମିଟର ଦୂରକୁ ଡାକି ନେଇଥିଲେ। ସେଠାରେ ଏକ ଧାରୁଆ ଅସ୍ତ୍ରରେ ବେକକୁ ଚୋଟ ପରେ ଚୋଟ ମାରିଥିଲେ। ରକ୍ତାକ୍ତ ହୋଇଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। କାତୃ ଚିତ୍କାର କରିବା ପରେ ସ୍ତ୍ରୀ ମୁର୍ମୁ ଦୌଡି ପହଞ୍ଚିଥିଲେ।

ସାହି ଲୋକଙ୍କୁ ଚିତ୍କାର କରି ଡାକିବାରୁ ସମସ୍ତେ ପହଞ୍ଚି କାତୃଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ‌ପୁଲିସ ଦୁର୍ବୃତ୍ତଙ୍କୁ ଗିରଫ କରିପାରିନାହିଁ।

ସମ୍ବନ୍ଧିତ ଖବର