ରାଉରକେଲା: ଆଲିଆନ୍ସ ଏୟାର୍‌ ବିମାନସେବା ଆଜି ପୁନର୍ବାର ଧୋକାଦେଇଛି। ଆଜି କୋଲକାତାରୁ ରାଉରକେଲାକୁ ବିମାନ ଆସିବା ସହ ଏଠାରୁ ଭୁବନେଶ୍ବରକୁ ବି ଗଲା। ହେଲେ, ବିମାନ ଭୁବନେଶ୍ବରରୁ ରାଉରକେଲାକୁ ଆସିନପାରିବାରୁ ସିଧାସଳଖ କୋଲକାତାକୁ ମଧ୍ୟ ଉଡ଼ି ପାରିନି।
ମଙ୍ଗଳବାରଠାରୁ କୋଲକାତା-ରାଉରକେଲା ସିଧାସଳଖ ବିମାନ ଚଳାଚଳ ହେବାନେଇ ପରଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର ପକ୍ଷରୁ ସୂଚନା ଦିଆଯାଇଥିଲା। ଆଜି ଦିନ ପ୍ରାୟ ୧.୩୦ରେ କୋଲକାତାରୁ ବିମାନ ଆସି ରାଉରକେଲାରେ ପହଞ୍ଚିଥିଲା। ଏଥିରେ ୨୬ ଜଣ ଯାତ୍ରୀ ରାଉରକେଲାକୁ ଆସିଥିଲେ। ପ୍ରାୟ ଅଧଘଣ୍ଟାର ରହଣିପରେ ପୁଣି ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଆଜି ରାଉରକେଲାରୁ ୩୬ ଜଣ ଯାତ୍ରୀ ଭୁବନେଶ୍ବରକୁ ଯାଇଥିଲେ। ବିମାନ ଭୁବନେଶ୍ବରରେ ଅପରାହ୍ନ ୩.୧୦ରେ ପହଞ୍ଚିବାପରେ ସେଠାରୁ ୩.୫୦ରେ ରାଉରକେଲାକୁ ଆସି ପୁଣି ଏଠାରୁ ସିଧାସଳଖ କୋଲକାତାକୁ ଯିବାର ଥିଲା। ଏହି କ୍ରମରେ ଭୁବନେଶ୍ବରରୁ ରାଉରକେଲାକୁ ଆସିବାକୁ ୩୫ ଜଣ ଏବଂ ରାଉରକେଲାରୁ କୋଲକାତାକୁ ଯିବାକୁ ୨୪ ଜଣ ଟିକଟ୍‌ କରିଥିଲେ। କିନ୍ତୁ, ଶେଷ ମୂହୁର୍ତ୍ତରେ ଏହି ବିମାନ ବାତିଲ ହୋଇଯାଇଥିଲା। ଫଳରେ, ଯାତ୍ରୀ ନିରାଶ ହେବାସହ ଅତ୍ୟଧିକ ବ୍ୟୟକରି ବିକଳ୍ପ ବ୍ୟବସ୍ଥାକରି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲେ। ସ୍ବଳ୍ପ ଦୃଶ୍ୟମାନତା ଯୋଗୁ ବିମାନ ଅବତରଣରେ ସମସ୍ୟା ଦେଖାଦେବା କାରଣ ଦର୍ଶାଇ ବିମାନସେବାକୁ ବାତିଲ୍‌ କରିଦିଆଯାଇଥିଲା ବୋଲି ଜଣାପଡ଼ିଛି।

Advertisment

ଅପରପକ୍ଷରେ ଆଜିସୁଦ୍ଧା ସ୍ବତନ୍ତ୍ର ଭିଏଫ୍‌ଆର୍‌ କାର୍ଯ୍ୟକ୍ଷମ ହୋଇପାରିନି। ସ୍ବତନ୍ତ୍ର ଭିଏଫ୍‌ଆର୍‌ ମାଧ୍ୟମରେ ମାତ୍ର ୧୫ ଶହ ମିଟର ଦୃଶ୍ୟମାନତାରେ ବିମାନ ଅବତରଣ/ଉଡ଼ାଣ ପାଇଁ ଡିଜିସିଏ ଅନୁମତି ମିଳିନଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି। ଆସନ୍ତା ଗୁରୁବାର ସୁଦ୍ଧା ଅନୁମତି ମିଳିବାର ସମ୍ଭାବନା ଥିବା ଅଣଆନୁଷ୍ଠାନିକ ସୂଚନାରୁ ପ୍ରକାଶ।