କେନ୍ଦ୍ରାପଡ଼ା: ‘ମୋର ଦୁଃଖ କେହି ଶୁଣୁନାହାନ୍ତି। ଅସହ୍ୟ ହେଲାଣି ଘା’ ଯନ୍ତ୍ରଣା। ସମସ୍ତଙ୍କୁ କହିକହି ଥକିଗଲିଣି। ସେପଟେ ହେପାଟାଇଟିସ-ବି ଆକ୍ରାନ୍ତ କହି ସମସ୍ତେ ଘୃଣା କରୁଛନ୍ତି। ଦିଦିମାନେ ପାଖକୁ ଆସୁ ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରୁଛି ଯଦି ଉନ୍ନତ ଚିକିତ୍ସା ବ୍ୟବସ୍ଥା ହେଇପାରୁନାହିଁ; ତେବେ ତାଙ୍କୁ ମାରି ଦିଆଯାଉ। ମହାକାଳପଡ଼ା ବ୍ଲକ୍‌ ବଳିପାଳ ପ˚ଚାୟତ ବାଲିସାହି ଗ୍ରାମର ଅସହାୟ ଯୁବକ ଟୁକୁନା ନାଉରୀ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହେଇଛି। ଏଥିରେ ସେ ମରିମରି ଯନ୍ତ୍ରଣାସିକ୍ତ ଜୀବନ ଜିଉଥିବା କଥା କହିଛନ୍ତି। ଟୁକୁନା ଗୁଜୁରାଟରେ ରହି କାମ କରୁଥିଲେ। ସେଠାରେ ତାଙ୍କର ମୂତ୍ରନଳୀରେ ସ˚କ୍ରମଣ ହୋଇଥିଲା। ଗୁଜୁରାଟର ଏକ ହସ୍ପିଟାଲ୍‌ରେ ପ୍ରାୟ ମାସେ କାଳ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ଭିତରେ ତାଙ୍କ ମେରୁଦଣ୍ତ ସମସ୍ୟା ଦେଖାଦେଇଥିଲା। ବିଛଣାରୁ ଉଠି ପାରିଲେ ନାହିଁ। ଦୀର୍ଘ ଦିନ ଶଯ୍ୟାଶାୟୀ ରହିବାରୁ ତାଙ୍କ ପିଚାରେ ଘା’ ହେଇଯାଇଥିଲା। ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ ପରାମର୍ଶ ଦେଲେ। ଦୁଇ ସା˚ଗ ଗୁଜୁରାଟରୁ ଆଣି ଘରେ ଛାଡ଼ିଦେଇ ଗ‌ଲେ। ଗ୍ରାମବାସୀଙ୍କ ସହଯୋଗ କ୍ରମେ ପ୍ରଥମେ ଜିଲ୍ଲା ହସ୍ପିଟାଲ୍‌ ଏବ˚ ପରେ କଟକ ବଡ଼ ମେଡିକାଲ୍‌ରେ ଦେଖାଇଥିଲେ। ଡାକ୍ତର ଔଷଧ ଲେଖିଦେବା ସହିତ ଘରେ ନିୟମିତ ଚିକିତ୍ସାରେ ରହିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଘରେ ସାବତ ମା’ ଏକାକୀ ଥିବାରୁ ତାଙ୍କର ଦେଖାଶୁଣା କେହି କଲେ ନାହିଁ। ଅବସ୍ଥା ଆହୁରି ବିଗିଡ଼ିଗଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ଆଣିବାକୁ ନିର୍ଦେଶ ଦେଇଥିଲେ। ମାସେ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତିନି ମହଲାରେ ଥିବା ୭ନମ୍ବର କ୍ୟାବିନ୍‌ରେ ଚିକିତ୍ସାଧୀନ ଅଛନ୍ତି। ଏବେ ସେ ହେପାଟାଇଟିସ-ବି ରୋଗରେ ଆକ୍ରାନ୍ତ। ତେଣୁ ତାଙ୍କ ପାଖକୁ ଆସିବାକୁ ସମସ୍ତେ ଭୟ କରୁଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଟୁକୁନାଙ୍କ ଅଭିଯୋଗ ହେଲା, ଘରୁ ଯେଉଁ ମୂତ୍ରନଳୀ ଲଗାଯାଇଥିବା ଅବସ୍ଥାରେ ସେ ଆସିଥିଲେ, ହସ୍ପିଟାଲ୍‌ରେ ବାରମ୍ବାର କହିବା ପରେ ବି କେହି କାଢ଼ିଲେ ନାହିଁ। ଦୀର୍ଘ ଦିନ ହେଇଯିବା ପରେ ଏବେ ସେହି ପାଇପ୍‌ ବାହାରୁନାହିଁ। ଡାକ୍ତର କହୁଛନ୍ତି ବଡ଼ ମେଡିକାଲ୍‌ରେ ସର୍ଜରୀ କରାଗଲେ ବାହାରିବ। ନିୟମିତ ଡ୍ରେସି˚ ହେଉନାହିଁ। ଝାଡ଼ା କଲେ ସଫା କରିବାକୁ କେହି ଆସୁନାହାନ୍ତି। ଦିନ ଦିନ ଧରି ଉତ୍କଟ ଗନ୍ଧରେ ଜୀବନ ବିତୁଛି। ଇତିମଧୢରେ ଜିଲ୍ଲାପାଳଙ୍କଠୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଯାଏ ସମସ୍ତଙ୍କୁ ଜଣାଇ ସାରିଲେଣି। କେହି ଶୁଣୁ ନଥିବା ଟୁକୁନା ଅଭିଯୋଗ କରିଛନ୍ତି। ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ଏ ସଂପର୍କରେ କହିଛନ୍ତି, ଚିକିତ୍ସାରେ ଅବହେଳା କରାଯାଉନାହିଁ। ଅଣ୍ଟା ତଳକୁ ତାଙ୍କର କୌଣସି ଅ˚ଗ କାମ କରୁନାହିଁ। ବିଛଣାରେ ଶୋଇଶୋଇ ଶରୀରରେ ଘା ହେଇଗଲାଣି। ହେପାଟାଇଟିସ-ବି ରୋଗରେ ସେ ସ˚କ୍ରମିତ। ଏ ସବୁର ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ୍‌ରେ ସେଭଳି ସୁବିଧା ନାହିଁ। କଟକ ବଡ ଡାକ୍ତରଖାନାକୁ ଗଲେ ହୁଏତ ଭଲ ହେଇପାରନ୍ତା। ଆଟେଣ୍ତାଣ୍ଟ୍‌ ନ ଥିବାରୁ ତାଙ୍କୁ କଟକ ପଠାଇ ପାରୁନାହୁଁ। କୌଣସି ସ୍ବେଚ୍ଛାସେବୀ ସ˚ସ୍ଥା ଆଗେଇ ଆସିଲେ ଟୁକୁନାର ଉନ୍ନତ ଚିକିତ୍ସା ପାଇଁ କଟକ ପଠାଯାଇ ପାରନ୍ତା ବୋଲି ଡାକ୍ତର ପ୍ରହରାଜ କହିଛନ୍ତି।