ସ୍ୱଳ୍ପ ଓ ଲକ୍ଷଣ ବିହୀନ ରୋଗୀଙ୍କୁ ଘରେ ଚିକିତ୍ସା ଯୋଗାଇବାକୁ ନିର୍ଦେଶ
ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ଜିଲ୍ଲା ଉପରେ ଅଧିକ ଧ୍ୟାନ ଦିଅ
ସବୁ ସୁବିଧା ମାଗଣାରେ ଯୋଗାଇ ଦେବାରେ ଓଡ଼ିଶା ଏକମାତ୍ର ରାଜ୍ୟ
ଭୁବନେଶ୍ୱର : ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚା ଯାଇପାରିବ ସେ ଦିଗରେ ରାଜ୍ୟ ସରକାର ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି। ପଇସା ଅଭାବରୁ କେହି ଜଣେ ବି କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ। ହେଲେ କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ ପ୍ରକାଶ ମାତ୍ରକେ ତୁରନ୍ତ ସ୍ବେଚ୍ଛାକୃତ ଭାବରେ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ହେବା ସହିତ ଆରୋଗ୍ୟ ହାର ମଧ୍ୟ ଆହୁରି ଭଲ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତକାଲି ଉନ୍ନୟନ କମିସନର ପ୍ରତିଦିନ ୧ଲକ୍ଷ ନମୁନା ପରୀକ୍ଷଣ ହେବ ବୋଲି ସୂଚନା ଦେବା ପରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଏହା ବ୍ୟତୀତ ଆଜିର ବୈଠକରେ ତିନିଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆର୍ଟି ପିସିଆର୍ ମେସିନ୍ ସ୍ଥାପନ କରିବା, ରାଜ୍ୟରେ ଲାବ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରରେ ପ୍ଲାଜ୍ମାଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।
ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଗୋଟିଏ ଦିନରେ ୩୨ ହଜାର ଟେଷ୍ଟିଂ କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଲୋକମାନେ ଯେପରି ସୁବିଧାରେ ଟେଷ୍ଟିଂ କରିପାରିବେ ସେଥିପାଇଁ ସବ୍-ଡିଭିଜନ ସ୍ତରରେ ତଥା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ଜିଲ୍ଲାପାଳମାନେ ଟେଷ୍ଟିଂ ସୁବିଧା ଆରମ୍ଭ କରିବା ଦରକାର। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗେଇ ଆସିବେ ସେଥିପାଇଁ ବିଡିଓ ଓ ପଞ୍ଚାୟତ ପ୍ରତିନିଧିମାନେ ସଚେତନତା ଅଭିଯାନ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
/sambad/media/post_attachments/wp-content/uploads/2020/07/covid-19-antibody-testing-300x169.jpg)
ମୁଖ୍ୟମନ୍ତ୍ରୀ କହିଥିଲେ, ରୋଗକୁ ଭୟ ନ କରି ଚିକିତ୍ସା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ସେହିଭଳି ରୋଗୀଙ୍କୁ ଘୃଣା ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏ ଦିଗରେ ଲୋକ ପ୍ରତିନିଧିମାନେ ଜନସାଧାରଣଙ୍କୁ ସଚେତନ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। କେବଳ ସେତିକି ନୁହେଁ, ସ୍ବଳ୍ପ ଓ ଲକ୍ଷଣ ବିହୀନ ରୋଗୀଙ୍କୁ ଘରେ ଚିକିତ୍ସା ଯୋଗାଇବା ଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ରୋଗୀମାନଙ୍କୁ ମେଡିସିନ୍ କିଟ୍ ଓ ଟେଲି ମେଡିସିନ ଯୋଗେ ଡାକ୍ତରୀ ସୁବିଧା ଯୋଗାଇ ଦେବାକୁ ନବୀନ ପରାମର୍ଶ ଦେଇଥିଲେ। ତେବେ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ଯାଜପୁର ଜିଲ୍ଲା ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଥିଲେ ଯେ ରାଜ୍ୟ ସରକାର ରୋଗୀମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ମାଗଣାରେ ଯୋଗାଇ ଦେଉଛନ୍ତି। ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି। ଗତ ପାଞ୍ଚ ମାସ ଧରି ରାଜ୍ୟବାସୀ ଯେଭଳି ସାହସର ସହ ଲଢ଼େଇ ଜାରି ରଖିଛନ୍ତି ତାହା ଉତ୍ସାହଜନକ ସଫଳତା ଦେଇଛି ବୋଲି ସୂଚାଇ ନବୀନ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ତଥା ଲୋକପ୍ରତିନିଧି ମାନଙ୍କର ନିରନ୍ତର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।
ସାରା ଦେଶରେ କୋଭିଡ୍ ନିୟନ୍ତ୍ରଣରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଉତ୍ସାହଜନକ ରହିଛି ବୋଲି ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୯ ଜଣ ପ୍ଲାଜ୍ମା ଦାନ କରିଛନ୍ତି। ୧୩୨ ଜଣ ପ୍ଲାଜ୍ମା ଥେରାପିରେ ଚିକିତ୍ସିତ ହେଉଛନ୍ତି। ୧୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଆଖିଦୃଶିଆ ଉନ୍ନତି ଆସିଛି। ବର୍ତ୍ତମାନ ରାଜ୍ୟରେ ଆରୋଗ୍ୟ ହାର ୬୮.୬% ଥିବାବେଳେ ମୃତ୍ୟୁହାର ୦.୬୦% ରହିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ଆଜିର ବୈଠକରେ ପୁଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।