ସବୁ ଦୁର୍ବିପାକ ଓ ଘାତ ପ୍ରତିଘାତକୁ ବଳିଯାଇଛି ‘କରୋନା’ କଷଣ। ଶତାବ୍ଦୀ ଆରମ୍ଭରେ ଏମିତି ଶକ୍ତ ଧକ୍କା ଦେଇଛି ଯେ ଏଯାଏ ଅଣ୍ଟା ସଳଖିବାକୁ ସାହସ ଯୋଗାଡ଼ କରି ହେଉନାହିଁ। ଅନେକଥର ମହାବାତ୍ୟା ଆସି ପର୍ଯ୍ୟଟନ ଭିତ୍ତିଭୂମିକୁ ମୋଡ଼ି ମକଚି ଦେଇଛି, କିନ୍ତୁ ଦିନ କେଇଟା ପରେ ପୁଣି ଅଣ୍ଟା ସଳଖି ଛିଡ଼ା ହୋଇଛି। ହେଲେ କରୋନା କାଳ ଫାଶରୁ ଦୀର୍ଘ ୮ ମାସ ହେଲା ମୁକୁଳି ପାରୁନି ମାନବଜାତି। ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ୧ଲକ୍ଷ ୨୫ ହଜାର କୋଟିର କ୍ଷତି ସହିବା ନେଇ କଳନା କରାଯାଉଥିବା ବେଳେ ରାଜ୍ୟ ମଧ୍ୟ ବିପୁଳ କ୍ଷତି ସହିଛି। ସଂସ୍କୃତି ଓ ପାର୍ବଣ ଆଡ଼ମ୍ବରଶୂନ୍ୟ ଭାବେ ପାଳିତ ହୋଇଛି। ପୂଜା ପାର୍ବଣ ଓ ସିନେମା ଉପରେ ପରଦା ଢାଙ୍କି ହୋଇଛି। ଅନେକ ସ୍ବାଭିମାନୀ କ୍ଷୁଦ୍ର କଳାକାର, କାରିଗର, ବ୍ୟବସାୟୀମାନେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି। ଯିଏ ରାତି ପାହିଲେ ପ୍ରଭୁଙ୍କୁ ଦର୍ଶନ କରି କାର୍ଯ୍ୟ ଆରମ୍ଭ କରୁଥିଲା ସେ ୮ମାସ କାଳ ପ୍ରଭୁଙ୍କ ଦର୍ଶନରୁ ଦୂରେଇ ରହିଛି। ଲକ୍ଷାଧିକ ପାରମ୍ପରିକ କଳାକାର ହତାଶା ବୋଧରେ ମରିମରି ଜିଉଁଛନ୍ତି। ଏହା ସତ୍ତ୍ବେ ବର୍ଷର ଶେଷ ଭାଗରେ ଇକୋ-ରିଟ୍ରିଟ୍ ଆୟୋଜନ କରାଯାଇଛି। ଓଡ଼ିଶା ବାଏ ରୋଡ୍ ଯୋଗେ ପର୍ଯ୍ୟଟକଙ୍କୁ ଯୋଡ଼ିବାକୁ ପ୍ରୟାସ ହୋଇଛି।
ଉପସ୍ଥାପନା:
ସତ୍ୟନାରାୟଣ ରାଉତରାୟ
ମନ୍ଦିର ବନ୍ଦ
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧୀନ କୋଣାର୍କ, ରାଜାରାରଣୀ ଭଳି କିଛି ମନ୍ଦିରକୁ ବାଦ୍ ଦେଲେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ଆଦି ମନ୍ଦିରରେ ଆଜି ବି ତାଲା ଝୁଲୁଛି। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏଯାଏ ମନ୍ଦିର ଖୋଲିବାକୁ ସରକାର ଓ ପ୍ରଶାସନ ଭରସି ପାରୁନାହାନ୍ତି। ଆଧ୍ୟାତ୍ମିକ ପର୍ଯ୍ୟଟନ ସହ ଜଡ଼ିତ ପର୍ଯ୍ୟଟନ ସ୍ଥଳ ଏବେ ବି ପର୍ଯ୍ୟଟକଙ୍କ ଆଗମନକୁ ଚାହିଁ ରହିଛି।
ଦୀର୍ଘ ମାସ ପରେ ପର୍ଯ୍ୟଟନସ୍ଥଳ ଖୋଲିଛି। କିନ୍ତୁ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହେଉନାହିଁ। ରେଳ, ବସ୍ ଓ ଟ୍ରାଭେଲ୍ ବ୍ୟବସ୍ଥା ସ୍ବାଭାବିକ ହୋଇନାହିଁ। ରାଜ୍ୟ ପର୍ଯ୍ୟଟନ ବିଭାଗ ହିସାବ ମୁତାବକ ୨୦୧୮-୧୯ରେ ପର୍ଯ୍ୟଟକଙ୍କ ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୧,୫୬,୨୩,୨୫୦ ଥିବା ବେଳେ ସେମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ ଥିଲେ ୧ଲକ୍ଷ ୧୩ ହଜାର ୭୨୧। ମାତ୍ର ୨୦୧୯ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୧,୫୧,୩୬,୧୬୦କୁ କମି ଆସିଥିଲା। ହୋଟେଲ୍ ଶିଳ୍ପ ପ୍ରଭାବିତ ହେବା ସହ ୮୦ ପ୍ରତିଶତ କର୍ମଚାରୀ କାମ ହରାଇଥିଲେ। ଆର୍ଥିକ ବର୍ଷ ଶେଷ ବେଳକୁ କରୋନାର ଭୟାବହତା ପର୍ଯ୍ୟଟକଙ୍କ ଗୋଡ଼ରେ ବେଡ଼ି ପକେଇଦେଇଥିଲା।
ବଢ଼ିଲା ପୁରସ୍କାର ରାଶି, ଦିଆଗଲା ବକେୟା ପୁରସ୍କାର
ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଏକାଡେମି ପୁରସ୍କାର ରାଶି ବୃଦ୍ଧି ହୋଇଛି। ଅତିବଡ଼ୀ, କବି ସମ୍ରାଟ, ଧର୍ମପଦ, ବ୍ୟାସକବି ପୁରସ୍କାର ବାବଦକୁ ୫ଲକ୍ଷ, ଏକାଡେମି ପୁରସ୍କାର ୨ ଲକ୍ଷ ଟଙ୍କା ଓ ସାରସ୍ବତ ସମ୍ବର୍ଧନା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୫ ବର୍ଷ ହେଲା ଅଟକି ରହିଥିବା ଧର୍ମପଦ ପୁରସ୍କାର ଦିଆଯିବା ସହ ୨୦୨୦ ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରି ପୁରସ୍କୃତ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ବିଶିଷ୍ଟ ଗାଳ୍ପିକା ମହାନ୍ତିଙ୍କୁ ଅତିବଡ଼ୀ ଓ କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର ଦିଆଯାଇଛି। ସେହିଭଳି ଦୀର୍ଘ ୪ ବର୍ଷର ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ବିବାଦ ତୁଟିବା ସହ ପୁରସ୍କାର ଦିଆଯାଇଛି।
ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମୋହର
ରାଜ୍ୟବାସୀଙ୍କ ଦୀର୍ଘଦିନର ଦାବିକୁ ରାଜ୍ୟ ସରକାର ଶେଷରେ ସ୍ବୀକୃତି ଦେଇଥିଲେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଥିଲା। କ୍ୟାବିନେଟର ଏକ ସ୍ବତନ୍ତ୍ର ଅଧିବେଶନରେ ଭାଷା ଓ ସଂସ୍କୃତି ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲାଗିଥିଲା। ମୁଖ୍ୟମନ୍ତ୍ରୀ ଗତ ମେ’ ୩୦ ତାରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଓଡ଼ିଆ ଜାତିକୁ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ଆହ୍ବାନ ଦେଇଥିଲେ। ଏହି ଐତିହାସିକ ମୁହୂର୍ତକୁ ଚିରସ୍ଥାୟୀ କରିବା ଲାଗି ତଥା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ କ୍ୟାବିନେଟ୍ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ddgjdgjdgjdgjdgjdgdgjgdnhtn-gjdgjj.jpg)