କାର୍ଯ୍ୟକାରୀ ବୈଠକରେ ମହିଳା କର୍ମକର୍ତ୍ତାଙ୍କୁ ଆହ୍ବାନ: ତୃଣମୂଳସ୍ତରରେ ପହଞ୍ଚାଅ କଂଗ୍ରେସ ଗ୍ୟାରେଣ୍ଟି

ଭୁବନେଶ୍ବର: ପ୍ରଦେଶ ମହିଳା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମୋଦୀ ଓ ନବୀନ ସରକାରରେ ମହିଳାମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ନବୀନ ବାବୁ ଦୀର୍ଘ ୨୪ବର୍ଷ ଓ ମୋଦୀ ସରକାର ଦୀର୍ଘ ୧୦ ବର୍ଷରେ ମହିଳାଙ୍କ ସୁରକ୍ଷା, ଅଧିକାର ଓ କର୍ମସଂସ୍ଥାନ ଉପରେ ଗୁରୁତ୍ବ ଦେଇନାହାନ୍ତି। ଆଜିର ଦିନରେ ଇତିଶ୍ରୀ, ବେବିନା, ମାଧବୀଲତା, ସ୍ମିତାରାଣୀ, କୁନ୍ଦୁଲି ଓ ମମିତାଙ୍କ ପରିବାରକୁ ନବୀନ ସରକାର ନ୍ୟାୟ ଦେଇପାରି ନାହାନ୍ତି। ଅପରପକ୍ଷରେ ଅଧିକରୁ ଅଧିକ ମହିଳା କିଭଳି କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ସେଥିପାଇଁ ମହିଳା କ‌ଂଗ୍ରେସ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ଯେଉଁ ଗ୍ୟାରେଣ୍ଟି ଘୋଷଣା କରାଯାଇଛି ତାହାକୁ ପୂରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଥିଲେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ, ଦଳିତ ଓ ଅନଗ୍ରସର ମହିଳାମାନେ ଦୟନୀୟ ସ୍ଥିତିରେ ରହିଛନ୍ତି। ନବୀନ ସରକାରଙ୍କ ୨୪ବର୍ଷର ପ୍ରଶାସନ ସେଠାରେ ପହଞ୍ଚି ପାରିନାହିଁ। ନବୀନ ଓ ମୋଦୀଙ୍କ ଶାସନରେ ମହିଳାମାନେ ଉପେକ୍ଷିତ ଥିବାରୁ ମହିଳାଙ୍କ ଭୋଟ କଂଗ୍ରେସ ପାଇବ। ନାରୀମାନେ ସମାଜର ମୁଖ୍ୟସ୍ରୋତରେ କିଭଳି ଅଧିକରୁ ଅଧିକ ସାମିଲ ହେବେ ସେଥିପାଇଁ କଂଗ୍ରେସ ସବୁବେଳେ ଚେଷ୍ଟା କରି ଆସିଛି। କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଛି ତାହାକୁ ତୃଣମୂଳସ୍ତରରେ ପ୍ରଚାର କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟସ୍ତରଠାରୁ ଆରମ୍ଭ କରି ବୁଥ ପର୍ଯ୍ୟନ୍ତ ମହିଳା କଂଗ୍ରେସ କର୍ମକର୍ତ୍ତା ନିଷ୍ଠାର ସହ କଂଗ୍ରେସର ପ୍ରତିଶ୍ରୁତିକୁ ଘରେ ପହଞ୍ଚାଇବା ଲାଗି ଶ୍ରୀମତୀ ବାହିନୀପତି ଆହ୍ବାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସରସ୍ବତୀ ହେମ୍ବ୍ରମ୍, ପ୍ରଣତି ମିଶ୍ର, ପ୍ରତିମା ମଲ୍ଲିକ, ଦେବସ୍ମିତା ସାମଲ, ଜ୍ୟୋର୍ତିମୟୀ ବାଗ, ଶ୍ରୀୟାସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ, ଜବାମଣି ଟୁଡ଼ୁ, ସିଲି ସେଠୀ, ମୋନାଲିସା ଦାସ, ବାସନ୍ତୀ ସାମଲ, ସ୍ନେହଲତା ରାୟ ଚୌଧୁରୀ, ଗୌରୀ ଦାସ, ମଞ୍ଜୁଲତା ମିଶ୍ର, ସୁନୀତା ନାୟକ, ସୁନୀତା ବାଗ, ସ୍ବାଗତିକା ପଟ୍ଟନାୟକ, ମିତାରାଣୀ ମଲ୍ଲିକ, କଳ୍ପନା ପଣ୍ଡା, ଗୀତାଞ୍ଜଳି ମହାନ୍ତି ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର