ନଠୁଆବର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଗୋଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ଦୁଇ ଛାତ୍ର କଲେଜ କର୍ତ୍ତୃପକ୍ଷଙ୍କ ଅପମାନ ଓ ନିର୍ଯାତନା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୋଇ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ନାମରେ ଚୋରି ଅଭିଯୋଗ ଆଣି ସର୍ବସମ୍ମୁଖରେ ତାଙ୍କୁ ଆଣ୍ଠେଇ ଦେଇଥିଲେ। ଅପମାନ ସହି ନ ପାରି ସେ ଘରକୁ ଆସି ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଧର୍ମଶାଳା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ମୁତାବକ, ଅଣ୍ଡେଇଗୋଡ଼ା ଗ୍ରାମର ବାଙ୍କବିହାରୀ ପଣ୍ଡାଙ୍କ ପୁଅ ଆଶିଷ ଜାରକାସ୍ଥିତ ରେନେସାଁ ନାମକ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସେ ହଷ୍ଟେଲରେ ରହି ପଢ଼ୁଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ତାଙ୍କ ନାମରେ ଚୋରି ଅଭିଯୋଗ ଆଣିବାରୁ ପରିବାର ଲୋକ ଆଶିଷଙ୍କୁ ଦୁଇଦିନ ତଳେ ଘରକୁ ନେଇ ଆସିଥିଲେ। ଗତକାଲି ରାତିରେ ଖାଇପିଇ ଶୋଇବା ପରେ ସେ ବିଷ ପିଇ ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ପରିବାର ଲୋକ ତାଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କଲେଜରେ ଟଙ୍କା ଓ ମୋବାଇଲ ଚୋରି କରିଥିବା ଦର୍ଶାଇ ପୁଅକୁ ସମସ୍ତଙ୍କ ସାମ୍ନାରେ ଆଣ୍ଠେଇ ଦିଆଯାଇ ମାଡ଼ ମରାଯାଇଥିଲା। ବିଭିନ୍ନ କଟୁ କଥା କହି ଭର୍ତ୍ସନା କରାଯାଇଥିଲା। ଏହାପରେ ତାଙ୍କୁ କଲେଜରୁ ଘରକୁ ପଠାଇ ଦିଆଯାଇଥିଲା। ଫଳରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଏଭଳି ଅପମାନ ସହ୍ୟ କରିନପାରି ପୁଅ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଆଶିଷଙ୍କ ବାପା ବାଙ୍କବିହାରୀ ପଣ୍ଡା ଅଭିଯୋଗ କରିଛନ୍ତି। ଏ ନେଇ ଥାନା ଅଧିକାରୀ ତପନ ନାୟକଙ୍କୁ ପଚାରିବାରୁ ସେ ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ରେନେସାଁ କଲେଜ ସମ୍ପାଦକ ବିଭୂତି ରାଉତଙ୍କୁ ପଚାରିବାରୁ ସେ ପିଲାକୁ ତାଗିଦ୍‌ କରିବା ପାଇଁ ଆଣ୍ଠେଇ ଦେଇଥିବା ସ୍ୱୀକାର କରିଛନ୍ତି।