ପୁରୀ: ପୁଅ ମାନସିକ ଅନଗ୍ରସର ଥିବାରୁ ପୁଅକୁ ସାଙ୍ଗରେ ଧରି ତୀର୍ଥ କରିବାକୁ ପୁରୀ ଆସିଥିଲେ ଛତିଶଗଡ଼ର ସୁଖବାଈ କେଶରିୟା। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁଅ ଈଶ୍ବର ପ୍ରସାଦ କେଶରୀୟା (୩୦) ପାଇଁ ପ୍ରାର୍ଥନା କରିବେ ବୋଲି ଭାବିଥିଲେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ କରିବା ଆଗରୁ ସିଂହଦ୍ବାର ନିକଟରୁ ପୁଅ ହାତଛାଡ଼ି କେଉଁଆଡ଼େ ଚାଲିଗଲା। ପୁଅ ନିଖୋଜ ହୋଇଯିବା ପରେ ୭୦ ବର୍ଷୀୟ ବିଧବା ମା’ ସୁଖବାଈ ଡହଡହ ଖରାରେ ସିଂହଦ୍ବାରଠୁ ନେଇ ସମୁଦ୍ରକୂଳ ଘୂରି ବୁଲୁଛନ୍ତି। ମାତ୍ର, ପୁଅ ମିଳୁନଥିବାରୁ ମା’ ସୁଖବାଈ ଭାଙ୍ଗିପଡ଼ିଛନ୍ତି।
ଗତ ରବିବାରଠାରୁ ଛତିଶଗଡ଼ ଜାଞ୍ଜଙ୍ଗୀର ଜିଲ୍ଲାରୁ ଗ୍ରାମର ଅନ୍ୟ ୧୫ ଜଣଙ୍କ ସହ ସୁଖବାଈ ପୁଅକୁ ଧରି ପୁରୀକୁ ଟ୍ରେନ୍ ଯୋଗେ ଆସିଥିଲେ। ଏଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରି ସୋମବାର ଫେରିଯିବାର ଥିଲା। ପୁଅ ନିଖୋଜ ହେବାପରେ ୩ ଦିନ ହେଲା ତାକୁ ଖୋଜି ବୁଲୁଛନ୍ତି ସୁଖବାଈ। ଏନେଇ ସେ ସିଂହଦ୍ବାର ଥାନାରେ ଜଣାଇଥିଲେ ବି କିଛି ସୁଫଳ ମିଳିନାହିଁ। ତାଙ୍କ ସାଥିରେ ଆସିଥିବା ୧୫ ଜଣ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ୮ଜଣ ନିଜ ଘରକୁ ଫେରିଗଲେଣି। ମାତ୍ର, ସୁଖବାଈଙ୍କର ମନ ବୁଝୁନାହିଁ। ନିଜ ପୁଅକୁ ନନେଇ ଫେରିବେନି ବୋଲି ଜିଦ୍ ଧରି ବସୁଛନ୍ତି। ତେଣୁ ତାଙ୍କ ସହ ଆଉ ୭ ଜଣ ଅଟକି ରହିଛନ୍ତି।
ସୁଖବାଈଙ୍କ ସୂଚନା ମୁତାବକ, ଈଶ୍ବର ପ୍ରସାଦ ମାନସିକ ଭାବେ ଦୁର୍ବଳ ଥିବାରୁ ମା’ ହିସାବରେ ତାକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇ ଆଣିବି ବୋଲି ଭାବି ପୁରୀ ଆସିଥିଲି। ମାତ୍ର ଭିଡ଼ ନଥିଲେ ବି ସେ କେଉଁଆଡ଼େ ହଠାତ୍ ଚାଲିଯିବ ଭାବିନଥିଲି। ଯେଉଁଠି ବି ଅଛି ମୋ ପୁଅକୁ ପୁଲିସ୍ ବାବୁ ଫେରାଇ ଆଣନ୍ତୁ ବୋଲି ସେ ନେହୁରା ହୋଇଛନ୍ତି। ତାଙ୍କ ପାଖରେ ମାତ୍ର ୧୦୦ ଟଙ୍କା ଥିବାରୁ ଗତ ୩ ଦିନ ମଧ୍ୟରେ ସେ କେଉଁଠାରେ କିଭଳି ଅବସ୍ଥାରେ ଅଛନ୍ତି, ତାହା ଭାବିଭାବି ସୁଖବାଈ ଲୁହ ନିଗାଡ଼ୁଛନ୍ତି। ତେଣୁ କେହି ସହୃଦୟ ବ୍ୟକ୍ତି ଈଶ୍ବରଙ୍କୁ କେଉଁଠାରେ ଦେଖିଲେ ତାଙ୍କୁ ସିଂହଦ୍ବାର ଥାନା କିମ୍ବା ତାଙ୍କ ଯୋଗାଯୋଗ ନମ୍ବର ୭୪୧୫୦୧୩୭୨୯ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।