୧୯୬୨ ନମ୍ବରରେ ଫୋନ୍‌ କଲେ ଅସହାୟ ପ୍ରାଣୀଙ୍କୁ ସେବା ମିଳିବ

ପ୍ରାଣୀ ସେବା ହେଲ୍‌ପ ଲାଇନ୍, ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମ୍ୟାପିଂ ଆରମ୍ଭ

ଭୁବନେଶ୍ବର : ରାସ୍ତାରେ କି ଆପଣଙ୍କ ଘର ପାଖରେ ବୁଲା ଗାଈ, କୁକୁର, ଷଣ୍ଢ କି ଅନ୍ୟ କୌଣସି ପଶୁପକ୍ଷୀ ଯଦି ଅସହାୟ ବା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖୁଛନ୍ତି ତେବେ ମୁହଁ ବୁଲାଇ ଦେଇ ଚାଲିଯାଆନ୍ତୁନି। ରାତି ହେଉ କି ଦିନ ୧୯୬୨ ନମ୍ବରେ ଫୋନ୍‌ କଲେ କିଛି ସମୟ ମଧ୍ୟରେ ପଶୁ ଚିକିତ୍ସକ ଆସି ପହଞ୍ଚିଯିବେ। ଆଉ ତ୍ବରିତ୍ ସେବା ଯୋଗାଇବେ। ଆବଶ୍ୟକ ପଡ଼ିଲେ ଆମ୍ବୁଲାନ୍ସ ଆଣି ଆହତ ପଶୁଙ୍କୁ ନିକଟସ୍ଥ ପଶୁ ଡାକ୍ତରଖାନାକୁ ନେଇଯିବେ। ବୁଲା ଓ ପରିତ୍ୟକ୍ତ ପ୍ରାଣୀଙ୍କ ସେବା ପାଇଁ ରାଜ୍ୟ ସରକାର ଆଜି ରାଜ୍ୟସ୍ତରୀୟ ପ୍ରାଣୀ ସେବା ହେଲ୍‌ପ ଲାଇନ୍ ସେବା ଆରମ୍ଭ କରିବା ସହ ନମ୍ବର ଜାରି କରିଛନ୍ତି।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍‌ପ ଲାଇନ୍‌ ସହିତ ଅନେକ ନୂଆ ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀଙ୍କ ଆବଶ୍ୟକତା ପାଇଁ ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା କରନ୍ତୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରିବା ସହ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ।

enochdarfahfrimpong

ଆଜି ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ୍ ନମ୍ବର ୧୯୬୨ ଦିନରାତି ୨୪ଘଣ୍ଟା କାର୍ଯ୍ୟ କରିବ। ଯେଉଁଠି ବି କୌଣସି ଜୀବଜନ୍ତୁଙ୍କର କିଛି ଅସୁବିଧା ହୋଇଥିବା ନେଇ ଅଭିଯୋଗ ଆସିବ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ।

 

ବୁଲା ଓ ପରିତ୍ୟକ୍ତ ପ୍ରାଣୀଙ୍କୁ ସହାୟତା କର: ମୁଖ୍ୟମନ୍ତ୍ରୀ

ସେହିପରି ମୁଖ୍ୟମନ୍ତ୍ରୀ ଟେଲି ଭେଟେରିନାରି ସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏଥିରେ ଟୋଲ୍‌ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ୍‌ କଲେ ତୁରନ୍ତ ସହାୟତା ମିଳିପାରିବ। ସୂଚନାଯୋଗ୍ୟ ଯେ, ରାଜ୍ୟର ୧୧ଟି ସହରରେ ଆନିମଲ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା ଥିବାବେଳେ ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ର ଅଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମ୍ୟାପିଂ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି। ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍‌ ଗୁଡ଼ିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ ୱେବ୍-ଜିଆଇଏସ୍‌ ପ୍ଲାଟଫର୍ମରେ ଦେଖାଯାଇ ପାରିବ।

ଏହି ଅବସରରେ ବିଏଆଇଏଫ୍‌ ଇନଷ୍ଟିଚ୍ୟୁଟ୍ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ। ଏହାସହିତ ଗୋପାଳପୁର ଠାରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଭେକ୍‌ଟି ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛ ଚାଷୀଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀସମ୍ପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଆର୍‌ ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିସନର, ମିସନ ଶକ୍ତି ସଚିବ ଏବଂ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର